ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏହାଦ୍ୱାରା ଓଡିଶାର ଲୋକମାନେ ସ୍ଥାୟୀ ସମାଧାନ ପାଇ ପାରିବେ ଏବଂ ରାଜ୍ୟର ବିକାଶ ବାଧାପ୍ରାପ୍ତ ନହୋଇ ତ୍ୱରାନ୍ୱିତ ହେବ। ଟିମ୍ର ମୁଖ୍ୟ ଶ୍ରୀ ରବିଶଙ୍କର କହିଲେ ଯେ, ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ବାସ୍ତବିକ ବନ୍ୟା ଯୋଗୁ ଜନସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଛି । ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡି ଆସିବା ଦ୍ୱାରା ଅନେକ ଅଞ୍ଚଳରେ ବାଲିଚର ମାଡି ଯାଇଛି। ଚାଷଜମି ସହିତ ରାସ୍ତା ଘାଟ, ଘର ଦ୍ୱାର, କାର୍ଯ୍ୟାଳୟ ଇତ୍ୟାଦିରେ ବାଲି ମାଡିଯାଇଛି। ଅନେକ ସ୍ଥାନରେ ଘର ଭାଙ୍ଗି ନଥିଲେ ମଧ୍ୟ ଏହା ଦୁର୍ବଳ ହୋଇଯାଇଛି। ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର (Desilting) ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ ବୋଲି ସେ କହିଥିଲେ। ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ଦ୍ରୁତ ଗତିରେ ରିଲିଫ ଓ ପୁନସ୍ଥାପନ (Relief & Restoration) କାମ କରିଛନ୍ତି ବୋଲି ମତ ଦେଇ ଶ୍ରୀ ରବିଶଙ୍କର ଓଡିଶା ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ରାସ୍ତା ଘାଟ ପ୍ରାୟତଃ ଗମନାଗମନ ଉପଯୋଗୀ ହୋଇସାରିଛି ଏବଂ ବିଦ୍ୟୁତ ସରବରାହ ପୁନସ୍ଥାପନ କରାଯାଇଛି ବୋଲି ସେ କହିଥିଲେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରାଯାଇ ରିଲିଫ ଓ ରିଷ୍ଟୋରେସନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍ ଓ କେନ୍ଦ୍ରୀୟ ଟିମ୍ର ସଦସ୍ୟଗଣ ଉପସ୍ଥିତ ଥିଲେ।
ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

