ସମ୍ବଲପୁର: ଡିଜିଟାଲ୍ ପ୍ରଯୁକ୍ତି ଆଜି ଶିକ୍ଷା, ରୋଜଗାର, ସୂଚନା, ଯୋଗାଯୋଗ ଓ ନୂଆ ସୁଯୋଗର ଦ୍ୱାର ଖୋଲିଛି। କିନ୍ତୁ ଡିଜିଟାଲ୍ ସୁବିଧା ଓ ସମ୍ପଦରେ ସମାନ ପହଞ୍ଚ ନଥିବାରୁ ଲିଙ୍ଗଭିତ୍ତିକ ଡିଜିଟାଲ୍ ବିଭେଦ ଓ ନୂଆ ପ୍ରକାରର ଅସମାନତା ମଧ୍ୟ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଯୁବପିଢ଼ି ଓ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ଆଲୋଚନା ଓ ଚିନ୍ତନର ଏକ ମଞ୍ଚ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ‘ସମଝୋ ତୋ–ମହଲ୍ଲା ସଭା–୩’ ଅଧୀନରେ “ଡିଜିଟାଲ୍ ଯୁଗରେ ଲିଙ୍ଗ: ସୁଯୋଗ, ଚ୍ୟାଲେଞ୍ଜ ଓ ନୂଆ ଅସମାନତା” ଶୀର୍ଷକ ଏକଦିନିଆ ସେମିନାର ଆୟୋଜିତ ହୋଇଯାଇଛି। ଷ୍ଟୋରୀ ଫର ଚେଞ୍ଜ (Story4Change) ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସରକାରୀ ମହାବିଦ୍ୟାଳୟ, ସମ୍ବଲପୁରର ସମାଜବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ସେମିନାରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଯୁବମାନେ ଯୋଗଦେଇ ଡିଜିଟାଲ୍ ପରିବର୍ତ୍ତନ ଓ ଲିଙ୍ଗ ସମାନତାର ବିଭିନ୍ନ ଦିଗ ଉପରେ ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମର ସମଗ୍ର ପ୍ରକ୍ରିୟାରେ ସମାଜବିଜ୍ଞାନ ବିଭାଗର ଲକ୍ଷ୍ମୀ ପ୍ରିୟା ଆଚାର୍ଯ୍ୟ ଓ ଶ୍ୱେତା ମହାନନ୍ଦ ଅଗ୍ରଣୀ ଭୂମିକା ନେଇ ସେମିନାରର ଯୋଜନା, ସମନ୍ୱୟ ଓ ପରିଚାଳନାକୁ ସୁଚାରୁ ଭାବେ ଆଗେଇ ନେଇଥିଲେ। ସେମିନାରରେ ଆଲୋଚନା ହୋଇଥିଲା ଯେ, ଡିଜିଟାଲ୍ ମାଧ୍ୟମ ଝିଅ ଓ ମହିଳାମାନଙ୍କ ପାଇଁ ଶିକ୍ଷା, ଦକ୍ଷତା ବିକାଶ, ରୋଜଗାର, ଉଦ୍ୟମିତା, ସୂଚନା ଓ ସାମାଜିକ ଯୋଗାଯୋଗର ନୂଆ ସୁଯୋଗ ସୃଷ୍ଟି କରୁଛି। ଅନ୍ୟପକ୍ଷରେ, ଡିଜିଟାଲ୍ ଉପକରଣରେ ପହଞ୍ଚର ଅଭାବ, ଇଣ୍ଟରନେଟ୍ ବ୍ୟବହାରରେ ପାର୍ଥକ୍ୟ, ଡିଜିଟାଲ୍ ଦକ୍ଷତାର ଅଭାବ, ଅନଲାଇନ୍ ଉତ୍ପୀଡ଼ନ ଓ ସୁରକ୍ଷା ସମସ୍ୟା ଲିଙ୍ଗ ସମାନତା ପାଇଁ ନୂଆ ଚ୍ୟାଲେଞ୍ଜ ଭାବେ ଆସୁଛି। ବକ୍ତାମାନେ ମତ ରଖିଥିଲେ ଯେ କେବଳ ଡିଜିଟାଲ୍ ଉପକରଣ ଯୋଗାଇଦେବା ଯଥେଷ୍ଟ ନୁହେଁ; ଡିଜିଟାଲ୍ ଜ୍ଞାନ, ସୁରକ୍ଷିତ ବ୍ୟବହାର, ସମାନ ସୁଯୋଗ ଓ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ଆବଶ୍ୟକ। ବିଶେଷକରି