ବିଦେଶ ମାଟିରେ ସମ୍ବଲପୁରୀ ଆମ୍ବର ଚମକ : ଦୁବାଇ ଓ ଆୟରଲ୍ୟାଣ୍ଡ ବଜାର ପ୍ରବେଶ କଲା ସୁଆଦିଆ 'ଆମ୍ରପାଲି'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ସମ୍ବଲପୁର: ଓଡ଼ିଶାର ଉଦ୍ୟାନ କୃଷି ଉତ୍ପାଦର ବଢୁଥିବା ସୁନାମ ଓ ଆଦୃତିକୁ ପ୍ରମାଣିତ କରି ସମ୍ବଲପୁର ଜିଲ୍ଲାର ନାବାର୍ଡ (NABARD) ସହାୟତା ପ୍ରାପ୍ତ ଅଗ୍ରଣୀ କୃଷକ ଉତ୍ପାଦକ ସଙ୍ଗଠନ 'ସବୁଜ ସନାତନପାଲି ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍' (SSFPCL) ଚଳିତ ରପ୍ତାନି ଋତୁରେ ମୋଟ ୧.୫ ମେଟ୍ରିକ ଟନ୍ ଉତ୍ତମ ଗୁଣବତ୍ତା ସମ୍ପନ୍ନ ‘ଆମ୍ରପାଲି’ ଆମ୍ବ ଦୁବାଇ ଏବଂ ଆୟରଲ୍ୟାଣ୍ଡ ଭଳି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ବଜାରକୁ ରପ୍ତାନି କରି ଓଡ଼ିଶାର କୃଷି ରପ୍ତାନି କ୍ଷେତ୍ରରେ ଯୋଡ଼ିଛି ଆଉ ଏକ ସଫଳତାର ଫର୍ଦ । ସମ୍ବଲପୁର ଜିଲ୍ଲା ପରିଷଦର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଉତ୍ତମ କୁମାର ବାଗ ଏହି ରପ୍ତାନି ସାମଗ୍ରୀବାହୀ ଗାଡ଼ିକୁ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସ୍ଥାନୀୟ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ବଜାର ସମ୍ପ୍ରସାରଣ ପାଇଁ ଜିଲ୍ଲାସ୍ତରୀୟ ସାଂସ୍ଥାନିକ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ବୃହତ ପଦକ୍ଷେପ ନିଆଯାଇଥିବା ବେଳେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ମାର୍ଗଦର୍ଶନରେ ଗେଟ୍ସ ଫାଉଣ୍ଡେସନର ସହାୟତାରେ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO ପ୍ରକଳ୍ପ ମାଧ୍ୟମରେ ଏହି ରପ୍ତାନି ସମ୍ଭବପର ହୋଇଛି । ଏହି ଗୌରବମୟ ସଫଳତା ପଛରେ APEDA ଏବଂ ମହାଶକ୍ତି ଫାଉଣ୍ଡେସନ ଭଳି ପ୍ରମୁଖ ସହଯୋଗୀ ସଂଗଠନଗୁଡ଼ିକର ନିରନ୍ତର ପ୍ରୟାସ ରହିଛି, ଯେଉଁମାନେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ଦକ୍ଷତା ବୃଦ୍ଧି କରିବା ସହ କ୍ଷୁଦ୍ର ଚାଷୀଙ୍କ ପାଇଁ ବିଶ୍ୱସ୍ତରୀୟ ବଜାରର ଦ୍ୱାର ଖୋଲିବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଲାଡିୟମ ଇଣ୍ଡିଆର ମ୍ୟାନେଜର ଦେବାରତୀ ଘଟକ କହିଛନ୍ତି ଯେ, ଏହି ମାଇଲଖୁଣ୍ଟ ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବା ପାଇଁ ଆମ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକର ବଢୁଥିବା ସାମର୍ଥ୍ୟ ଓ ଆତ୍ମବିଶ୍ୱାସକୁ ଦର୍ଶାଉଛି। PSFPO ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଦକ୍ଷତା ବୃଦ୍ଧି ଏବଂ ଏକ ସୁଦୃଢ଼ ମୂଲ୍ୟ ଶୃଙ୍ଖଳା ପ୍ରତିଷ୍ଠା ଉପରେ ଆମେ ବିଶେଷ ଧ୍ୟାନ ଦେଉଛୁ, ଯାହାଫଳରେ ଆଗାମୀ ଦିନରେ ଏହି ରପ୍ତାନିକୁ ଆହୁରି ବ୍ୟାପକ କରାଯାଇ ଓଡ଼ିଶାର କୃଷକ ଉତ୍ପାଦକ ସଙ୍ଗଠନ ମାନଙ୍କୁ ଉପଯୁକ୍ତ ମୂଲ୍ୟ ଓ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ପ୍ରଦାନ କରାଯାଇପାରିବ। ଆଗାମୀ ଦିନରେ ଏହି ରପ୍ତାନି ପ୍ରକ୍ରିୟା ନିରନ୍ତର ଚାଲିବା ସହ ରାଜ୍ୟର କୃଷି ଅର୍ଥନୀତିକୁ ତ୍ୱରାନ୍ୱିତ କରାଯିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ନେଇ କୃଷି ବିଭାଗ ନିଜର ସ୍ପଷ୍ଟୋକ୍ତି ପ୍ରଦାନ କରିଛି |

powered by social2s