କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ଦ୍ୱାରା ୧୦୦୦ କେଜି ସତେଜ ପନିପରିବା ଦୁବାଇକୁ ରପ୍ତାନି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର, ଓଡ଼ିଶା: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ୧,୦୦୦ କେଜି ସତେଜ ପନିପରିବା ରପ୍ତାନି କରିଛନ୍ତି। ରପ୍ତାନି କରାଯାଇଥିବା ପନିପରିବା ମଧ୍ୟରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି ରସୁଣ ଏବଂ ବିନ୍ସକୁ । ଏହା ବ୍ୟତୀତ କୃଷକ ଉତ୍ପାଦକ ସଂଗଠନ (FPO)ର ଚାଷୀଙ୍କ ନିକଟରୁ ସଂଗୃହିତ ଛୋଟ ଆଳୁ, କୁନ୍ଦୁରି, ପୋଟଳ ଏବଂ ଅମୃତଭଣ୍ଡା ମଧ୍ୟ ଏହି ରପ୍ତାନି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO 2.0 ପ୍ରକଳ୍ପର ମିଳିତ ସମନ୍ୱୟ ସହ APEDAର ସହଯୋଗରେ ଏହି ରପ୍ତାନି ସମ୍ଭବପର ହୋଇଛି । ଏହି ସୁସଂଗଠିତ ପ୍ରୟାସ ମାଧ୍ୟମରେ କୃଷି-ବ୍ୟବସାୟ ଷ୍ଟାର୍ଟଅପ୍ 'ଭିଲା ମାର୍ଟ ପ୍ରାଇଭେଟ୍ ଲିମିଟେଡ୍' (Villa Mart Pvt. Ltd.) ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକୁ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ପାଇଁ ସକ୍ଷମ କରାଯାଇଛି। ଏହି ସଫଳତାର ଏକ ପ୍ରମୁଖ କାରଣ ହେଉଛି ପାଲାଡିୟମ୍ ପକ୍ଷରୁ 'ଭିଲା ମାର୍ଟ'କୁ ଯୋଗାଇ ଦିଆଯାଇଥିବା ବୈଷୟିକ ସହାୟତା। ଏଥିରେ ଚାଷୀଙ୍କଠାରୁ ସାମଗ୍ରୀ ସଂଗ୍ରହ କରିବା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଆବଶ୍ୟକୀୟ ଲାଇସେନ୍ସ, ପ୍ରମାଣପତ୍ର ଏବଂ ନିୟାମକ ଅନୁପାଳନ ସମ୍ବନ୍ଧୀୟ ମାର୍ଗଦର୍ଶନ ଅନ୍ତର୍ଭୁକ୍ତ। ପାଲାଡିୟମ୍ ସମସ୍ତ କାଗଜପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରମାଣପତ୍ର ହାସଲ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସହଜ କରିଛି, ଯାହା ଦର୍ଶାଉଛି ଯେ ସଠିକ୍ ସହଯୋଗ ମିଳିଲେ କିପରି ଷ୍ଟାର୍ଟଅପ୍ ଗୁଡ଼ିକ ଓଡ଼ିଶାର କୃଷିଜାତ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇ ପାରିବେ। ଏହି ପଦକ୍ଷେପ ଚାଷୀଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ବିଶ୍ୱସ୍ତରୀୟ ରପ୍ତାନିକୁ ପ୍ରୋତ୍ସାହନ ଦେଇ ବେସରକାରୀ ସଂସ୍ଥାଗୁଡ଼ିକ ସହ ସୁସଂଗଠିତ ଭାବେ କାର୍ଯ୍ୟ କରି ଆମେ ଚାଷୀଙ୍କ ପାଇଁ ସ୍ଥାୟୀ ଆୟର ସୁଯୋଗ ସୃଷ୍ଟି କରୁଛୁ। ଏହା ଓଡ଼ିଶାକୁ ଆନ୍ତର୍ଜାତୀୟ କୃଷି ବଜାରରେ ନିଜର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ପାଲାଡିୟମ କନସଲଟିଂ ଇଣ୍ଡିଆ ପ୍ରା. ଲି.ର ଏଗ୍ରି ବିଜନେସ ଏକ୍ସପର୍ଟ ଶ୍ରୀ ସୌମ୍ୟ ରଞ୍ଜନ ସାହୁ କହିଛନ୍ତି | ଭିଲା ମାର୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ରମେଶ ଚନ୍ଦ୍ର ବିଶ୍ୱାଳ କହିଛନ୍ତି ଯେ ଏପର୍ଯ୍ୟନ୍ତ ଭିଲା ମାର୍ଟ କେବଳ ସ୍ଥାନୀୟ ବଜାର ଉପରେ ଧ୍ୟାନ ଦେଉଥିଲା, କିନ୍ତୁ ଦୁବାଇକୁ ଏହି ପରୀକ୍ଷାମୂଳକ ରପ୍ତାନି ତାଙ୍କ ପାଇଁ ବିଶ୍ୱ ବଜାରର ଦ୍ୱାର ଉନ୍ମୁକ୍ତ କରିଛି । ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବାରେ ପାଲାଡିୟମର ସହାୟତା ସହ WTC ଏବଂ APEDA ର ମାର୍ଗଦର୍ଶନ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପଦକ୍ଷେପ ଏଭଳି ସମୟରେ ନିଆଯାଇଛି ଯେତେବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନୂତନ 'କୃଷି ରପ୍ତାନି ନୀତି' ପ୍ରସ୍ତୁତ କରୁଛି । ଏହାର ଲକ୍ଷ୍ୟ ହେଉଛି ବିଶ୍ୱ ବଜାର ସହ ଓଡ଼ିଶାର ସଂଯୋଗକୁ ସୁଦୃଢ଼ କରିବା ଏବଂ "ବିକଶିତ ଓଡ଼ିଶା' ର ପରିକଳ୍ପନା ଅନୁଯାୟୀ ଚାଷୀଙ୍କ ଆୟ ବୃଦ୍ଧି କରିବା। ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଶ୍ରୀ କୁଞ୍ଜ ବିହାରୀ ମିଶ୍ର, ଭିଲା ମାର୍ଟର ସିଇଓ ଡ. ରମେଶ ଚନ୍ଦ୍ର ବିଶ୍ୱାଳ ଏବଂ ପାଲାଡିୟମ୍ ଇଣ୍ଡିଆର ସୌମ୍ୟ ରଞ୍ଜନ ସାହୁ ଏହି ସାମଗ୍ରୀ ପଠାଯିବା ସମୟରେ ଉପସ୍ଥିତ ରହି ଚାଷୀଙ୍କୁ ଉତ୍ସାହିତ କରିଥିଲେ।

powered by social2s