ନୂଆଦିଲ୍ଲୀ: ଦେଶରେ ୧୫ ବର୍ଷରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ଭ୍ୟାକସିନ୍ ଲଗାଇବାର ଅଭିଯାନ ୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୧ ଜାନୁଆରୀରୁ ଶିଶୁଙ୍କର ରେଜିଷ୍ଟ୍ରେସନ ପକ୍ରିୟା ଆରମ୍ଭ ହୋଇଯିବ। ୨୦୨୨ର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରୁ ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ। ଏହାପୂର୍ବରୁ ପିଲାମାନେ ଟିକା ପାଇଁ ନିଜର ନାଁ ପଞ୍ଜୀକରଣ କରିବେ। ପ୍ରାପ୍ତ ବୟସ୍କଙ୍କ ଭଳି ଛୋଟ ପିଲାମାନେ କୋୱିନ ପ୍ଲାଟଫର୍ମରେ ହିଁ ଟିକା ପାଇଁ ପଞ୍ଜୀକରଣ କରିପାରିବେ।ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। କୋୱିନ ପ୍ଲାଟଫର୍ମର ମୁଖ୍ୟ ଡା ଆରଏସ୍ ଶର୍ମା କହିଛନ୍ତି, “୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନେ କୋୱିନ ଦ୍ୱାରା ଜାନୁଆରୀ ୧ରୁ ଟିକା ପାଇଁ ନିଜ ନାଁ ପଞ୍ଜୀକରଣ କରିପାରିବେ। ଆମେ ଏହି ଆପ୍ରେ ଅତିରିକ୍ତ ସ୍ଲଟ ଭାବେ ଆଇଡି କାର୍ଡ ପଞ୍ଜୀକରଣ ବ୍ୟବସ୍ଥା କରିଛୁ। ଛାତ୍ରଛାତ୍ରୀମାନେ ନିଜ ଆଇଡି କାର୍ଡ ବ୍ୟବହାର କରି ଟିକା ପାଇଁ ପଞ୍ଜୀକରଣ କରିପାରିବେ। କାରଣ ସବୁ ପିଲାମାନଙ୍କ ପାଖରେ ଆଧାର କିମ୍ବା ଅନ୍ୟ କାର୍ଡ ନାହିଁ। ତେଣୁ କୋୱିନ ପ୍ଲାଟଫର୍ମରେ ଆଇଡି କାର୍ଡର ବିକଳ୍ପ ରଖାଯାଇଛି। ଏହାକୁ ସେମାନେ ବେଶ ଆରାମରେ ବ୍ୟବହାର କରି ଟିକା ପାଇଁ ସ୍ଲଟ ବୁକ କରିପାରିବେ।” ସୂଚନାଯୋଗ୍ୟ, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍ ଦିଆଯିବ। କାରଣ ଡିସିଜିଆଇ କିଛି ଦିନ ତଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏହାବାଦ ଜାୟଡସ କାଡିଲା ଟିକା ମଧ୍ୟ ଛୋଟ ପିଲାମାନଙ୍କୁ ଦେବା ପାଇଁ ସ୍ୱୀକୃତି ଲାଭ କରିଛି। ହେଲେ ଏହା ଏଯାଏ ମାର୍କେଟକୁ ଆସିନି। ତେଣୁ ବର୍ତ୍ତମାନ ପିଲାମାନେ କୋଭାକ୍ସିନ ପାଇଁ ହିଁ ପଞ୍ଜୀକରଣ କରିବାର ସୁବିଧା ପାଇପାରନ୍ତି। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ପ୍ରାୟ ୬ରୁ ୭ କୋଟି ପିଲା ରହିଛନ୍ତି। ସେମାନଙ୍କ ଟିକାକରଣ ଯଥାଶୀଘ୍ର ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ, ୨୦୨୨ ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବୟସବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହାଛଡ଼ା, ସ୍ବାସ୍ଥ୍ୟସେବା ଏବଂ କୋଭିଡ୍ ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା କର୍ମୀମାନଙ୍କୁ ମଧ୍ୟ ବୁଷ୍ଟର୍ ଡୋଜ୍ ଦିଆଯିବ। ସେହିପରି, ଏକାଧିକ ରୋଗଗ୍ରସ୍ତ ୬୦ରୁ ଅଧିକ ବୟସ୍କ ଲୋକେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୨୦୨୨ ଜାନୁଆରି ୧୦ ତାରିଖ ଠାରୁ ବୁଷ୍ଟର୍ଡୋଜ୍ ନେଇ ପାରିବେ।ଦେଶବ୍ୟାପୀ ଡାକ୍ତରମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ।
ଶିଶୁଙ୍କ ଟୀକାକରଣ ପାଇଁ ଜାନୁଆରୀ ୧ ରୁ ଆରମ୍ଭ ହେବ ପଞ୍ଜିକରଣ ପ୍ରକ୍ରିୟା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

