ଓଡ଼ିଶାର କୃଷି ରପ୍ତାନି କ୍ଷେତ୍ରରେ ନୂତନ ଫର୍ଦ୍ଦ: ପ୍ରଥମ ଥର ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲଣ୍ଡନକୁ ଆମ୍ବ ରପ୍ତାନି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଅନୁଗୋଳ: ମହିଳା ସଶକ୍ତିକରଣ ଏବଂ ତୃଣମୂଳ ସ୍ତରର ସମାବେଶୀ ପ୍ରଗତି କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ଅଧ୍ୟାୟ ସୃଷ୍ଟି କରି, ଅନୁଗୋଳ ଜିଲ୍ଲାର 'ମା’ କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀ' ସଫଳତାର ସହ ୭.୫ କ୍ୱିଣ୍ଟାଲ ଆମ୍ରପାଲି ଆମ୍ବ ଲଣ୍ଡନକୁ ରପ୍ତାନି କରିଛି। ଏହି ଅଦ୍ଭୁତପୂର୍ବ ସଫଳତା ଓଡ଼ିଶାର ସମାବେଶୀ କୃଷି ବିକାଶ ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି। ଏହି ସଫଳତା କେବଳ ରାଜ୍ୟର ରପ୍ତାନି ସାମର୍ଥ୍ୟକୁ ସୁଦୃଢ଼ କରୁନାହିଁ, ବରଂ ବିଶ୍ୱ ବଜାରରେ ଗ୍ରାମୀଣ ମହିଳାମାନଙ୍କର ବର୍ଦ୍ଧିତ ଆତ୍ମବିଶ୍ୱାସ, ବ୍ୟବସାୟିକ ଦକ୍ଷତା ଏବଂ ପ୍ରଗତିଶୀଳ ଆର୍ଥିକ ଭାଗିଦାରୀକୁ ମଧ୍ୟ ପ୍ରତିଫଳିତ କରୁଛି। ବୃହତ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ତୁଳନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାଧାରଣତଃ ସୀମିତ କାର୍ଯ୍ୟକ୍ଷମ ପରିସର ବିଶିଷ୍ଟ ଏବଂ କ୍ଷୁଦ୍ର ଗୋଷ୍ଠୀ-ଆଧାରିତ ହୋଇଥାନ୍ତି, ଯେଉଁଥିରେ ମୁଖ୍ୟତଃ ଗ୍ରାମୀଣ ମହିଳାମାନେ ଥାଆନ୍ତି। ପାରମ୍ପରିକ ଭାବେ, ବୃହତ ଆକାରର କୃଷି ବିପଣନ ଏବଂ ଅନ୍ତର୍ଜାତୀୟ ରପ୍ତାନି କ୍ଷେତ୍ରରେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ହିଁ ପ୍ରାଧାନ୍ୟ ରହିଥାଏ; ଯାହାର ମୂଳ କାରଣ ହେଉଛି ସେମାନଙ୍କର ସୁଦୃଢ଼ ସାଂସ୍ଥାନିକ ସାମର୍ଥ୍ୟ, ଉତ୍ପାଦନ ଏବଂ ସୁଗମ ବଜାର ସଂଯୋଗୀକରଣ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଗ୍ରାମୀଣ ସମୃଦ୍ଧି ଓ ଜୀବିକା ନିର୍ବାହର ମେରୁଦଣ୍ଡ ହୋଇଥିଲେ ହେଁ, ସୀମିତ ପରିସର, ଭିତ୍ତିଭୂମିଗତ ଅଭାବ, ଜଟିଳ ରପ୍ତାନି ନିୟମାବଳୀର ଅନୁପାଳନ ଏବଂ ବୈଦେଶିକ ବଜାରର ସୁଯୋଗ ନଥିବା ଯୋଗୁ ରପ୍ତାନି କ୍ଷେତ୍ରକୁ ପ୍ରବେଶ କରିପାରି ନଥିଲେ। ତେବେ, ମା’ କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଅସାଧାରଣ ସଫଳତା ସେହି ପାରମ୍ପରିକ ପ୍ରତିବନ୍ଧକର ପ୍ରାଚୀରକୁ ଭାଙ୍ଗି ନିଜ ସଫଳତା ଯାତ୍ରାରେ ଆଉ ଗୋଟେ ପାଦ ଆଗକୁ ବଢିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ (DAFE) ଅଧୀନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ସମୟୋଚିତ ମାର୍ଗଦର୍ଶନ ଏବଂ ପାଲାଡିୟମ ଦ୍ୱାରା ପରିଚାଳିତ PSFPO ପ୍ରକଳ୍ପ ସହାୟତାରେ ଓଡ଼ିଶା ୯୦ ମେଟ୍ରିକ ଟନ୍ ଆମ୍ବ ରପ୍ତାନିର ଗୌରବମୟ ଲକ୍ଷ୍ୟ ହାସଲ କରିସାରିଛି। ଏହି ସାମଗ୍ରିକ ସଫଳତା ମଧ୍ୟରେ ନିଜ ଭାଗିଦାରୀ ସ୍ଥାପନ କରିଛି ମା କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀ | ଆନ୍ତର୍ଜାତୀୟ ମାନଦଣ୍ଡର ଗୁଣବତ୍ତା ବଜାୟ ରଖିବା, ଉତ୍ପାଦନ ଏକତ୍ରୀକରଣରେ ସଫଳ ଭାଗିଦାରୀ ଏବଂ ଲଣ୍ଡନ ଭଳି ପ୍ରତିଷ୍ଠିତ ବିଶ୍ୱ ବଜାର ସହିତ ସଂଯୁକ୍ତ ହେବାର ସାମର୍ଥ୍ୟ, ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ନୂଆ ଏକ ରାସ୍ତା ଉନ୍ମୁକ୍ତ କରିଛି | ଏହି ରପ୍ତାନି ଗ୍ରାମୀଣ ଆର୍ତନୀତିର ଏକ ବୃହତ ରୂପାନ୍ତରଣର ସଙ୍କେତ, ଯେଉଁଠି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଆଉ କେବଳ କ୍ଷୁଦ୍ର ସ୍ତରର ସହାୟତା ବ୍ୟବସ୍ଥା ଭାବରେ ସୀମିତ ରହିବେ ନାହିଁ, ବରଂ ବିଶ୍ୱ ବଜାରରେ ନିଜ ଉପସ୍ଥିତି ଜାହିର କରିବାରେ ସକ୍ଷମ ହେବେ। ଏହି ସଫଳତା ପ୍ରମାଣ କରୁଛି ଯେ ଦୃଢ଼ ଇଛା ଶକ୍ତି ଓ ସଠିକ ମାର୍ଗଦର୍ଶନ ଦ୍ୱାରା ସବୁଠାରୁ କ୍ଷୁଦ୍ର ସଂଗଠନ ମଧ୍ୟ ବିଶ୍ୱ ବାଣିଜ୍ୟରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିପାରିବେ। ଶ୍ରୀମତୀ ରୁପାଲି ପ୍ରଧାନ (ମା’ କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ପ୍ରମୁଖ ସଦସ୍ୟା) ପ୍ରକାଶ କରିଛନ୍ତି: _"ଆମେ ଆମର ପରିବାରକୁ ସହଯୋଗ କରିବା ପାଇଁ ଏକ କ୍ଷୁଦ୍ର ଗୋଷ୍ଠୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲୁ, କେବେ କଳ୍ପନା ମଧ୍ୟ କରିନଥିଲୁ ଯେ ଆମ ବାଡ଼ିର ଆମ୍ବ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିବ। ଆମ ଆମ୍ବ ସୁଦୂର ବିଦେଶକୁ ପଠାଯାଉଥିବା ଦେଖି ଆମେ ଖୁବ ଉତ୍ସାହିତ ହେଉଛୁ ; ଏହା ଏକ ସ୍ୱପ୍ନ ସଦୃଶ ମନେହେଉଛି ଯାହାକୁ ଆମେ କେବେ ସତ ହେବ ବୋଲି ଭାବି ନଥିଲୁ। ଏହି ରପ୍ତାନି କେବଳ ଏକ ସଫଳତା ନୁହେଁ, ଏହା ଆମର ଆତ୍ମବିଶ୍ୱାସ, ଆମର ଏକତା ଏବଂ ଦୃଢ଼ ବିଶ୍ୱାସର ପ୍ରତିଫଳନ।"_ ଏହି ଅବସରରେ ପାଲାଡିୟମର କୃଷି ବ୍ୟବସାୟ ବିଶେଷଜ୍ଞସୌମ୍ୟ ରଞ୍ଜନ ସାହୁ କହିଛନ୍ତି , _"ମା’ କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀର ଏହି ରପ୍ତାନି ହେଉଛି ଏକ ଶକ୍ତିଶାଳୀ ନିଦର୍ଶନ ଯେ କିଭଳି ଉପଯୁକ୍ତ ବୈଷୟିକ ମାର୍ଗଦର୍ଶନ , ସାଂସ୍ଥାନିକ ସମନ୍ୱୟ ଏବଂ ଦକ୍ଷତା ବୃଦ୍ଧି ମାଧ୍ୟମରେ ସବୁଠାରୁ କ୍ଷୁଦ୍ର ଉତ୍ପାଦକ ଗୋଷ୍ଠୀ ମଧ୍ୟ କୃଷି ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିପାରେ । ଏହି ମାଇଲଖୁଣ୍ଟ ଓଡ଼ିଶାରେ ସମାବେଶୀ କୃଷି ରପ୍ତାନି କ୍ଷେତ୍ର ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି।"_ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ (DA&FE) ର ବୈଷୟିକ ସହାୟତା ସହିତ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ (OLM) ର ନିରନ୍ତର ପ୍ରଚେଷ୍ଟା ଯୋଗୁଁ 'ମା’ କାଳିଜାଇ ସ୍ୱୟଂ ସହାୟକ ଗୋଷ୍ଠୀ'ର ଏହି ଐତିହାସିକ ସଫଳତା ସମ୍ଭବ ହୋଇପାରିଛି, ଯେଉଁମାନେ ରପ୍ତାନି ପ୍ରକ୍ରିୟାକୁ ସୁଗମ କରିବା ସହ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସାମଗ୍ରିକ ସୁଦୃଢ଼ିକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କର ଏହି ସମନ୍ୱିତ ସହଯୋଗ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ବିଶ୍ୱ ବଜାରରେ ନିଜ ପରିଚୟ ସୃଷ୍ଟି ପାଇଁ ବେଶ୍ ସହାୟକ ହୋଇଛି।

powered by social2s