ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବା, ରାଉରକେଲା ମହାନଗର ନିଗମ ସହିତ ୪ଟି ସ୍ଥାନରେ ଶୁଭାରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସୁନ୍ଦରଗଡ଼, ୪ ଡିସେମ୍ବର ୨୦୨୦: ‘‘ସ୍ୱଚ୍ଛତା କଥା ଉଠିଲେ ପ୍ରଥମେ ଗାନ୍ଧିଜୀଙ୍କ କଥା ମନକୁ ଆସିଥାଏ। ଗାନ୍ଧିଜୀ ସବୁବେଳେ ପରିମଳକୁ ଗୁରୁତ୍ୱ ଦେଉଥିଲେ। ଜାତିର ପିତାଙ୍କ ଭାଷାରେ ପରିମଳ ହେଉଛି ସ୍ୱାଧୀନତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ସୁସ୍ଥ ପରିବେଶ ହିଁ ଉନ୍ନତି ଏବଂ ଉନ୍ନତ ଜୀବନର ଆଧାର।’’ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।

ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଓ କୁତ୍ରା ବ୍ଲକରେ ଏହି ଅତ୍ୟାଧୁନିକ ପରିମଳ ସେବାର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଅତ୍ୟାଧୁନିକ ଗାଡ଼ିଗୁଡ଼ିକର ଶୁଭାରମ୍ଭ କରିଥିଲେ।

ପରିମଳ ସେବାକୁ ସୁଦୃଢ଼ କରିବା ପାଇଁ ୨୪ ପ୍ରକାରର ୧୯୦ଟି ମେସିନ ଓ ଗାଡ଼ି ଯୋଗାଇ ଦିଆଯାଇଛି। ସେହିପରି ରାଉରକେଲା ସହରର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତାବିତ ୧୦ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ମଧ୍ୟରୁ ୪ଟିର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଶୁଭାରମ୍ଭ ହୋଇଥିବା ପରିମଳ କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ରାଉରକେଲା ମହାନଗର ନିଗମ ପାଣ୍ଠିରୁ ୬୯ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଏହି ବ୍ୟାପକ ପରିମଳ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସଫେଇ କର୍ମଚାରୀମାନେ ହେଉଛନ୍ତି ଆମ ସମାଜର ଶ୍ରେଷ୍ଠ ସେବକ। ତେଣୁ ସେମାନେ ସ୍ୱଚ୍ଛତା ଓ ପରିବେଶର ବ୍ୟାପକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେହିପରି ମିଶନ ଶକ୍ତିର ମା’ମାନେ ରାଜ୍ୟରେ ପରିମଳ ସେବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି। ସେମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା, ଆବର୍ଜନା ସଂଗ୍ରହ କରିବା, ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରର ପରିଚାଳନା ଆଦି କାମରେ ନିୟୋଜିତ ହୋଇଛନ୍ତି।

“ଏହି ଅତ୍ୟାଧୁନିକ ସେବା ଲାଗୁ ହେବା ଫଳରେ ସ୍ମାର୍ଟ ସିଟି ରାଉରକେଲାର ଚିତ୍ର ବଦଳିବ। ବିଶେଷକରି ମେସିନର ବ୍ୟବହାର ଫଳରେ ପରିମଳ ସେବା କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ସେହିପରି ସଫେଇ କର୍ମଚାରୀମାନଙ୍କ ସୁରକ୍ଷା ଓ ସମ୍ମାନ ଉପରେ ମଧ୍ୟ ଆମେ ପ୍ରାଥମିକତା ଦେଇ ପାରିବା। ରାଉରକେଲା ସହିତ ଜିଲ୍ଲାର ଅନ୍ୟ ସ୍ଥାନ ପାଇଁ ଏବେ ୧୯୦ଟି ଗାଡ଼ି ଓ ମେସିନ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଏହି ସେବାକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଅଧିକ ମେସିନ ଓ ସହାୟତା ଯୋଗାଇ ଦିଆଯିବ’’, ସ୍ୱାଗତ ଭାଷଣ ଦେଇ ଏହା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ୍‌, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଜି ମାଥିଭାଥାନନ୍ ପ୍ରମୁଖ ଯୋଗ ଦେଇଥିଲେ। ରାଉରକେଲା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। 

ସେହିପରି ରାଉରକେଲାଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ପାନପୋଷ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ର କର, ପଶ୍ଚିମାଂଚଳ ଡିଆଇଜି କବିତା ଜଲାନ, ରାଉରକେଲା ଏସପି ଶ୍ରୀଯୁକ୍ତ କେ ଶିବା ସୁବ୍ରମଣି, ରାଉରକେଲା ମହାନଗରର ଡେପୁଟି କମିଶନର ଶ୍ରୀଯୁକ୍ତ ସୁଧାଂଶୁ କୁମାର ଭୋଇ, ଶ୍ରୀମତୀ ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନଙ୍କ ସମେତ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ଡିଏମଏଫର ବରିଷ୍ଠ ଅଧିକାରୀ।

 

ଏହି ପରିମଳ ସେବାରେ ଯୋଡ଼ି ହୋଇଛି ଅତ୍ୟାଧୁନିକ ମେସିନ୍ ଓ ଗାଡ଼ି। ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ ପାଇଁ ବ୍ୟାଟେରି ଚାଳିତ ଛୋଟ ପରିବେଶ ଅନୁକୂଳ ଗାଡ଼ି, ରାସ୍ତା ସଫେଇ ପାଇଁ ରୋଡ୍ ସୁଇପିଂ ମେସିନ, ଖୋଲା ଡ୍ରେନ୍‌ ସଫେଇ ପାଇଁ ‘ଓପନ୍‌ ନାଲା ଡି-ସିଲଟିଂ’ ମେସିନ୍‌, ସ୍ୱିରେଜ ଲାଇନ୍‌ ସଫା ଲାଗି ‘ସକସନ୍‌ କମ୍‌ ଜେଟିଂ’ ମେସିନ୍‌, ସେପ୍ଟିକ୍‌ ଟାଙ୍କି ଲାଗି ‘ସେସପୁଲ୍‌‌’, ମଶା ବଂଶ ଦମନ ପାଇଁ ‘ଫଗିଂ’ ମେସିନ୍‌, ସର୍ବସାଧାରଣ ସ୍ଥାନ ବିଶୋଧନ ପାଇଁ ‘ଟ୍ରେଲର ମାଉଂଟେଡ୍‌ ସାନିଟାଇଜର ଆଣ୍ଡ୍ ଡିସ‌ଇନଫେକ୍ଟାଂଟ୍‌‌’ ମେସିନ୍‌ ଏବଂ ବାୟୁମଣ୍ଡଳରେ ଧୂଳି ଓ ଧୂଆଁ ନିୟନ୍ତ୍ରଣ ପାଇଁ ଉଚ୍ଚ କ୍ଷମତାସଂପନ୍ନ ‘ଡି-ଫଗିଂ’ ମେସିନ୍ ଆଦି ବ୍ୟବହାର କରାଯିବ।  

powered by social2s