ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ଣ ୪ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ଏଥିରେ ଛାତ୍ରଙ୍କ ପାସ୍ ହାର ୭୭.୮୮ ପ୍ରତିଶତ ଥିବା ବେଳେ ୮୭.୨୪ ପ୍ରତିଶତରେ ଛାତ୍ରୀ ଆଗୁଆ ରହିଛନ୍ତି । ସେହିପରି ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ, କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୩.୨ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in ୱେବସାଇଟରେ ଜାଣିପାରିବେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡ ଚଳିତ ବର୍ଷର ପରୀକ୍ଷା ଫଳ ସମ୍ପର୍କରେ ଖୁସି ବ୍ୟକ୍ତ କରିବା ସହ ପିଲାମାନଙ୍କର ସଫଳ ଭବିଷ୍ୟତର କାମନା କରିଛନ୍ତି । ଚଳିତ ବର୍ଷ ଉତ୍କୃଷ୍ଟ ପରୀକ୍ଷା ଫଳ ହୋଇଥିବା ସେ ମଧ୍ୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ମୃଣାଳକାନ୍ତି ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର, ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶ୍ରୀମତୀ ଶୁଭ୍ରାବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ଼ ପ୍ରଶାନ୍ତ କୁମାର ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ବର୍ଗରେ ମୋଟ୍ ୩ ଲକ୍ଷ ୮୨ ହଜାର ୭୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ୧ ଲକ୍ଷ ୪୨ ହଜାର ୫୧୨ ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଜଣ ଛାତ୍ରୀ ପାସ୍ ହୋଇଛନ୍ତି । ସେହିପରି ପ୍ରଥମ ଶ୍ରେଣୀରେ ୧ ଲକ୍ଷ ୧ ହଜାର ୯୧୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୬୭ ହଜାର ୮୧୫ ଜଣ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୪୩ ହଜାର ୩୩୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେହିପରି ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୩ ହଜାର ୭୧୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ୧ ଲକ୍ଷ ୯୬ ହଜାର ୧୭୧ ଜଣ ପିଲା ଥିବା ବେଳେ ବିଜ୍ଞାନରେ ୯୯ ହଜାର ୭୨୪ , ବାଣିଜ୍ୟରେ ୨୦ ହଜାର ୮୯୨ ଓ ଧନ୍ଦାମୂଳକ ଶିକ୍ଷାରେ ୩ ହଜାର ୩୭୫ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ବରଗଡ଼ ଜିଲ୍ଲା ୮୭.୬୦ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୬୮.୧୩ ପ୍ରତିଶତ ରହିଛି । ବିଜ୍ଞାନରେ ନୟାଗଡ଼ ଜିଲ୍ଲା ୯୭.୫୮ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୭୧.୮୫ ପ୍ରତିଶତ ରହିଛି । ବାଣିଜ୍ୟରେ ନୟାଗଡ଼ ଜିଲ୍ଲା ୯୩.୭୧ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବନିମ୍ନ ୬୯.୧୯ ପ୍ରତିଶତ ଉତ୍ତୀର୍ଣ୍ଣ ହାର ରହିଛି । ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ବର ଜିଲ୍ଲା ୮୩.୮୩ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍ବନିମ୍ନ ରହିଛି । ସୂଚନାନୁସାରେ, ପରୀକ୍ଷା ଫଳ, ମାର୍କସିଟ୍ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ଦ୍ବନ୍ଦ୍ବ ଉପୁଜିଲେ ସହାୟତା ନମ୍ବର ୦୬୭୪-୨୩୦୦୯୦୭ ରେ ଛାତ୍ରଛାତ୍ରୀ ସମ୍ପର୍କ କରିପାରିବେ । ତେବେ ଖାତା ରିଚେକିଂ ପାଇଁ ଆସନ୍ତା ୭ ଦିନ ମଧ୍ୟରେ ତାରିଖ ଘୋଷଣା କରାଯିବ । https://results.odisha.gov.in ଏବଂ https://results.digilocker.gov.in ୱେବସାଇଟ୍ ମାଧ୍ୟମରେ ରୋଲ୍ ନମ୍ବର ଓ ପଞ୍ଜୀକରଣ ନମ୍ବର ଦେଇ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ।
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୮୨.୭୭ ପ୍ରତିଶତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s