ଉତ୍କଳ ସାହିତ୍ୟ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଥାକାର କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ ସମାରୋହ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ସମୃଦ୍ଧ ଓ ସମ୍ମାନନୀୟ ଆସନରେ ଆସୀନ କରାଇବା କ୍ଷେତ୍ରରେ ସାରସ୍ୱତ ସାଧକ କାହ୍ନୁଚରଣ ମହାନ୍ତିଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ତାଙ୍କର କଥାବସ୍ତୁ ଓ ଚରିତ୍ର-ଚିତ୍ରଣର ସାମର୍ଥ୍ୟ ଅସାଧାରଣ । ପ୍ରତିଟି ଉପନ୍ୟାସରେ ସେ ଓଡ଼ିଶାର ଇତିହାସ ଓ ସମକାଳୀନ ଚିତ୍ରକୁ ବେଶ୍ ନିଖୁଣ ଭାବରେ ଉପସ୍ଥାପିତ କରିଛନ୍ତି ବୋଲି ଉତ୍କଳ ସାହିତ୍ୟ ସମାଜ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ କଥାକାର କାହ୍ନୁଚରଣ ମହାନ୍ତିଙ୍କ ଜୟନ୍ତୀ ସମାରୋହରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ମଙ୍ଗଳବାର ସଂଧ୍ୟାରେ ଉତ୍କଳ ସାହିତ୍ୟ ସମାଜର ଐତିହ୍ୟ କକ୍ଷ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ବିଷ୍ଣୁପ୍ରିୟା ଓତା କାହ୍ନୁଚରଣଙ୍କ ସାହିତ୍ୟ ଓ ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ନାରାୟଣ ପଣ୍ଡା କାହ୍ନୁଚରଣଙ୍କ ସାହିତ୍ୟର ବହୁ ଅନାଲୋଚିତ ଦିଗ ଉନ୍ମୋଚନ କରିଥିଲେ । ସମ୍ମାନନୀୟ ବକ୍ତା ଡକ୍ଟର ଜ୍ଞାନରଂଜନ ପଣ୍ଡା କାହ୍ନୁଚରଣଙ୍କ ସାହିତ୍ୟ ପାଠକୀୟ ଗୋଷ୍ଠୀ ସୃଷ୍ଟି କରିଥିଲା ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ । ପ୍ରାରମ୍ଭରେ ଲେଖିକା ସୁରଭି ଦ୍ୱିବେଦୀ ବେଦପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାହିତ୍ୟ ସମାଜର ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ବୈଜୟନ୍ତୀମାଳା ଶତପଥୀ, ଗୀତାଞ୍ଜଳି ପୃଷ୍ଟି, ଶିବାଶିଷ କରଙ୍କ ସମେତ ଶତାଧିକ ସାରସ୍ୱତ ସାଧକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

powered by social2s