ଗ୍ରାମୀଣ ଓ ବଞ୍ଚିତ ସମୁଦାୟର ଝିଅ ଏବଂ ଯୁବତୀମାନଙ୍କ ପାଇଁ ଡିଜିଟାଲ୍ ସମ୍ପଦର ସମାନ ପହଞ୍ଚ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଡିଜିଟାଲ୍ ଯୁଗରେ ଲିଙ୍ଗ ସମାନତାର ଅର୍ଥ କେବଳ ସମାନ ଭାବରେ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ପାଇବା ନୁହେଁ; ବରଂ ସମାନ ଭାବରେ ଜ୍ଞାନ, ସୁଯୋଗ, ସୁରକ୍ଷା, ଅଭିବ୍ୟକ୍ତି ଓ ନିଷ୍ପତ୍ତି ନେବାର ଅଧିକାର ପାଇବା। ଏହି ପ୍ରସଙ୍ଗରେ ଯୁବମାନଙ୍କ ସଚେତନତା, ପ୍ରଶ୍ନ କରିବାର କ୍ଷମତା ଓ ସାମାଜିକ ଭାଗିଦାରି ଗୁରୁତ୍ୱପୂର୍ଣ୍ଣ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ହରିପାଲ ଡିଜିଟାଲ୍ ପରିବର୍ତ୍ତନର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପ୍ରଶାସନିକ ବର୍ସର ତଥା ଇତିହାସ ବିଭାଗର ମୁଖ୍ୟ ଡ. ଦୁଲ୍ଲଭ କୁମାର ସା, ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡ. ରଘୁମଣି ନାଏକ ଏବଂ ଏକାଡେମିକ୍ ବର୍ସର ଡ. ହରିହର ମଲ୍ଲିକ ବିଷୟର ବିଭିନ୍ନ ସାମାଜିକ ଦିଗ ଉପରେ ମତ ରଖିଥିଲେ। Story4Changeର ଶ୍ରୀ ବିଜୟ କୁମାର ନାଏକ ଏବଂ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ ଡିଜିଟାଲ୍ ଯୁଗରେ ଯୁବମାନଙ୍କ ଭୂମିକା ଓ ଲିଙ୍ଗ ସମାନତା ନେଇ ସଚେତନ ଆଲୋଚନାର ଆବଶ୍ୟକତା ଉପରେ ମତ ରଖିଥିଲେ। ସେମିନାରରେ ଛାତ୍ରଛାତ୍ରୀ ଓ ଷ୍ଟାଫ୍ଙ୍କ ପକ୍ଷରୁ ପେପର୍ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଡିଜିଟାଲ୍ ଲିଙ୍ଗ ବିଭେଦ, ଅନଲାଇନ୍ ସୁଯୋଗ, ଡିଜିଟାଲ୍ ସୁରକ୍ଷା ଓ ନୂଆ ସାମାଜିକ ଅସମାନତା ଭଳି ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା। ଏହା ଛାତ୍ରଛାତ୍ରୀଙ୍କୁ ବିଷୟଟିକୁ କେବଳ ଏକ ଶିକ୍ଷାଗତ ପ୍ରସଙ୍ଗ ଭାବେ ନୁହେଁ, ବରଂ ଦୈନନ୍ଦିନ ଜୀବନ ଓ ସାମାଜିକ ନ୍ୟାୟ ସହ ଜଡ଼ିତ ଏକ ପ୍ରସଙ୍ଗ ଭାବେ ବୁଝିବାର ସୁଯୋଗ ଦେଇଥିଲା। କାର୍ଯ୍ୟକ୍ରମର ସମନ୍ୱୟରେ ମସୁଦ ଆଲମଙ୍କ ସହିତ Story4Change ପକ୍ଷରୁ ବବିତା, ପୂଜା ଓ ରୋଶନ ଗୁପ୍ତା ସକ୍ରିୟ ଭୂମିକା ନେଇଥିଲେ।
‘ସମଝୋ ତୋ–ମହଲ୍ଲା ସଭା–୩’ ଅଧୀନରେ ଡିଜିଟାଲ୍ ଯୁଗରେ ଲିଙ୍ଗ ସମାନତା ଉପରେ ସେମିନାର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

