ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଭାରତର ଡାଟା କେବଳ ଭାରତୀୟ ଡାଟା ସେଣ୍ଟରରେ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଡାଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏଆଇ ସହିତ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ। ତେଣୁ ଦେଶରେ ଏଆଇ ଓ ମେସିନ୍ ଲର୍ନିଂ ଡାଟା ସେଣ୍ଟର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଭାରତୀୟ କମ୍ପାନୀଗୁଡିକ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଉଚିତ। ଏଥିସହିତ ଡାଟା ସେଣ୍ଟର ନୀତି ୨୦୨୦ ର ଡ୍ରାଫ୍ଟକୁ ଶୀଘ୍ର ଅପଡେଟ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଆକାଶ ଅମ୍ବାନୀ ଏହା କହିଛନ୍ତି। ଆକାଶ ଅମ୍ବାନୀ କହିଛନ୍ତି ଯେ, “ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏଆଇ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଏବଂ ଜିଓ ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ଏଆଇ ର ଲାଭ ପହଞ୍ଚାଇବାର ଉଦ୍ୟମ ଆରମ୍ଭ କରିଛି। ଠିକ ସେହିଭଳି ଯେପରି ଆମେ ମୋବାଇଲ୍ ବ୍ରଡବ୍ୟାଣ୍ଡ ସହିତ କରିଥିଲୁ । ସୁଲଭ ମୂଲ୍ୟରେ ଶକ୍ତିଶାଳୀ ଏଆଇ ମଡେଲ ଏବଂ ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଥିପାଇଁ ଆମେ ଏକ ଜାତୀୟ ଏଆଇ ଭିତ୍ତିଭୂମିର ଆଧାର ପ୍ରସ୍ତୁତ କରୁଛୁ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି ଆକାଶ ଅମ୍ବାନୀ କହିଛନ୍ତି, “ଆଜି ଭାରତୀୟ ମୋବାଇଲ୍ କମ୍ପାନୀ ଏବଂ ସଫଳ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ୍ ବଳରେ ଭାରତ ବିକଶିତ ଦେଶ ସମେତ ସମଗ୍ର ବିଶ୍ୱକୁ ଏଆଇ ସମାଧାନ ପ୍ରଦାନ କରିପାରିବ। ସରକାରଙ୍କ ଦ୍ୱାରା ଉଦ୍ୟୋଗ ଏବଂ ନବସୃଜନ ବା ଇନୋଭେସନ କୁ ଆଗକୁ ବଢାଯିବା ଯୋଗୁଁ ଭାରତରେ ସବୁଠାରୁ ବଡ ଡିଜିଟାଲ୍ କ୍ରାନ୍ତି ଆସିଛି। ନୂତନ ଭାରତରେ ବ୍ୟବସାୟ ଏବେ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ୧୪୫ କୋଟି ଭାରତୀୟଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ଏବଂ ଶିଳ୍ପଜଗତ ସମନ୍ୱୟରେ ଏକାଠି କାର୍ଯ୍ୟ କରୁଛନ୍ତି। ଇଣ୍ଡିଆ ମୋବାଇଲ୍ କଂଗ୍ରେସର ମଞ୍ଚରୁ ଆକାଶ ଅମ୍ବାନୀ କହିଛନ୍ତି ଯେ ଭାରତ କେବଳ ମୋବାଇଲ୍ ଇନୋଭେସନରେ ଅଗ୍ରଣୀ ହେବ ନାହିଁ ବରଂ ଏକ ସଂଯୁକ୍ତ ତଥା ବୁଦ୍ଧିମାନ ଭବିଷ୍ୟତ ପାଇଁ ଏଆଇ ର ଶକ୍ତିକୁ ବ୍ୟବହାର କରିବ। ଏହା ଦ୍ୱାରା ମଧ୍ୟ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ଆସିବା ସମୟରେ ଘଟିଥିବା ପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିବ।
ଭାରତର ଡାଟା ଭାରତୀୟ ଡାଟା ସେଣ୍ଟରରେ ରହିବା ଉଚିତ: ଆକାଶ ଅମ୍ବାନୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s