କୋରାପୁଟ ପିନ୍ଧିଛି ସୁନାର ଶାଢୀ, ଘୋଡାଇ ହୋଇଛି ରୂପାର ଚାଦର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ :ଶୀତ ଆସିଲେ ହସି ଉଠେ କୋରାପୁଟର ପାଣିି,ପବନ l କଥା କୁହେ ପାହାଡ଼, ପର୍ବତ ଏବଂ ହାତ ଠାରି ଡ଼ାକନ୍ତି ଅଳସୀ ଫୁଲ l ନଭେମ୍ବର ମାସ ଆସିଲେ ହସି ଉଠେ କୋରାପୁଟର ପାହାଡ଼, ପର୍ବତ, ଜଙ୍ଗଲ, ନଦୀ ନାଳ ଓ ରାସ୍ତାକଡ଼ l କେଉଁଠି କୁହୁଡି ରୂପାର ଚାଦର ଘୋଡାଇ ଦେଲା ଭଳି ଲାଗେ ତ ଆଉ କେଉଁଠି କ୍ଷେତରେ ଲହଡି ଭାଙ୍ଗୁଥିବା ଅଳସୀ ଫୁଲ ସୁନାର ଓଢଣୀ ବିଛାଇ ହୋଇ ପଡିଥିବାର ଅନୁଭୂତି ଆଣିଥାଏ l ସେପଟେ ହଳଦିଆ ରଙ୍ଗର ଫୁଲରେ ଭରିଯାଇଥିବା କ୍ଷେତରେ ଚାଲି ଦେଲେ ସେ ଫୁଲର ପରସରେ ପ୍ରେମିକାର ଉଡି ଯାଉଥିବା ସୁନାର ଓଢଣୀ ଛୁଇଁଦେଇ ଯିବାର ଅନୁଭୂତି ଆସେ କବିଙ୍କ ପ୍ରାଣରେ l ଏହି ସମୟରେ ଚାଲି ଆସନ୍ତି ବହୁ ପର୍ଯ୍ୟଟକ ଓ ଚଳଚିତ୍ର ନିର୍ମାତା l ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠିଥିବା ଫୁଲର ବାଡ଼ରେ ନାଚି ଉଠେ ଯୌବନ l ଦେଓମାଳିର ପାଦଦେଶରୁ କୋରାପୁଟ ଅଞ୍ଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ l ଚାଷୀ ତାର ପେଟ ପାଇଁ ଲଗାଇଥିବା ଅଳସୀ କ୍ଷେତ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ l ସକାଳ ସମୟରେ କୁହୁଡ଼ିର ଖେଳ ସାଙ୍ଗକୁ ଦିନ ତମାମ ଅଳସୀ ଫୁଲର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ l ଥରେ ଆସିଥିବା ଲୋକଟିଏ ବାରମ୍ବାର ଆସିବାର ଇଚ୍ଛା ପ୍ରକଟ କରିଥାଏ ବୋଲି ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମତ ପୋଷଣ କରିଅଛନ୍ତି l ଆଜି କୋରାପୁଟର ଚିନ୍ଦ୍ରି ଅଭିମୁଖେ ଫୁଟି ଉଠିଥିବା ଅଳସୀ ଫୁଲ ପର୍ଯ୍ୟଟକଙ୍କ ବେଶ୍ ମନ ମୋହିଥିବା ଦେଖା ଦେଇଅଛି l ସେପଟେ କୋରାପୁଟ ଆସିନଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ଆଣିବା ପାଇଁ ରାଜ୍ୟର ପର୍ଯ୍ୟଟନ ବିଭାଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି l

powered by social2s