ଭୁବନେଶ୍ୱର: ଡିସେମ୍ବର ମାସ ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍, ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଓଡ଼ିଶାରେ ଚତୁର୍ଥ ଥର ପାଇଁ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଆଜି କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟର ଆୟୋଜନ ସମ୍ବନ୍ଧରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଚଳିତ ବର୍ଷ ୨୨ଟି ଦେଶ - ଭାରତ, ଫିନଲ୍ୟାଣ୍ଡ, ହଙ୍ଗକଙ୍ଗ ଚାଇନା, ଶ୍ରୀଲଙ୍କା, ମ୍ୟାଲେସିଆ, ଇଜରେଲ, ଜାପାନ, ସ୍ପେନ୍, ଇଜିପ୍ଟ, ଇଣ୍ଡୋନେସିଆ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଥାଇଲାଣ୍ଡ, ବଲଗେରିଆ, ଚାଇନିଜ-ତାଇପେଇ, ୟୁଏଇ, ଉଗାଣ୍ଡା, ସାଉଦି ଆରବିଆ, ଭେନେଜୁଆଲା, ରସିଆ, ବାଙ୍ଗଲାଦେଶର କ୍ରୀଡ଼ାବିତ୍ମାନେ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କରିବେ। ୨୨ଟି ଦେଶରୁ ୪୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ପୁରୁଷ ସିଙ୍ଗଲସ୍ (Men's Singles), ମହିଳା ସିଙ୍ଗଲସ୍ (Women's Singles) ପୁରୁଷ ଡ଼ବଲସ୍ (Men's Doubles) ମହିଳା ଡ଼ବଲସ୍ (Women's Doubles) ଏବଂ ମିକ୍ସଡ଼ ଡ଼ବଲସ୍ (Mixed Doubles) କ୍ୟାଟାଗୋରୀରେ ଆୟୋଜିତ ହେବ। ବିଶ୍ୱର ଟପ୍ ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୋଲି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏଥିସହ ଡ଼ିସେମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୩୭ତମ ଜାତୀୟ ସବ ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍ର ଆୟୋଜନ କଳିଙ୍ଗ ଷ୍ଟାଡ଼ିୟମ ଠାରେ କରାଯିବ। ଅଣ୍ଡର-୧୫ ଓ ଅଣ୍ଡର-୧୭ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସାରା ଦେଶରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୭୫୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଅଣ୍ଡର-୧୫ ଓ ଅଣ୍ଡର-୧୭ ଟିମ୍ରେ ମୋଟ ୨୫ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ବିଗତ ଦିନରେ ଓଡ଼ିଶାରେ ୱାର୍ଲଡ଼ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ଏବଂ ଏସିଆନ ଟେବୁଲ ଟେନିସ ଚାମ୍ପିୟନସିପ ଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ସଫଳତାର ସହ କରାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସହ ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି। ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ର ସଭାପତି ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ଓଡ଼ିଶାରେ ଏହି ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବା ଆମ ପାଇଁ ଗର୍ବର ବିଷୟ। ଏହା ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରତିଭାମାନଙ୍କୁ ପ୍ରେରିତ କରିବ। ବିଭିନ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ବିଶ୍ୱକ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ମାଷ୍ଟର୍ସ ୨୦୨୫ ଟୁର୍ଣ୍ଣାମେଣ୍ଟ ଆୟୋଜନ ଏବଂ ବ୍ୟାଡ଼ମିଣ୍ଟନ ଖେଳର ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ ଏକ ପ୍ରଚାର ଭ୍ୟାନକୁ ପତାକା ଦେଖାଇ ମନ୍ତ୍ରୀ ଶ୍ରୀ ସୂରଜ ଏହାର ଶୁଭାରମ୍ଭ କରିଥିଲେ। ଏଥିସହ ଓଡ଼ିଶା ମାଷ୍ଟର୍ସ ୨୦୨୫ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ମାସ୍କଟ "ଓଲି" ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କ୍ରୀଡ଼ା ପ୍ରଶଂସକମାନଙ୍କୁ ଉତ୍ସାହିତ କରିଥିଲେ।
ଓଡ଼ିଶାରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

