ଉତ୍କଳ ସାହିତ୍ୟ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଜନ୍ମ ଶତବାର୍ଷିକୀ ସମାରୋହ ଅୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ସାରସ୍ୱତ ଅବଦାନ ଅତୁଳନୀୟ । ପ୍ରାଚୀନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ସଂପାଦନା କ୍ଷେତ୍ରରେ ତାଙ୍କର ମୌଳିକ ଦୃଷ୍ଟିକୋଣ ପ୍ରଣିଧାନଯୋଗ୍ୟ । ଏଥିସହିତ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟର ଜଣେ ପ୍ରଖ୍ୟାତ ସ୍ରଷ୍ଟା ଭାବରେ ସେ ଅମର ରହିବେ । ରବିବାର ଦିନ ଶତାବ୍ଦୀ ଭବନରେ ଉତ୍କଳ ସାହିତ୍ୟ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ଓ ସାରସ୍ୱତ ସ୍ରଷ୍ଟା ନିତ୍ୟାନନ୍ଦ ସାହୁ ଉଦ୍ଘାଟନ କରିଥିଲେ । ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ଡକ୍ଟର ପ୍ରମୋଦ କୁମାର ପରିଡ଼ା ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ତଥା ବିଶିଷ୍ଟ ଗବେଷକ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଓ ଆଦିତ୍ୟ ପ୍ରତାପ ଧଳ ଧନ୍ୟବାଦ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ‘ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ସାରସ୍ୱତ ସାଧନାର ଦିଗ୍ବଳୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡକ୍ଟର ସଂଜିତା ମିଶ୍ର ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶିଶିର ବେହେରା ଆଲୋଚକ ଭାବରେ ଯୋଗଦେଇ ଭରଦ୍ୱାଜଙ୍କ ସାରସ୍ୱତ ସାଧନାର ବିଭିନ୍ନ ଦିଗ ଉପରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ଏଥିରେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ସ୍ୱାଗତ ଭାଷଣ ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଅଧିବେଶନରେ ମୁରଲିଧର ସାମଲ, ନରହରି ମିଶ୍ର, ସୁରେଶ କୁମାର ନାୟକ, ପ୍ରସନ୍ନ କୁମାର ସ୍ୱାଇଁ, ପ୍ରେମଚାନ୍ଦ ମହାନ୍ତି, ଗୋପା ଦାସ, ଦୁଲାଲକୃଷ୍ଣ ପତି, ଛବିରାଣୀ ପତି, ମୀରା ବେଉରା, ସସ୍ମିତା ପଟ୍ଟନାୟକ ପ୍ରଭୃତି ଏକୋଇଶି ଜଣ ନିମନ୍ତ୍ରିତ କବି ଭରଦ୍ୱାଜଙ୍କ କବିତା ଆବୃତ୍ତି କରିଥିଲେ ।

powered by social2s