୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ରାଉରକେଲା, ୧୧ ଡିସେମ୍ବର ୨୦୨୦: ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ସହିତ ବିଭିନ୍ନ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ସଫଳ ପରିଚାଳନା ପାଇଁ ରାଉରକେଲାକୁ କିଭଳି ସବୁ ଦୃଷ୍ଟିରୁ ପ୍ରସ୍ତୁତ କରାଯିବ ତା’ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

ଶୁକ୍ରବାର ଦିନ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ରାଉରକେଲାରେ ଏହି ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଇଡକୋର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପ୍ରମୁଖ ଭାଗ ନେଇଥିଲେ। ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଯୋଗେ ବୈଠକରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ।

ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନ୍ ଏବଂ ଟେକନିକାଲ ଟିମ୍ ଏହି ସମୀକ୍ଷା ବୈଠକରେ ଯୋଗଦେଇ ରାଉରକେଲାରେ ହକି ବିଶ୍ୱକପ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ବୈଠକ ପୂର୍ବରୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଅନ୍ତର୍ଜାତୀୟ ହକି ମହାସଂଘର କର୍ମକର୍ତ୍ତାମାନେ ସେକ୍ଟର-୫ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶ୍ୱକପର ସୁପରିଚାଳନା ପାଇଁ ଏହାର ଆବଶ୍ୟକ ନବୀକରଣ ସହ ଦର୍ଶକମାନଙ୍କ ପାଇଁ ୨୦ ହଜାରରୁ ଅଧିକ ଆସନ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଉଚ୍ଚସ୍ତରୀୟ କମିଟି ସହରରେ ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ ମଧ୍ୟ ପରିଦର୍ଶନ କରିଥିଲେ।

ବିଶ୍ୱକପର ଆବଶ୍ୟକତାକୁ ଦେଖି ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ସହରରେ ଖେଳାଳି ଓ ଅଫିସିଆଲମାନଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ରୁମ ସହ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ୨୦୨୩ ବିଶ୍ୱକପ ଦୃଷ୍ଟିରୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ବୈଠକ ପରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ କହିଥିଲେ ଯେ, ଭୁବନେଶ୍ୱର ସହ ରାଉରକେଲାରେ ବିଶ୍ୱକପ୍ ହକି ମ୍ୟାଚ ଖୋଳାଯିବ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଷ୍ଟାଡିୟମ ଛଡ଼ା ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୧୮ରେ ଭୁବନେଶ୍ୱରରେ ହୋଇଥିବା ହକି ବିଶ୍ୱକପ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ବିଶେଷ ଗୌରବ ଆଣି ଦେଇଥିଲା। ୨୦୨୩ ବିଶ୍ୱକପରେ ଏହି ପରିଚୟକୁ ଆହୁରି ଆଗକୁ ନେବା ପାଇଁ ଭୁବନେଶ୍ୱର ଏବଂ ରାଉରକେଲାରେ ବ୍ୟାପକ ପ୍ରସ୍ତୁତି କରାଯାଉଛି।

ଏହି ସମୀକ୍ଷା ବୈଠକରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍, ରାଉରକେଲା ଏସପି କେ ଶିବା ସୁବ୍ରମଣି, ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କାର୍ମିକ) ପ୍ରଦ୍ୟୁତ କୁମାର ଦାଶ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବସମ୍ବଳ) ରାଜବୀର ସିଂ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲ।

 

powered by social2s