କଟକ : ପ୍ରଫେସର ଗଙ୍ଗାଧର ବଳ ସାରସ୍ୱତ ଗବେଷଣା ତଥା ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ । ବିଶେଷକରି ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟ-କବିତା ସମୀକ୍ଷା କରିବାରେ ତାଙ୍କର ବୌଦ୍ଧିକତା ଓ ସୂକ୍ଷ୍ମ ବିଚାରଶୀଳତା ଲକ୍ଷଣୀୟ । ଶନିବାର ସଂଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ପ୍ରଫେସର ଗଙ୍ଗାଧର ବଳ ସ୍ମୃତିସଂଧ୍ୟାରେ ମଞ୍ଚାସୀନ ବକ୍ତାମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଗଙ୍ଗାଧର ବଳଙ୍କ ପ୍ରଜ୍ଞାଶୀଳତା ଓ ସାଧନାର ପରାକାଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଶିଷ୍ଟ ଯୁବ ଗବେଷକ ଡକ୍ଟର ଅନୁପ ରଞ୍ଜନ ମାର୍ଥା ମୁଖ୍ୟବକ୍ତା ରୂପେ ଯୋଗଦେଇ ‘ରୀତି ସାହିତ୍ୟରେ ଭକ୍ତି ଚେତନା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟର ଏକନିଷ୍ଠ ଗବେଷକ ତପନ କୁମାର ଶତପଥୀଙ୍କୁ ମର୍ଯ୍ୟାଦାଜନକ ‘ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ପୁରସ୍କାର’ ସ୍ୱରୂପ ପାଞ୍ଚ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀଯୁକ୍ତ ଶତପଥୀ ଆମ ପୂର୍ବସୂରୀ ସାରସ୍ୱତ ସାଧକଙ୍କ କୃତି ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଉତ୍ସବରେ ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ ସ୍ୱାଗତ ଭାଷଣ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ମୀରା ବେଉରା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ମାନପତ୍ର ପାଠ କରିଥିଲେ ଗୀତାଞ୍ଜଳି ପୃଷ୍ଟି । କୋଷାଧକ୍ଷ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଫେସର ଗଙ୍ଗାଧର ବଳ ସ୍ମୃତିସଂଧ୍ୟା ରେ ତପନ କୁମାର ଶତପଥୀ ପାଇଲେ ଗଙ୍ଗାଧର ବଳ ସ୍ମୃତି ପୁରସ୍କାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

