ଥ୍ରୀ ଡି ଗ୍ଲାସ୍ ସଲ୍ୟୁସନ୍ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଖୋର୍ଦ୍ଧା ଜିଲ୍ଲାର ଇନ୍‌ଫୋ ଭ୍ୟାଲି ଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା ଥ୍ରୀ ଡି ଗ୍ଲାସ୍ ସଲ୍ୟୁସନ୍ ର ଅତ୍ୟାଧୁନିକ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଶଂସା କରି କହିଛନ୍ତି ଯେ ଓଡ଼ିଶା ପାଇଁ ଏକ ନୂତନ ବିକାଶର ଯୁଗର ଆରମ୍ଭ ହୋଇଛି। ଆଗାମୀ ସମୟରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ଏବଂ ଭବିଷ୍ୟତରେ ଏହାକୁ ଆଇଟି ହବ ଭାବେ ବିକଶିତ କରିବା ପାଇଁ ଆମ ପ୍ରୟାସ ଜାରି ରହିବ। ଆଜିର ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। 3D Glass Solutionର ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ୟୁନିଟ୍ ର ପ୍ରଡକ୍ଟ ହେଉଛି ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଦିନ କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରଶିପ୍ ଯାତ୍ରା ପାଇଁ ମଧ୍ୟ ଏକ ସ୍ମରଣୀୟ ମୁହୂର୍ତ୍ତ। ସେ କହିଥିଲେ ଯେ, ଏହି ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଏକ ଆଡଭାନ୍ସଡ୍ 3D ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଙ୍ଗ ସୁବିଧା ସୃଷ୍ଟି କରିବ। ଏହି ୟୁନିଟ୍‌ରେ ଉତ୍ପାଦିତ କମ୍ପୋନେଣ୍ଟଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ଭଳି ବିକାଶଶୀଳ କ୍ଷେତ୍ରରେ ଗୁରୁତ୍ୱ ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ, Intel, Lockheed Martin ଓ Applied Materials ପରି ବିଶ୍ୱସ୍ତରୀୟ ସଂସ୍ଥାମାନେ 3D Glass Solution ସହ ଯୋଡିହେବା ଓଡ଼ିଶା ପ୍ରତି ବିଶ୍ୱର ବୃଦ୍ଧି ପାଉଥିବା ଭରସାର ପ୍ରମାଣ। ଓଡ଼ିଶା ଆଜି ନିବେଶକମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ। ସୂଚନା ଯୋଗ୍ୟ ଯେ ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ହେଉଥିବା ଏହି ପ୍ରକଳ୍ପ ବର୍ଷକୁ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ 3DHI ମଡ୍ୟୁଲ୍ ଉତ୍ପାଦନ କରିବ। ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ। ସେ କହିଥିଲେ ଯେ, ଓଡ଼ିଶାରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏପର୍ଯ୍ୟନ୍ତ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଆସିସାରିଛି। RIR Power Electronics ଓ SiCSEM ପରି ସଂସ୍ଥାମାନେ ପୂର୍ବରୁ ରାଜ୍ୟରେ ୟୁନିଟ୍ ସ୍ଥାପନ କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଭିଜନରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଲଞ୍ଚପ୍ୟାଡ୍ ହେବ ବୋଲି ସେ କହିଥିଲେ। ଓଡ଼ିଶା କାହିଁକି ନିବେଶକମାନଙ୍କର ପ୍ରଥମ ପସନ୍ଦ, ତାହାର ପାଞ୍ଚଟି କାରଣ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପୁଳ ପ୍ରାକୃତିକ ସମ୍ବଳ, ବିଶ୍ୱସ୍ତରୀୟ ଭିତ୍ତିଭୂମି, ଦକ୍ଷ ଯୁବଶକ୍ତି, ଶକ୍ତିଶାଳୀ କନେକ୍ଟିଭିଟି ଏବଂ ରେସ୍ପନସିଭ୍ ଗଭର୍ଣ୍ଣାନ୍ସ।ମୁଖ୍ୟମନ୍ତ୍ରୀ ଯୁବପିଢ଼ୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଏହା ଓଡ଼ିଶାର ଛାତ୍ରଛାତ୍ରୀ ଓ ଇଞ୍ଜିନିୟରମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗର ସମୟ। ସେମାନେ ନିଜକୁ ଦକ୍ଷ କରି ଏହି ଉଦୟମାନ କ୍ଷେତ୍ରରେ ଅଗ୍ରସର ହେବାକୁ ସେ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଓଡ଼ିଶା ଏକ ଆଦର୍ଶ ଗନ୍ତବ୍ୟସ୍ଥଳୀ ଭାବେ ଉଭୁକ୍ତ ହୋଇଛି। ଆମ ପାଖରେ ସମ୍ବଳ ଅଛି, ପ୍ରତିଭା ଅଛି, ଭିତ୍ତିଭୂମି ଅଛି, ସଂକଳ୍ପ ଅଛି। ଆଗାମୀ ଟେକ୍ନୋଲୋଜି ଗଢ଼ିବାକୁ ଚାହୁଁଥିଲେ—"Odisha is your destination,” ବୋଲି ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଶାସନ ସଚିବ ଅମିତେଶ ସିନ୍ହା, 3D Glass Solutionର ପ୍ରେସିଡେଣ୍ଟ ଓ ସିଇଓ ଶ୍ରୀ ବାବୁ ମନ୍ଦାବାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।

powered by social2s