'ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନର ୧୩ ଦିନରେ ୧୫୫୫ଟି ପ୍ରତିଷ୍ଠାନର ଅଗ୍ନିଶମ ନିରାପତ୍ତା ଅଡିଟ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଓଡ଼ିଶାରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିଭିନ୍ନ ବ୍ୟବସାୟିକ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାର ସଠିକ୍ ଯାଞ୍ଚ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଆରମ୍ଭ ହୋଇଥିବା ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନ ବ୍ୟାପକ ଭାବେ ଜାରି ରହିଛି। ସେପ୍ଟେମ୍ବର ୧୫, ୨୦୨୬ରୁ ସେପ୍ଟେମ୍ବର ୨୭, ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ୱତନ୍ତ୍ର ଅଗ୍ନିଶମ ନିରାପତ୍ତା ଅଡିଟ୍ ଅଭିଯାନରେ ରାଜ୍ୟ ଅଗ୍ନିଶମ ସେବାର ବରିଷ୍ଠ ଅଧିକାରୀ ଓ ସ୍ୱତନ୍ତ୍ର ଟିମ୍‌ଗୁଡ଼ିକ ଦ୍ୱାରା ମୋଟ ୧୫୫୫ସଂସ୍ଥାନ/ପ୍ରତିଷ୍ଠାନରେ ବିସ୍ତୃତ ଅଗ୍ନିଶମ ନିରାପତ୍ତା ଯାଞ୍ଚ କରାଯାଇଛି। ଯାଞ୍ଚ ତଥ୍ୟ ଅନୁସାରେ, କେନ୍ଦ୍ରାଞ୍ଚଳ (କଟକ) ଅଧୀନରେ ସର୍ବାଧିକ ୫୮୪ଟି ପ୍ରତିଷ୍ଠାନ, ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଅଧୀନରେ ୪୮୦ଟି ଏବଂ ଉତ୍ତରାଞ୍ଚଳ (ସମ୍ବଲପୁର) ଅଧୀନରେ ୪୮୫ଟି ପ୍ରତିଷ୍ଠାନର ଅଡିଟ୍ କରାଯାଇଛି। ଏଥିସହିତ, ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ୩ଟି ପ୍ରତିଷ୍ଠାନର ଅଡିଟ୍ କରାଯାଇଛି। ଦୈନିକ ତଥ୍ୟ: ଏହି ଅଭିଯାନ ଅବଧିରେ ସେପ୍ଟେମ୍ବର ୧୫ ତାରିଖରେ ୧୧୯ଟି, ୧୬ ତାରିଖରେ ୯୦ଟି, ୧୭ ତାରିଖରେ ୯୦ଟି, ୧୮ ତାରିଖରେ ୧୫୫ଟି, ୧୯ ତାରିଖରେ ୧୩୪ଟି, ୨୦ ତାରିଖରେ ୯୧ଟି, ୨୧ ତାରିଖରେ ୧୫୯ଟି, ୨୨ ତାରିଖରେ ୧୨୬ଟି, ୨୩ ତାରିଖରେ ୧୧୫ଟି, ୨୪ ତାରିଖରେ ୧୧୫ଟି, ୨୫ ତାରିଖରେ ୧୦୧ଟି, ୨୬ ତାରିଖରେ ୧୩୬ଟି ଏବଂ ୨୭ ତାରିଖରେ ୧୨୪ଟି ସଂସ୍ଥାନ/ପ୍ରତିଷ୍ଠାନର ଅଗ୍ନିଶମ ନିରାପତ୍ତା ଯାଞ୍ଚ କରାଯାଇଛି। ଅଡିଟ୍ ସମୟରେ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର (Fire Safety Certificate) ବୈଧ ଭାବେ ରହିଛି କି ନାହିଁ, ଆବଶ୍ୟକୀୟ ଅଗ୍ନିଶମ ଓ ନିରାପତ୍ତା ଉପକରଣଗୁଡ଼ିକ ଉପଲବ୍ଧ ଏବଂ କାର୍ଯ୍ୟକ୍ଷମ ଅଛି କି ନାହିଁ, ଜରୁରୀକାଳୀନ ପ୍ରସ୍ଥାନ ପଥ ଓ ଦ୍ୱାରଗୁଡ଼ିକ ଅବରୋଧମୁକ୍ତ ଅଛି କି ନାହିଁ, ଅଗ୍ନି ନିର୍ବାପଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି କି ନାହିଁ ଏବଂ ଜରୁରୀକାଳୀନ ସମୟରେ ନିରାପଦ ଭାବେ ବାହାରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଛି କି ନାହିଁ, ସେସବୁ ଦିଗ ଯାଞ୍ଚ କରାଯାଉଛି। ଏଥିସହିତ, ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ଅଗ୍ନିକାଣ୍ଡ ସମୟରେ ନିରାପଦ ଭାବେ ନିର୍ଗମନ କରିବା, ଆବଶ୍ୟକ ପ୍ରାଥମିକ ଅଗ୍ନି ନିରାପତ୍ତା ପଦକ୍ଷେପ ଗ୍ରହଣ କରିବା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ସଠିକ୍ ବ୍ୟବହାର ସମ୍ପର୍କରେ ଆବଶ୍ୟକୀୟ ସଚେତନତା ଓ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଯାଞ୍ଚ ସମୟରେ ଯେଉଁ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ନିୟମାବଳୀର ଉଲ୍ଲଂଘନ, ଆବଶ୍ୟକୀୟ ଅଗ୍ନିଶମ ଉପକରଣର ଅଭାବ କିମ୍ବା ଅନ୍ୟାନ୍ୟ ନିରାପତ୍ତା ତ୍ରୁଟି ପରିଲକ୍ଷିତ ହେଉଛି, ସେହି ପ୍ରତିଷ୍ଠାନଗୁଡ଼ିକୁ ତ୍ରୁଟି ସୁଧାରିବା ଏବଂ ଆବଶ୍ୟକୀୟ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସହିତ “Compliance Notice” ଜାରି କରାଯାଉଛି। ନିର୍ଦ୍ଦେଶିତ ସମୟସୀମା ମଧ୍ୟରେ ତ୍ରୁଟିଗୁଡ଼ିକର ସୁଧାର ନିଶ୍ଚିତ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ କେବଳ ତ୍ରୁଟି ଚିହ୍ନଟ କରିବା ନୁହେଁ, ବରଂ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରତିରୋଧ, ପ୍ରସ୍ତୁତି, ପ୍ରତିକ୍ରିୟା ଓ ନିରାପଦ ନିର୍ଗମନ ବ୍ୟବସ୍ଥାକୁ ସୁଦୃଢ଼ କରି ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଏହି ସ୍ୱତନ୍ତ୍ର ଅଗ୍ନିଶମ ନିରାପତ୍ତା ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ସାରା ରାଜ୍ୟରେ ଆହୁରି ବ୍ୟାପକ, ନିୟମିତ ଓ କଡ଼ାକଡ଼ି ଭାବେ ଜାରି ରହିବ

powered by social2s