ଜଟଣୀ:୨୯:୫(ଶୁଭେନ୍ଦ୍ର ଶତପଥୀ)ଅରଗୁଳ ସ୍ଥିତ ଆଇଆଇଟିରେ ଆୟୋଜିତ'ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା'ଉପରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଉଦ୍ଘାଟନ କରିଛନ୍ତି l ଏହି ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ,ବେସରକାରୀ ଏବଂ ସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ଋତୁସ୍ରାବ ସୁଗମତାରେ ଏକ ପଦକ୍ଷେପର ପ୍ରତୀକ। 'ଋତୁସ୍ରାବ ଏକ ପ୍ରାକୃତିକ ଜୈବିକ ପ୍ରକ୍ରିୟା। ଯାହା ପିଢ଼ି ପରେ ପିଢ଼ି ମହିଳାଙ୍କୁ ନୀରବରେ କଷ୍ଟ ଭୋଗିବାକୁ ବାଧ୍ୟ କରୁଛି। ଏହି ନୀରବତା ଭାଙ୍ଗିବା ସମୟ ଆସିଛି ଏବଂ ଏହି କନକ୍ଲେଭ ଭଳି ପଦକ୍ଷେପ ପରିବର୍ତ୍ତନକୁ ଆଗେଇ ନେବାର ପ୍ରମୁଖ କାରଣ। ମହିଳା ଏବଂ ଝିଅମାନଙ୍କୁ ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାର ଅଧିକାର ଦାବି କରିବା ପାଇଁ ସୂଚନା ଏବଂ ସଶକ୍ତ କରାଯିବା ଉଚିତ୍। ଯେଉଁଦିନ ସାନିଟାରି ନାପକିନ୍ ପରିବାରର ମାସିକ ତାଲିକାର ଅଂଶ ହେବ କିମ୍ବା ଭାଇର ତାଙ୍କ ଭଉଣୀକୁ ଉପହାର ହେବ, ଆମେ ମହିଳା ସଶକ୍ତିକରଣରେ ପ୍ରକୃତ ପ୍ରଗତି ଦେଖିବୁ। ପୁରୁଷମାନଙ୍କୁ ମଧ୍ୟ ଏହି କଳଙ୍କ ଭାଙ୍ଗିବାରେ ସାହାଯ୍ୟ କରିବା ପାଇଁ ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଉପରେ ଶିକ୍ଷିତ କରାଯିବା ଉଚିତ୍ ବୋଲି କହିଛନ୍ତି। କାର୍ଯ୍ୟକ୍ରମଟି 'ପ୍ରୋଜେକ୍ଟ ପିରିୟଡ୍: ପରିମଳ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ଏବଂ ପରିବେଶ (ଏସଏଚଇ)' ପଦକ୍ଷେପ ଅଧୀନରେ ଆଇଆଇଟି ଗବେଷଣା ଏବଂ ଉଦ୍ୟୋମିତା ପାର୍କ ଦ୍ୱାରା ୟୁନିସେଫ୍, ସୌଖ୍ୟମ୍ ଫାଉଣ୍ଡେସନ୍, ଆକ୍ସନ୍ ଲ୍ୟାବ୍ ୨୦୫୦ ଫାଉଣ୍ଡେସନ୍ ଓ ଓଡ଼ିଶା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଆଲାଏନ୍ସର ସହଯୋଗରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଶ୍ରୀମତୀ ପରିଡ଼ା କାନାରା ବ୍ୟାଙ୍କ ଦ୍ୱାରା ଦାନ କରାଯାଇଥିବା ଦୁଇଟି ସାନିଟାରି ନାପକିନ୍ ଭେଣ୍ଡିଂ ମେସିନ୍ କୁ ଉନ୍ମୋଚନ କରିଥିଲେ। ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମାଲକର କହିଛନ୍ତି ଯେ, ଏହି କନକ୍ଲେଭ ଏକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ପ୍ରାୟତଃ ଅଣଦେଖା କରାଯାଇଥିବା ପ୍ରସଙ୍ଗକୁ ଉଜ୍ଜ୍ୱଳ କରୁଛି। ଯାହା ଶିକ୍ଷା, ସମାନତା ଏବଂ ଜନସ୍ୱାସ୍ଥ୍ୟ ସହିତ ଜଡ଼ିତ। ଋତୁସ୍ରାବ ସ୍ୱାସ୍ଥ୍ୟ କେବଳ ମହିଳାଙ୍କ ସମସ୍ୟା ନୁହେଁ। ଏହା ଏକ ସାମାଜିକ ଜରୁରୀ ବୋଲି କହିଛନ୍ତି। ଆଇଆଇଟିର ଗବେଷଣା ଏବଂ ଉଦ୍ୟୋଗୀତା ପାର୍କର ସ୍ୱାଧୀନ ନିର୍ଦ୍ଦେଶକ ସୀମା ବାହିନୀପତି ସ୍ୱାଗତ ଅଭିଭାଷଣ ଦେବା ସହ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ଏବଂ ଗବେଷଣା ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠାନର ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ। ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଇଏସଜି (ପରିବେଶ, ସାମାଜିକ ଏବଂ ପ୍ରଶାସନ) ବିଭାଗୀୟ ଉପ-ମହାପ୍ରବନ୍ଧକ ହର୍ଷା ଭରଦା ଓ ୟୁନିସେଫ୍ ଓଡ଼ିଶାର କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ୱିଲିଆନ୍ ହାନଲନ୍ ଜୁନିଅର ଯୋଗଦେଇ ଋତୁସ୍ରାବ ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟିର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟ, ନେକ୍ସସ୍ ସିଲେକ୍ଟ ମଲର ମହାପ୍ରବନ୍ଧକ (ଇଏସଜି) ନିଲେଶ ସିଂହ, ସୌଖ୍ୟମ୍ ଫାଉଣ୍ଡେସନ୍ ର ପ୍ରଫେସର ପ୍ରବୀଣ ବିଷ୍ଟ, ୟୁନିସେଫ୍ ର ସୁଶ୍ରୀ କରିନା ମାଲ୍କଜେୱସ୍କା, ସୁଶ୍ରୀ ପ୍ରତିଭା ସିଂହ, ସୁଶ୍ରୀ ଶିପ୍ରା ସକ୍ସେନା, ସୁଶ୍ରୀ ଆସ୍ଥା ଆଲଙ୍ଗ ଯୋଗଦେଇଥିଲେ। ଏଥିସହ ୱାଟରଏଡ୍ ଇଣ୍ଡିଆ, ଏମ୍ସ ଭୁବନେଶ୍ୱର, ପ୍ୟାଡକେୟାର ଲ୍ୟାବ୍ସ ଏବଂ କ୍ରେସା ପ୍ୟାଡ୍ସ ଭଳି ସାମାଜିକ ଉଦ୍ୟୋଗର ବିଶେଷଜ୍ଞମାନେ ଆଲୋଚନାରେ ଯୋଗଦାନ ଦେଇଥିଲେ। ଉଦ୍ଘାଟନୀ ଅଧିବେଶନରେ ଆକ୍ସନଲ୍ୟାବ୍ -୨୦୫୦ର ପ୍ରତିଷ୍ଠାତା ସୃଷ୍ଟିଜିତ ମିଶ୍ର ଧନ୍ୟବାଦ ଦେଇଥିଲେ। କନକ୍ଲେଭରେ ୱିଇ ଫର୍ ୟୁ ଟ୍ରଷ୍ଟ ଦ୍ୱାରା ପ୍ରୋଜେକ୍ଟ 'ଅସ୍ମିତା' ର ଶୁଭାରମ୍ଭ ମଧ୍ୟ କରାଯାଇଥିଲା। ଏଥିରେ ଆଇଆଇଟିର ଗବେଷଣା ଏବଂ ଉଦ୍ୟୋଗୀତା ପାର୍କର ସିଇଓ ଶୁଭଙ୍କର ପତି ଏବଂ ଏସଟିପିଆଇର ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ ପ୍ରୋଜେକ୍ଟ "ପିରିୟଡ଼" ଅନ୍ତର୍ଗତ ହାକାଥନ୍ ର ଥିମ୍ ଘୋଷଣା କରିଥିଲେ। ଶେଷରେ ଶ୍ରୀ ପତି ଧନ୍ୟବାଦ ଦେଇଥିଲେ।
ଆଇଆଇଟିରେ ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ଉପରେ ସମ୍ମିଳନୀ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s