ଭୁବନେଶ୍ୱର: ଅର୍ଥନୈତିକ କାର୍ଯ୍ୟକଳାପ ଓ ପ୍ରଶାସନିକ କାର୍ଯ୍ୟ ପାଇଁ ଭିତିଭୂମି ବିକାଶକୁ ସର୍ବୋଚ୍ଚ ଅଗ୍ରାଧିକାର କ୍ଷେତ୍ର ଭାବେ ବର୍ଣ୍ଣନା କରି ରାଜ୍ୟ ଆଇଟି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ଯେ ଯୋଜନା ପ୍ରସ୍ତୁତ ହେବା ସ୍ତରଠାରୁ ଭିତିଭୂମି ପ୍ରକଳ୍ପ ସହ ଆଇଟି ଯୋଡ଼ି ହୋଇରହୁଛି । ଏହା ଭିତିଭୂମି ବିକାଶର ମୂଳଦୁଆ । ପ୍ରକଳ୍ପରେ ପଥରଟିଏ ପକାଇବା ପୂର୍ବରୁ ଆଇଟିର ବ୍ୟବହାର ଜରିଆରେ ତାହାର ଯୋଜନା ପ୍ରସ୍ତୁତ ହେଉଛି । ତେଣୁ ଭିତିଭୂମି ପ୍ରକଳ୍ପ ସହ ଆଇଟିର ସମନ୍ୱୟ ସ୍ଥାପନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି ।
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଚାପ୍ଟର ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ କରାଯାଇଥିବା ଦ୍ୱିତୀୟ ଇଷ୍ଟ ଇଣ୍ଡିଆ ସମ୍ମିଳନୀ ୨୦୨୨କୁ ସମ୍ବୋଧିତ କରି ସେ ରାଜ୍ୟ ସରକାର ଘୋଷଣା କରିଥିବା ଓଡ଼ିଶା ଆଇଟି ନୀତି ୨୦୨୨ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆମ ନୀତିରେ ପୁଂଜି ବ୍ୟୟ ସବ୍ସିଡି, ବିଦ୍ୟୁତ ସବ୍ସିଡି, ସୁଧ ସବ୍ସିଡି, ଜମି ଏବଂ ଭଡ଼ା ସବ୍ସିଡି, ଆର୍ଆଣ୍ଡ୍ଡି ସହାୟତା ସବ୍ସିଡି ଏବଂ ମାନବ ସମ୍ବଳ ବ୍ୟୟରେ ସବ୍ସିଡି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଯେଉଁ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଟେଂଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, କ୍ଲାଉଡ୍ କମ୍ପ୍ୟୁଟିଂ ଓ ଆନାଲିଟିକ୍ସ ଉପରେ କାମ କରିବେ ସେମାନଙ୍କୁ ଅତିରିକ୍ତ ସବ୍ସିଡି ପ୍ରଦାନ କରାଯିବ । ନିବେଶକମାନଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି ।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ରାଜ୍ୟର ୧୨ଟି ଶିଳ୍ପାଚଂଳରେ ଇଡ୍କୋ ପକ୍ଷରୁ ଶ୍ରମିକ ହଷ୍ଟେଲ ନିର୍ମାଣ କରାଯାଉଛି । ଏହି କାମ ବଡ଼ ଧରଣରେ କରାଯାଉଛି । ପାରାଦୀପ, ଯାଜପୁର, ଖୋର୍ଦ୍ଧା, କଳିଙ୍ଗନଗର, କଟକ, ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଝାରସୁଗୁଡ଼ା ଆଦି ଶିଳ୍ପାଚଂଳରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ଏଭଳି ହଷ୍ଟେଲ୍ ପାଇଁ ଦାବି କରିଛନ୍ତି । ଆସନ୍ତା କିଛି ବର୍ଷ ଭିତରେ ସେହି ସବୁ ସ୍ଥାନରେ ମଧ୍ୟ ଇଡ୍କୋ ହାଉସିଂ ପ୍ରକଳ୍ପ ନିର୍ମାଣ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ସିଆଇଆଇ ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ମନିଷ ଖରବନ୍ଦା ଭିତିଭୂମି ବିକାଶ ପାଇଁ ଘରୋଇ ସରକାରୀ ସହଭାଗିତା (ପିପିପି) ଓ ଘରୋଇ କ୍ଷେତ୍ରର ନିବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ପାରାଦୀପ ବନ୍ଦରରେ ବଡ଼ ଜାହାଜ ପାଇଁ ଉତ୍ସର୍ଗୀକୃତ ବର୍ଥ ନିର୍ମାଣ କରିବାକୁ ଯୋଜନା ରଖିଛି । ୧୨.୫ ନିୟୁତ ଟନ୍ ଲେଖାଏଁ ଦୁଇଟି ପର୍ଯ୍ୟାୟରେ ଏହି ବର୍ଥ ସ୍ଥାପନ କରାଯିବ । ଯାହା ଫଳରେ ପାରାଦୀପ ବନ୍ଦର ଅତିରିକ୍ତ ୨୫ ନିୟୁତ ଟନ୍ ପଣ୍ୟର ପରିଚାଳନା କରିପାରିବ । ସେ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ପାଂଚ ବର୍ଷରେ ଓଡ଼ିଶା ସରକାର ଭିତିଭୂମି ବିକାଶରେ ୩ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛନ୍ତି ।
ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ଶଶି ଶେଖର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରତ୍ୟକ୍ଷ ଭିତିଭୁମି ସହ ଡିଜିଟାଲ୍ ଭିତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଏହା ଦ୍ୱାରା ବିକାଶରେ ଭାରତ ଆଗରେ ରହିପାରିବ ଓ ସମସ୍ତଙ୍କ ପାଖରେ ତାହାର ଲାଭ ପହଂଚିପାରିବ ବୋଲି ସେ କହିଛନ୍ତି ।
ନିଜ ସ୍ୱତନ୍ତ୍ର ଅଭିଭାଷଣରେ ବିଏମ୍ସି ମେୟର ସୁଲୋଚନା ଦାସ କହିଛନ୍ତି ଯେ ଜାତୀୟ ହାରଠାରୁ ଅଧିକ ବେଗରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହି ବିକାଶର କେନ୍ଦ୍ର ସ୍ଥଳ ପାଲଟିଛି ଭୁବନେଶ୍ୱର । ସେଥିପାଇଁ ଏହା ଦେଶର ଶ୍ରେଷ୍ଠ ତିନି ବ୍ୟବସାୟ ସ୍ଥଳ ତାଲିକାରେ ସ୍ଥାନ ପାଇଛି । ସହରରେ ଥିବା ଶିଳ୍ପସଂସ୍ଥାଗୁଡ଼ିକୁ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ଆମେ କାମ କରୁଛୁ ବୋଲି ସେ କହିଛନ୍ତି ।
କାର୍ଯ୍ୟକ୍ରମ ଶେଷରେ ସିଆଇଆଇ ନର୍ଥ ଓଡ଼ିଶା ଜୋନାଲ ପରିଷଦର ଅଧ୍ୟକ୍ଷ ନିତୀନ କାଲେ ଧନ୍ୟବାଦ ଅର୍ପଣ କରିଥିଲେ ।
ଭିତିଭୂମି ବିକାଶ ସହ ସୂଚନା ପ୍ରଯୁକ୍ତିର ସମନ୍ୱୟ ପାଇଁ ଆଇଟି ମନ୍ତ୍ରୀଙ୍କ ଆହ୍ୱାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s