କେନ୍ଦୁଝରରେ ଡିଜାଷ୍ଟର ରିକଭରୀ-କମ୍-ଡାଟା ସେଣ୍ଟର ସ୍ଥାପନକୁ କ୍ୟାବିନେଟ୍‌ର ମଞ୍ଜୁରି, ଯୁବକଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କେନ୍ଦୁଝରରେ ଡିଜାଷ୍ଟର ରିକଭରୀ-କମ୍-ଡାଟା ସେଣ୍ଟର ସ୍ଥାପନ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରି ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଷ୍ଟେଟ୍ ଡାଟା ସେଣ୍ଟର (OSDC) ହେଉଛି ରାଜ୍ୟର ମୁଖ୍ୟ ଡିଜିଟାଲ୍ ଭିତ୍ତିଭୂମି, ଯେଉଁଠି ସରକାରୀ ଆପ୍ଲିକେସନ୍, ଡାଟାବେସ୍ ଓ ସାଧାରଣ ପ୍ଲାଟଫର୍ମ ରହିଛି। କୌଣସି ବଡ଼ ବିପର୍ଯ୍ୟୟ ସମୟରେ ଏହି ସେବାଗୁଡ଼ିକୁ ନିରବଚ୍ଛିନ୍ନ ରଖିବା ପାଇଁ କେନ୍ଦୁଝରରେ ଏହି ଡିଜାଷ୍ଟର ରିକଭରୀ-କମ୍-ଡାଟା ସେଣ୍ଟର ସ୍ଥାପନ କରାଯିବ। ଏହି ସେଣ୍ଟର ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ସ୍ଥାପନ କରାଯିବ, ଯାହା ଭୁବନେଶ୍ୱରସ୍ଥିତ ପ୍ରାଥମିକ ଡାଟା ସେଣ୍ଟରଠାରୁ ଭୌଗୋଳିକ ଭାବେ ଅଲଗା ରହିବ। ଏଠାରେ ସ୍ୱାଧୀନ ବିଦ୍ୟୁତ୍, କୁଲିଂ, କନେକ୍ଟିଭିଟି, କମ୍ପ୍ୟୁଟ୍, ଷ୍ଟୋରେଜ୍, ବ୍ୟାକଅପ୍ ଓ ସାଇବର ସୁରକ୍ଷା ବ୍ୟବସ୍ଥା ରହିବ। ଏହି ପ୍ରକଳ୍ପର ମୋଟ ଖର୍ଚ୍ଚ ୧୭୬.୮୩ କୋଟି ଟଙ୍କା ହେବ, ଯେଉଁଥିରେ ୧୫୪ କୋଟି ପୁଞ୍ଜିଗତ ଖର୍ଚ୍ଚ ଏବଂ ୫ ବର୍ଷ ପାଇଁ ୨୨.୮୩ କୋଟି ପରିଚାଳନାଗତ ଖର୍ଚ୍ଚ ଅନ୍ତର୍ଭୁକ୍ତ। ୫ମ ରାଜ୍ୟ ଅର୍ଥ କମିଶନ ଅନୁଦାନରୁ ୧୬୨.୮୩ କୋଟି ଟଙ୍କା ପ୍ରଦାନ କରାଯିବ। ଖୋଲା ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ମେସର୍ସ କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍ ସର୍ଭିସେସ୍ ଲିମିଟେଡ୍ L1 ବିଡର ଭାବେ ଚୟନ ହୋଇଛି। ୯ ମାସ ମଧ୍ୟରେ କାର୍ଯ୍ୟ ସମାପ୍ତ ହେବ ଏବଂ ଏହା ପରେ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରାଯିବ। ଏହାସହ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି ଟଙ୍କା ପ୍ରଦାନ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ସାଇବର ସୁରକ୍ଷା ଉପରେ ୪.୨୦ ଲକ୍ଷ ଯୁବକଙ୍କୁ ତାଲିମ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ମାରିଛି। ସମୃଦ୍ଧ ଓଡ଼ିଶା ଗଠନରେ ଏହି ପ୍ରସ୍ତାବ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମତ୍ସ୍ୟ ସେବା କ୍ୟାଡର ପୁନର୍ଗଠନ ଏବଂ ଡ୍ରେନ୍ ସମସ୍ୟା ପାଇଁ ୫୦୦ କୋଟିର ନୂଆ ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି।

powered by social2s