ଭୁବନେଶ୍ବର/ଜଟଣୀ: (ଲୋପାମୁଦ୍ରା ପ୍ରଧାନ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ସମଗ୍ର ଓଡ଼ିଶାରେ ଉତ୍ସବ ଓ ଆଧ୍ୟାତ୍ମିକତାର ମାହୋଲ ଥିବା ବେଳେ, ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଅପୂର୍ବ ତୀର୍ଥକ୍ଷେତ୍ର 'ଲବଣଗିରି'ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରୁ ମାତ୍ର ୧୧ କିଲୋମିଟର ଏବଂ ଭୁବନେଶ୍ବରରୁ ୧୯ କିଲୋମିଟର ଦୂରରେ ୫୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଏହି ଲବଣଗିରି ଶ୍ରୀଜଗନ୍ନାଥ ମନ୍ଦିର ।
ସାଧାରଣ ଲୋକଙ୍କ ମଧ୍ୟରେ ଏହି ପୀଠ ବିଷୟରେ ଅଧିକ ସଚେତନତା ନଥିଲେ ସୁଦ୍ଧା, ମନ୍ଦିରର ସେବାୟତଙ୍କ ମତରେ ଏହି ସ୍ଥାନର ଆଧ୍ୟାତ୍ମିକ ଗୁରୁତ୍ୱ ପୁରୀ ଶ୍ରୀମନ୍ଦିର ସହିତ ସମାନ। ଶୈବ ଓ ବୈଷ୍ଣବ ଧର୍ମର ଏକ ଅପୂର୍ବ ମିଳନସ୍ଥଳୀ ହେଉଛି ଏହି ପୀଠ ।
ମନ୍ଦିରର ବିଶେଷତ୍ବ ଓ ଅପୂର୍ବ ପ୍ରତିମା : ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ପୂଜା ପାଉଥିବା ବିଗ୍ରହ । ଚତୁର୍ଦ୍ଧାମୂତ୍ତ (ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା)ଙ୍କୁ ସ୍ଥାନୀୟ ଆଖପାଖ ଗାଁରୁ ଅଣାଯାଇଥୁବା ପବିତ୍ର କାଠରେ ନିର୍ମାଣ କରାଯାଇଛି।
ଅନ୍ୟପକ୍ଷରେ, ମାଆ ଲକ୍ଷ୍ମୀ, ମାଆ ବିମଳା ଏବଂ ପ୍ରଭୁ ହନୁମାନଙ୍କ ମୂତ୍ତ ମୟୂରଭଞ୍ଜର ଖିଚିଂରୁ ଅଣାଯାଇଥିବା ସୁନ୍ଦର କଳା ମୁଗୁନି ପଥରରେ ନିର୍ମିତ ହୋଇଛି।
ଲବଣଗିରିରେ ସଂକ୍ରାନ୍ତିର ବିଶେଷ ରୀତିନୀତି: ଓଡ଼ିଆ ନବବର୍ଷ ଅବସରରେ ଲବଣଗିରି ମନ୍ଦିରରେ ଆଜି ସ୍ବତନ୍ତ୍ର ନୀତିକାନ୍ତି କରାଯାଇଥିଲା। ଗ୍ରୀଷ୍ମ ପ୍ରବାହରୁ ଉପଶମ ଦେବା ପାଇଁ ଆଜିଠାରୁ ମହାପ୍ରଭୁଙ୍କର 'ଚନ୍ଦନ ଯାତ୍ରା' ଆରମ୍ଭ ହୋଇଛି। ପ୍ରଭୁଙ୍କର 'ସର୍ବାଙ୍ଗ' ନୀତି କରାଯିବା ସହ ଶ୍ରୀଅଙ୍ଗରେ ଶୀତଳ ଚନ୍ଦନ ଲାଗି କରାଯାଇଥିଲା ଏବଂ ନୂଆ ବସ୍ତ୍ର ପରିଧାନ କରାଯାଇଥିଲା।
ପ୍ରଚଣ୍ଡ ଖରାରୁ ତ୍ରାହି ପାଇବା ପାଇଁ ଦିଅଁଙ୍କ ପାଖରେ ପାରମ୍ପରିକ 'ବେଲ ପଣା' (ବେଲ, ଗୁଡ଼, ନଡ଼ିଆ, ଦହି ଏବଂ ଗୋଲମରିଚ ଆଦି ମିଶ୍ରିତ) ଭୋଗ ଲାଗି କରାଯାଇଥିଲା I ଏହା ସହିତ ମନ୍ଦିର ପରିସରରେ ଥିବା ପବିତ୍ର ତୁଳସୀ ଚଉରା ମୂଳରେ 'ବସୁନ୍ଧରା ଠେକି' ସ୍ଥାପନ କରାଯାଇଛି, ଯେଉଁଥୁରୁ ଟୋପା ଟୋପା ଜଳ ପଡ଼ି ତୁଳସୀ ଗଛକୁ ସଞ୍ଜିବନୀ ପ୍ରଦାନ କରିବ। ଆଗାମୀ ବର୍ଷର ପର୍ବପର୍ବାଣୀ ଏବଂ ଶୁଭ ସମୟ ନିର୍ଦ୍ଧାରଣ କରିବା ପାଇଁ ମହାପ୍ରଭୁଙ୍କ ସମ୍ମୁଖରେ 'ନୂତନ ପାଞ୍ଜି ପଠନ ମଧ୍ୟ କରାଯାଇଥିଲା।
ରାଜଧାନୀ ନିକଟରେ ଥିବା ଏହି ଗୁପ୍ତ ଆଧ୍ୟାତ୍ମିକ ପୀଠ ଲବଣଗିରି, ନିଜର ଶାନ୍ତ ପରିବେଶ ଓ ନିଷ୍ଠାପର ପୂଜାବିଧୂ ପାଇଁ ଆଗାମୀ ଦିନରେ ରାଜ୍ୟର ଅଗଣିତ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ପାଲଟିବାର ଯଥେଷ୍ଟ ସମ୍ଭାବନା ରଖୁଛି।