ଗଣେଶ ପୂଜାରେ ଜିଓ ଏୟାରଫାଇବର୍ ଶୁଭାରମ୍ଭ ହେବ: ମୁକେଶ ଅମ୍ବାନି

ବାଣିଜ୍ୟ /ବ୍ୟବସାୟ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜିଓ ଏୟାରଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି । ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି । ୫ଜି ନେଟ୍‌ୱର୍କ ଓ ଉନ୍ନତ ଓୟାରଲେସ୍ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର୍ ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଶା କରାଯାଉଛି । ମୁକେଶ ଅମ୍ବାନି କହିଛନ୍ତି ଯେ, “ଏକ କୋଟିରୁ ଅଧିକ ପରିସର ଆମ ଅପ୍ଟିକାଲ୍ ଫାଇବର ସେବା ଜିଓଫାଇବର ସହ ଯୋଡ଼ିହୋଇଛନ୍ତି । ଏବେବି ଏଭଳି ଏକ ଲକ୍ଷ ପରିସର ରହଛି ଯେଉଁଠାରେ ଓୟାର ଲାଇନ ସଂଯୋଗ ପ୍ରଦାନ କରିବା କଷ୍ଟକର ବ୍ୟାପାର ହୋଇରହିଛି । ଜିଓ ଏୟାର ଫାଇବର ସେହି କଷ୍ଟକୁ ସହଜ କରିବ । ଏହା ଜରିଆରେ ଆମେ ୨୦ କୋଟି ଘର ଓ ପରିସରରେ ପହଂଚିବା ଲାଗି ଆଶା କରୁଛୁ । ଜିଓ ଏୟାର ଫାଇବର ଆସିବା ପରେ ପ୍ରତିଦିନ ଜିଓ ୧.୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିପାରିବ ।’’ ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ସାରା ଭାରତର ୧୫ ଲକ୍ଷ କିଲୋମିଟରରେ ବ୍ୟାପ୍ତ ରହିଛି । ଅପ୍ଟିକାଲ୍ ଫାଇବର୍ ରେ ଗ୍ରାହକମାନେ ମାସିକ ହାରାହାରି ୨୮୦ ଜିବିରୁ ଅଧିକ ଡାଟା ଉପଯୋଗ କରୁଛନ୍ତି ଯାହା ଜିଓର ଗ୍ରାହକ ପିଛା ମୋବାଇଲ୍ ଡାଟା ବ୍ୟବହାରଠାରୁ ୧୦ ଗୁଣା ଅଧିକ । ବାର୍ଷିକ ସାଧାରଣ ବୈଠକରେ ଜିଓ ଏୟାର ଫାଇବର ସହିତ ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ବିଷୟରେ ମଧ୍ୟ ଘୋଷଣା କରି ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ ଆମେ ଏକ ଏଭଳି ପ୍ଲାଟଫର୍ମ ତିଆରି କରୁଛୁ ଯାହା ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍‌ଗୁଡ଼ିକର ଡିଜିଟାଲ୍ ଦୁନିଆ ସହ ସମ୍ପର୍କ ମାଧ୍ୟମକୁ ବଦଳାଇଦେବ । ଉଦ୍ୟୋଗୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କ, ଏଜ୍ କମ୍ପ୍ୟୁଟିଂ ଓ ଆପ୍ଲିକେସନକୁ ମିଶାଇ ଏକ ବ୍ୟାପକ ପ୍ଳାଟଫର୍ମ ପ୍ରସ୍ତୁତ କରାଯାଇଛି । ସେହିପରି, ଜିଓ ଟ୍ରୁ-୫ଜି ଲ୍ୟାବ୍‌ରେ ଆମ ଔଦ୍ୟୋଗିକ ସହଯୋଗୀମାନେ ଶିଳ୍ପ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସମାଧାନର ବିକାଶ, ପରୀକ୍ଷଣ ଓ ମିଳିତ ଭାବେ ନିର୍ମାଣ କରିପାରିବେ । ଜିଓ ଟ୍ରୁ-୫ଜି ଲ୍ୟାବ୍ ରିଲାଏନ୍ସ କର୍ପୋରେଟ୍ ପାର୍କ, ନଭି ମୁମ୍ବାଇରେ ରହିବ ।

powered by social2s