ଶ୍ରୀମନ୍ଦିର ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ପ୍ରତି ସାରା ବିଶ୍ୱବାସୀଙ୍କ ଅହେତୁକ ଭକ୍ତି ଓ ଆଗ୍ରହ ରହିଛି I ତେଣୁ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି I ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି I ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ଉଚ୍ଚ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି I ଭୁବନେଶ୍ୱର ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା I ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥିନେଇ ଆଲୋଚନା ହୋଇଥିଲା I ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇ ପାରିବ I ଏଥି ସହିତ ଭକ୍ତ ମାନେ ୫ ଟି ଅଲଗା ଅଲଗା ରାମ୍ପ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ I ଫଳରେ ପ୍ରତି ଏକ ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଭକ୍ତ / ଶ୍ରଦ୍ଧାଳୁ ଶୃଙ୍ଖଳିତ ଦର୍ଶନ କରି ପାରିବେ I ଏହାର ସଠିକ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଏକ ପାଇଲଟ ମଡେଲ ପ୍ରସ୍ତୁତ କରାଯିବା ସହିତ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କାରାଯିବ I ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ I ଆଜିର ଏହି ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ପୋଲିସ ଅଧିକ୍ଷକ ଶ୍ରୀ ପ୍ରତିକ ସିଂ, ଆଇନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ. କେ. ଦାସ, ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I

powered by social2s