ଅନୁଗୋଳ: ଅନୁଗୋଳ ଜିଲ୍ଲା ଅଧିନସ୍ଥ କୋଠଭୂଇଁ ପଞ୍ଚାୟତର ଲୋଇମୁଣ୍ଡା ଗାଁ ପ୍ରଥମ ଦିନରେ ଉତ୍ତରପ୍ରଦେଶକୁ ୧୫ ଟନ୍ କନ୍ଦମୂଳ ରପ୍ତାନି କରି ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିଛି | ସୂଚନା ଅନୁଯାୟୀ, ଅନୁଗୋଳ ବ୍ଲକର କୋଠଭୂଇଁ, ଅନ୍ତୁଳିଆ,ଟାଇଁସି ଆଦି ପଞ୍ଚାୟତର ବିଭିନ୍ନ ଗାଁରେ ବାର୍ଷିକ ପ୍ରାୟ ୪୫ ହଜାର ଟନ୍ କନ୍ଦମୂଳ ଉତ୍ପାଦନ ହୋଇଥାଏ। ଏହି ଅଞ୍ଚଳର ପ୍ରାୟ ୧୦୦୦ରୁ ଉର୍ଧ୍ଵ ପରିବାର ୧୮୦୦ ରୁ ୨୦୦୦ ଏକର ଜମିରେ କନ୍ଦମୂଳ ଚାଷ କରିଥାନ୍ତି। ଏଠାରେ ଉତ୍ପାଦିତ କନ୍ଦମୂଳ ଉନ୍ନତ ମାନର ହୋଇଥିବାରୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ରପ୍ତାନି ହୋଇଥାଏ | କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO 2.0 ପ୍ରକଳ୍ପର ମିଳିତ ସମନ୍ୱୟରେ NABARD ସହାୟତାରେ ପରିଚାଳିତ ପାଲଲହଡ଼ା କୃଷକ ଉତ୍ପାଦକ ସଂଗଠନ ଓ ଚାରମଲିକ କୃଷକ ଉତ୍ପାଦକ ସଂଗଠନ ପ୍ରଥମ ଦିନରେ ୧୫ ଟନ୍ କନ୍ଦମୂଳ ଉତ୍ତରପ୍ରଦେଶକୁ ରପ୍ତାନି କରିବା ଚାଷୀଙ୍କ ଉତ୍ସାହକୁ ବହୁଗୁଣିତ କରିଛି | ଚଳିତ ବର୍ଷ ୩୦୦ ଟନ୍ କନ୍ଦମୂଳ ରପ୍ତାନି କରାଯିବାର ଲକ୍ଷ୍ୟ ଥିବା ପ୍ରକାଶ କରିଛନ୍ତି ପାଲାଡିୟମ ଆଗ୍ରୋ ମାର୍କେଟିଂ ଏକ୍ସପର୍ଟ ଶ୍ରୀ ଅଜିତ କୁମାର ମହନ୍ତ। ସେମାନଙ୍କୁ ଉନ୍ନତ ମାନର କନ୍ଦମୂଳ ଉତ୍ପାଦନ ପାଇଁ ଅନୁଗୋଳ କୃଷି ବିଜ୍ଞାନକେନ୍ଦ୍ର ପକ୍ଷରୁ ବୈଜ୍ଞାନିକ ପଦ୍ଧତିରେ ତାଲିମ, ମାଟି ପରୀକ୍ଷଣ, ନୂଆ କିସମର ବ୍ରିଡ ବାହାର କରିବା, ବାରମ୍ବାର କ୍ଷେତ୍ର ପରିଦର୍ଶନ, ଟ୍ରେନିଂ, ମିଟିଂ, କନଭରଜେନ୍ସ ଓ ମାର୍କେଟିଂ ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରାଯାଇଥାଏ ବୋଲି କୃଷି ସମ୍ପ୍ରସାରଣ ବିଭାଗର ବୈଜ୍ଞାନିକ ସୋନିତା ରାଣୀ ସେଠୀ ପ୍ରକାଶ କରିଛନ୍ତି। ଯାହା ସ୍ଥାନୀୟ ଚାଷୀ ଭାଇଭଉଣୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ | ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ ଉପରେ ଗୁରୁତ୍ୱ ଦେବା ସହ ମାର୍କେଟିଂ, ବୈଷୟିକ ସହାୟତା, ପ୍ୟାକେଜିଂ ଆଦି କ୍ଷେତ୍ରରେ ସହଯୋଗ ପ୍ରଦାନ କରାଯିବା ଯୋଗୁ ଏହି ସଫଳତା ସମ୍ଭବପର ହୋଇଥିବା ନେଇ ମତ ପ୍ରକାଶ କରିଛନ୍ତି ଉଭୟ କୃଷକ ଉତ୍ପାଦକ ସଂଗଠନର ପରିଚାଳନା ନିର୍ଦେଶକ ଶ୍ରୀ ଧର୍ମେନ୍ଦ୍ର ମହନ୍ତ ଓ ଶ୍ରୀ ସୁଶୀଲ ପ୍ରଧାନ | ଅନୁଗୋଳ ଜିଲ୍ଲାର କନ୍ଦମୂଳ ଉତ୍ତରପ୍ରଦେଶରେ ଆଦୃତ ହେବ ଏକ ଗର୍ବ ଓ ଗୌରବର ବିଷୟ ଏବଂ ଆଗାମୀ ଦିନରେ ଏ ସବୁ କୃଷିଜାତ ଦ୍ରବ୍ୟର ସରଂକ୍ଷଣ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ଏବଂ ଚାଷୀଙ୍କୁ ଆବଶ୍ୟକୀୟ ସବ୍ସିଡି ପ୍ରଦାନ ନିମନ୍ତେ ଉଦ୍ୟାନ କୃଷି ନିର୍ଦେଶାଳୟ ତରଫରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅନୁଗୋଳ ଜିଲ୍ଲାର ଉଦ୍ୟାନ କୃଷିର ଡେପୁଟି ଡାଇରେକ୍ଟର ଶ୍ରୀ ଅମ୍ବର ଲୁଗୁନ୍ |
ଅନୁଗୋଳର ଚାଷୀଙ୍କ ପାଇଁ ବଡ଼ ସଫଳତା: ପ୍ରଥମ ଦିନରେ ଉତ୍ତରପ୍ରଦେଶକୁ ୧୫ ଟନ୍ କନ୍ଦମୂଳ ରପ୍ତାନି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

