ରାଜ୍ୟ ସ୍ତରୀୟ ଆଦିବାସୀ ଖାଦ୍ୟ ମେଳାରେ ଆଦିବାସୀ ଖାଦ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଲିଭିଙ୍ଗ ଫାର୍ମସ ସ୍ଵେଚ୍ଛାସେବୀ ଅନୁଷ୍ଠାନ, କମଳା ନେହେରୁ ଓମେନ୍ସ କଲେଜର ଡିପାର୍ଟମେଣ୍ଟ ଅଫ ହୋମ୍ ସାଇନ୍ସ ଓ ନ୍ୟାସନାଲ କୋଲିସନ୍ ଫର୍ ନ୍ୟାଚୁରାଲ ଫାର୍ମିଙ୍ଗର ମିଳିତ ଆନୁକୁଲ୍ୟରେ ଗତ ୧୬ ତାରିଖରୁ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ଖାଦ୍ୟ ମେଳା ଆଜି ୧୮ ତାରିଖରେ ଉଦଯାପିତ ହୋଇଛି। ରାଜଧାନୀର ଏକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି ଖାଦ୍ୟ ମେଳାରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରୁ କନ୍ଧ, ଡଙ୍ଗରିଆ କନ୍ଧ, ଶବର, ଲାଞ୍ଜିଆ ସଉରା, ସାନ୍ତାଳ, ଗଣ୍ଡ, ପରଜା, ଜୁଆଙ୍ଗ, ମୁଣ୍ଡା, ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଆଦିବାସୀମାନେ ସେମାନଙ୍କର ପାରମ୍ପରିକ ଚାଷ ଓ ଅଣଚାଷ ଖାଦ୍ୟ ସହିତ ଯୋଗ ଦେଇଥିଲେ। ଖଦ୍ୟମେଳାରେ ଆଦିବାସୀମାନେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ପ୍ରକାରର ଖାଦ୍ୟ ପ୍ରଦର୍ଶନ କରିଥିଲେ। ଆଦିବାସୀ ମହିଳା ଓ ପୁରୁଷଙ୍କ ସହିତ ବୈଜ୍ଞାନିକ, ଶିକ୍ଷାବିତ୍, ଗବେଷକ, ଖାଦ୍ୟ ନୀତି ବିଶେଷଜ୍ଞ, ଛାତ୍ର ଛାତ୍ରୀ ଆଦି ଯୋଗ ଦେଇ ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ପରିବେଶ ବୈଜ୍ଞାନିକ ଓ ବିଶିଷ୍ଟ ବିହନ ସଂରକ୍ଷକ ଡ.ଦେବଲ୍ ଦେବ, କଲେଜ୍ ପ୍ରିନ୍ସିପାଲ ବିବାସିନି ରଥ, ହୋମ୍ ସାଇନ୍ସ ଡିପାର୍ଟମେଣ୍ଟ ମୁଖ୍ୟ ଡ଼. ମଧୁସ୍ମିତା ଦାସ ଓ କନ୍ଧ ଆଦିବାସୀ ତୁବୁଲି ମା ଚାରାରେ ପାଣି ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ମହନୀୟତାକୁ ବାଖାନିବାକୁ ଯାଇ ଆଦିବାସୀମାନେ କହିଥିଲେ ଯେ, ଆଦିବାସୀ ଖାଦ୍ୟ ବ୍ୟବସ୍ଥା କେବଳ ପେଟ ଭରିବା କାମ କରିନଥାଏ, ଆଦିବାସୀ ଖାଦ୍ୟ ବ୍ୟବସ୍ଥା ସମଗ୍ର ଜୀବନ, ସଂସ୍କୃତି, ସମ୍ପର୍କ ଓ ପରିବେଶ ସହିତ ଜଡିତ। ଡ. ଦେବଲ ଦେବ ତାଙ୍କ ଅଭିଭାଷଣରେ କହିଲେ ଯେ, ଆଜିର ସମୟରେ ଆଦିବାସୀ ଜୀବନ ଶୈଳୀ ହିଁ ମାନବ ସଭ୍ୟତାର ଶେଷ ଆଶା। ଯେଉଁଠି ଆଦିବାସୀ ଅଛନ୍ତି ସେଠୀ ବହୁତ୍ ପ୍ରକାର ସମ୍ବଳ ଅଛି। ଆଦିବାସୀଙ୍କ ପାଖରେ ହିଁ ଅସଲ ବୈଜ୍ଞାନିକ ଭାବନାର ଜ୍ଞାନ ଅଛି। ସେ ଜ୍ଞାନକୁ ସ୍ଵୀକୃତି ଦେବାର ଆବଶ୍ୟକତା ରହିଛି। ସେ କହିଲେ ଯେ, ଆଦିବାସୀଙ୍କ ପୋଡୁ ଚାଷ ସମ୍ପୂର୍ଣ୍ଣ ବିଜ୍ଞାନ ସମ୍ମତ। କିନ୍ତୁ ବର୍ତ୍ତମାନର ପୋଡୁ ଚାଷର ଅଭ୍ୟାସ ବଦଳି ଯାଇଥିବାରୁ ତାହା ଘାତକ ସାବ୍ୟସ୍ତ ହେଉଛି। ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ସଂରକ୍ଷଣ ହେଲେ ହିଁ ପରିବେଶ ଓ ପ୍ରକୃତି ସୁରକ୍ଷା ହେବା ସହିତ ବିବିଧତାର ସଂରକ୍ଷଣ ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ଶୈଳେଶ ଅୱେଟେ, ସଲୋମି ୟେଶୁଦାସ, କୈଳାଶ ଦଣ୍ଡପାଟ, ଡ. ଶ୍ରୀଚରଣ ବେହେରା, ପ୍ରଫେସର କୁମାରଜୀବ ପେଗୁ, ପ୍ରଫେସର ବିଜୟ ଭାସ୍କର, ହରିଶଙ୍କର ରାଉତ, ସମିତ୍ ପଣ୍ଡା, ମହମ୍ମଦ ଇମ୍ରାନ୍ ଅଲ୍ଲୀ, ସାବରମତୀ, ଅଂଶୁମାନ ଦାସ, ହେମନ୍ତ, ଆଦି ଆଦିବାସୀ ଖାଦ୍ୟ ବ୍ୟବସ୍ଥା ଓ ତତ୍ ସମ୍ବନ୍ଧୀୟ ଆଇନ କାନୁନ, ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ଅର୍ଥନୀତି, ପୁଷ୍ଟି ସୁରକ୍ଷା, ସାଂସ୍କୃତିକ ସମ୍ପର୍କ, ମହିଳା ଓ ବିହନ ଆଦି ବିଷୟରେ ଆଲୋଚନା କରିଥିଲେ। ଆଦିବାସୀ ଖାଦ୍ୟ ବ୍ୟବସ୍ଥାକୁ ସଂରକ୍ଷିତ କରି ରଖିବା ପାଇଁ ଏହି ଖାଦ୍ୟ ମେଳାରେ ମତ ପ୍ରକାଶ ପାଇଥିଲା ଓ ସେଥିପାଇଁ ଆଦିବାସୀମାନେ ଦାୟିତ୍ଵର ସହ ପ୍ରୟାସ କରିବେ ବୋଲି ସହମତ ହୋଇଥିଲେ। ପ୍ରତିଦିନ ଶତାଧିକ ଛାତ୍ରୀ ଖାଦ୍ୟ ମେଳା ବୁଲି ଆଦିବାସୀ ଖାଦ୍ୟ ବିଷୟରେ ବୁଝିଥିଲେ। ଶେଷରେ ଡ.ମଧୁସ୍ମିତା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଲିଭିଙ୍ଗ ଫାର୍ମସ ଦ୍ଵାରା ଆୟୋଜିତ ହୋଇଥିବା ଏହି ଖାଦ୍ୟ ମେଳାରେ ସ୍ଵାତୀ, ପ୍ରଦାନ, ୱାସନ୍, ପଲ୍ଲୀ ବିକାଶ, ନିର୍ମାଣ, ଫରୱାର୍ଡ, ଦାପ୍ତା, ଏଫ୍.ଇ.ଏସ, ଜୀତା ଆଦି ସଂଗଠନ ଯୋଗ ଦେଇଥିବା ବେଳେ ମଞ୍ଜୁଲତା ଜୁଆଙ୍ଗ, ଦୁଣ୍ଡି ମାଝୀ, କୁଣ୍ଡୁଡ଼ି ମାଣ୍ଡିକା, କମଳା ମାଝି, ସରିତା ପ୍ରଧାନ, ରାମେଶ୍ବର ଚିନ୍ଦା, ସାବିତ୍ରୀ ପାଙ୍ଗି, ଭକ୍ତରାମ୍ ଗୋଲୋରି, ଶିବୁ ସୋରେନ, ମନ୍ଦାକିନୀ ନାୟକ ଓ ଜଗନ୍ନାଥ ମାଝୀ ଆଦି ଆଦିବାସୀଙ୍କ ନେତୃତ୍ୱ ନେଇଥିଲେ। ଲିଭିଙ୍ଗ ଫାର୍ମସ ତରଫରୁ ବିଚିତ୍ର ବିଶ୍ଵାଳ, ଅନିଲ ଲିମା, ଜଗନ୍ନାଥ ସେଠୀ, କୃଷ୍ଣ କହଁର, ରମାକାନ୍ତ ଜେନା, ବିଶ୍ବରଂଜନ ଜେନା ଓ ଜିତେନ୍ଦ୍ର ପଟ୍ଟନାୟକ ଆଦି ଖଦ୍ୟମେଲାର ପରିଚାଳନା କରିଥିଲେ।

powered by social2s