ଭୁବନେଶ୍ୱର: ଓଡ଼ିଶାର ନବରଙ୍ଗପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଚାଷୀମାନେ ଆଜି ୧୦୫୦ କି.ଗ୍ରା ସତେଜ ଆପଲ୍ ବେର, ଅଁଳା ଏବଂ ଅନ୍ୟାନ୍ୟ ପନିପରିବା ଯଥା ଲାଉ ଓ ପଣସ ଦୁବାଇକୁ ରପ୍ତାନି କରିଛନ୍ତି। ଏଥି ମଧ୍ୟରୁ ଆପଲ୍ ବେର ଏବଂ ଅଁଳା ପ୍ରଥମ ଥର ପାଇଁ ଦୁବାଇକୁ ରପ୍ତାନି କରାଯାଇଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଜରିଆରେ ଏହି ସାମଗ୍ରୀ ପଠାଯାଇଛି, ଯାହା ଅନ୍ତର୍ଜାତୀୟ ବଜାରରେ ନିଜ ଉପସ୍ଥିତ ଜାହିର କରିବା ପାଇଁ ଓଡ଼ିଶାର କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୃଢ଼ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO 2.0 ପ୍ରକଳ୍ପର ମିଳିତ ସମନ୍ୱୟରେ ଏହି ରପ୍ତାନି ସମ୍ଭବପର ହୋଇଛି । ଏହି ସୁସଂଗଠିତ ପ୍ରୟାସ ମାଧ୍ୟମରେ କୃଷି-ବ୍ୟବସାୟ ଷ୍ଟାର୍ଟଅପ୍ 'ଭିଲା ମାର୍ଟ ପ୍ରାଇଭେଟ୍ ଲିମିଟେଡ୍' (Villa Mart Pvt. Ltd.) ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକୁ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ପାଇଁ ସକ୍ଷମ କରାଯାଇଛି। ଏଥିସହ ପାଲାଡିୟମ୍ ଏହି ପ୍ରକ୍ରିୟାର ସୂଚାରୁ ରୂପାୟନ ପାଇଁ ଭିଲା ମାର୍ଟକୁ ବୈଷୟିକ ସହାୟତା ଯୋଗାଇ ଦେଇଛି। ସୂଚନାଯୋଗ୍ୟ ଯେ, ଅଁଳା ଏହାର ପ୍ରଚୁର ଭିଟାମିନ୍ ‘ସି’ ଏବଂ ସ୍ୱାସ୍ଥ୍ୟଗତ ଉପକାରିତା ପାଇଁ ବିଶ୍ୱବ୍ୟାପୀ ଆଦୃତ, ସେହିପରି ଆପଲ୍ ବେର ଏହାର ପୁଷ୍ଟିକର ଗୁଣ, ପ୍ରାକୃତିକ ମିଠା ଏବଂ ଅଧିକ ଦିନ ସତେଜ ରହିବା କ୍ଷମତା ପାଇଁ ଜଣାଶୁଣା। ଏହି ଉଦ୍ୟାନ କୃଷିଜାତ ଦ୍ରବ୍ୟର ରପ୍ତାନି ବିଶ୍ୱ ବଜାରରେ ସ୍ୱାସ୍ଥ୍ୟକର ଓ ପ୍ରାକୃତିକ ଖାଦ୍ୟର ଚାହିଦା ପୂରଣ କରିବା ସହ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପ୍ରଦାନ କରିବାରେ ସହାୟକ ହେବ। ଏହି ରପ୍ତାନି ପ୍ରକ୍ରିୟା ସମୟରେ ପି.କ୍ୟୁ.ଏମ୍.ଏସ୍ (PQMS) ପରିଦର୍ଶକ ଶ୍ରୀ କୁଞ୍ଜ ବିହାରୀ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଦେବାଶିଷ ମାର୍ଥା, ପାଲାଡିୟମ କନସଲଟିଂ ଇଣ୍ଡିଆ ପ୍ରା. ଲି.ର ଏଗ୍ରି ବିଜନେସ ଏକ୍ସପର୍ଟ ଶ୍ରୀ ସୌମ୍ୟ ରଞ୍ଜନ ସାହୁଙ୍କ ସହ 'ଭିଲା ମାର୍ଟ ପ୍ରାଇଭେଟ୍ ଲିମିଟେଡ୍'ର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ | ଏହି ଅବସରରେ ପି.କ୍ୟୁ.ଏମ୍.ଏସ୍ (PQMS) ପରିଦର୍ଶକ ଶ୍ରୀ ମିଶ୍ର କହିଛନ୍ତି ଯେ, "ଏହି ସଫଳତା ଓଡ଼ିଶାର କୃଷି-ରପ୍ତାନି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଭାଗ, କୃଷକ ଉତ୍ପାଦକ ସଂଗଠନ (FPO) ଏବଂ ବଜାର ସହଭାଗୀମାନଙ୍କ ମିଳିତ ପ୍ରୟାସର ପ୍ରତିଫଳନ। ଏଭଳି ପଦକ୍ଷେପ ରାଜ୍ୟର ଉଦ୍ୟାନ କୃଷିଜାତ ଦ୍ରବ୍ୟର ଅନ୍ତର୍ଜାତୀୟ ବଜାରରେ ଚାହିଦା ବୃଦ୍ଧି କରିବା ସହ ଚାଷୀଙ୍କ ଆୟ ବୃଦ୍ଧି ଏବଂ କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ "
ପ୍ରଥମ ଥର ପାଇଁ ଓଡ଼ିଶାରୁ ସତେଜ ଆପଲ୍ ବେର ଏବଂ ଅଁଳା ଦୁବାଇକୁ ରପ୍ତାନି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

