କଟକ: ସାଂପ୍ରତିକ ଯୁଗରେ ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରଚାର-ପ୍ରଚାର ଫଳରେ ସାହିତ୍ୟର ପାଠକ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଲେଖକ ଓ ପାଠକ ମଧ୍ୟରେ ବ୍ୟବଧାନ ବୃଦ୍ଧି ପାଇଛି । ତେଣୁ ପାଠକମାନଙ୍କୁ ସାହିତ୍ୟମନସ୍କ କରିବା ପାଇଁ ସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି । ଶୁକ୍ରବାର ସଂଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ‘କଲାବିଲା ସାଂସ୍କୃତିକ ପରିଷଦ’ ପକ୍ଷରୁ ଆୟୋଜିତ ସାରସ୍ୱତ ସମାରୋହର ଆଲୋଚନାଚକ୍ରରେ ‘ସାଂପ୍ରତିକ ସାହିତ୍ୟ ଓ ପାଠକ ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି । ଡକ୍ଟର ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଓ ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଏହି ଅବସରରେ ବ୍ରହ୍ମାନନ୍ଦ ବିଶ୍ୱାଳଙ୍କୁ ସାହିତ୍ୟ ସେବକ ସମ୍ମାନ, ଶକ୍ତିପ୍ରଦା ମିଶ୍ରଙ୍କୁ ବରିଷ୍ଠ ଲେଖିକା ସମ୍ମାନ, ଆପ୍ତକାମ ମିଶ୍ରଙ୍କୁ ଶ୍ରେଷ୍ଠ ପାଠକ ସମ୍ମାନ, ଡକ୍ଟର ଆଶିଷ କୁମାର ମହାନ୍ତିଙ୍କୁ ଲେଖା ସଂଶୋଧକ ସମ୍ମାନ ଓ ଡକ୍ଟର ରଞ୍ଜନ ସେଠୀଙ୍କୁ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ଡକ୍ଟର ଗୌରୀଶଙ୍କର ସାହୁ ସ୍ୱାଗତ ଭାଷଣ ଓ ଆଇନଜୀବୀ ସୌଭାଗ୍ୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତିରଞ୍ଜନ ପାଢ଼ୀ । ଅପରାହ୍ଣରେ ଅଧ୍ୟାପକ ତଥା କବି ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ଅକ୍ରୂର ବିଶ୍ୱାଳ ବରେଣ୍ୟ ଅତିଥି ଭାବରେ ଯୋଗଦାନ କରି କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ଡେଜି ରାଉତ କବିତା ସଂଯୋଜନା କରିଥିଲା ବେଳେ କବିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତାଞ୍ଜଳି ପୃଷ୍ଟି ଅତିଥି ପରିଚୟ ଓ ଚୈତନ୍ୟ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।
‘କଲାବିଲା ସାଂସ୍କୃତିକ ପରିଷଦ’ ପକ୍ଷରୁ ସାରସ୍ୱତ ସମାରୋହ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

