ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ; ଭାରତ ଟିମ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୮ କ୍ରୀଡ଼ାବିତ୍‌

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬' ଆୟୋଜନର ପ୍ରସ୍ତୁତି ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଗ୍‌ବୀ ଇଣ୍ଡିଆ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ରଗ୍‌ବୀ ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ ଓ ୧୫ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ ଠାରେ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬' ଅନୁଷ୍ଠିତ ହେବ। ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ରେ ୧୦ଟି ଦେଶ ଯଥା ଭାରତ, ହଙ୍ଗକଙ୍ଗ ଚାଇନା, ଉଜ୍‌ବେକିସ୍ତାନ, ଚାଇନିଜ ତାଇପେଇ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ସିଙ୍ଗାପୁର ଓ ଜୋର୍ଡାନ ଦେଶ ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ। ୧୦ଟି ଦେଶରୁ ସର୍ବମୋଟ ୧୭ଟି ଟିମ୍ (୧୦ଟି ପୁରୁଷ ଟିମ୍ ଏବଂ ୭ଟି ମହିଳା ଟିମ୍) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଭାରତ ପୁରୁଷ ଟିମ୍‌ରେ ପୁଷ୍ପେନ୍ଦର (କ୍ୟାପ୍‌ଟେନ), ରଞ୍ଜନ ରାୱତ (ଭାଇସ୍‌ କ୍ୟାପ୍‌ଟେନ), ଅଜିତ୍‌ ନିଗମ, ଅମନ୍‌, ଅରୁଣ ପ୍ରଜାପତ୍,ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍, ନମନ ଯାଦବ, ରାହୁଲ ମାଝୀ, ରୋହିତ କୁମାର, ସୁବାସ ହାଁସଦା ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଥିବା ବେଳେ ଭାରତ ମହିଳା ଟିମ୍‌ରେ ତନୁଶ୍ରୀ ଭୋଁସଲେ (କ୍ୟାପଟେନ୍‌), ମାମାଲି ସିଂ (ଭାଇସ କ୍ୟାପଟେନ୍‌), ଅକ୍ଷୟା ଏନ୍‌ଏସ, ଅନିତା ମୁର୍ମୁ, ଅନୁଷ୍କା ସଙ୍କପାଲ, ଦୀପାଳି ତାଠେ, ଖୁସି ଦେବୀ, କୀର୍ତ୍ତି ଯାଦବ, ଆଦିତି ସଖାରାମ୍ ଲୋନ୍ଧେ, ସଲୋନୀ କୁମାରୀ, ସମୃଦ୍ଧି କଦମ୍, ସୁମିତ୍ରା ମୁର୍ମୁ ଆଦି କ୍ରୀଡ଼ାବିତ୍‌ ସ୍ଥାନ ପାଇଛନ୍ତି। ଭାରତ ପୁରୁଷ ଟିମ୍‌ରେ ୫ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ଭରତ କିଷାନ୍‌, ବିଦ୍ୟାଧର ମାଝୀ, ଚରଣ ହେମ୍ବ୍ରମ୍,ରାହୁଲ ମାଝୀ, ସୁବାସ ହାଁସଦା) ଓ ଭାରତ ମହିଳା ଟିମ୍‌ରେ ୩ ଜଣ ଓଡ଼ିଆ କ୍ରୀଡ଼ାବିତ୍‌ (ମାମାଲି ସିଂ, ଅନିତା ମୁର୍ମୁ ଓ ସୁମିତ୍ରା ମୁର୍ମୁ) ସ୍ଥାନ ପାଇଛନ୍ତି। ଏଥିସହ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬'ର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି ଯେଉଁଥିରେ ଓଡ଼ିଶାର ପାରମ୍ପରିକ କଳା 'ଝୋଟିଚିତା'କୁ ପ୍ରଦର୍ଶିତ କରାଯାଇଛି। ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬' ଆୟୋଜନର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ସବିସ୍ତୃତ ସମୀକ୍ଷା କରିଥିଲେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ାବିତ୍‌ଙ୍କ ଆଗମନ, ସେମାନଙ୍କ ସୁରକ୍ଷିତ ରହଣି, ଗମନାଗମନ, ଆତିଥ୍ୟ ଓ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରତିଯୋଗିତା ଆୟୋଜନ ହେଉଥିବା ସମୟରେ କ୍ରୀଡ଼ାବିତ୍‌ ଓ ସମସ୍ତ ଦର୍ଶକମାନଙ୍କର ସୁରକ୍ଷା, ପୋଲିସ ଫୋର୍ସ ମୁତୟନ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗୀକରଣ, ଅଗ୍ନି ନିରାପତ୍ତା ଆଦି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, 'ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬'ର ଆୟୋଜନ ଓଡ଼ିଶାରେ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଚଳିତ ବର୍ଷ କଳିଙ୍ଗ ଷ୍ଟାଡିୟମ୍‌ରେ ୩ ଟି ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ସବ୍-ଜୁନିୟର ନ୍ୟାସନାଲ ରଗ୍‌ବୀ ସେଭେନ୍ସ ଚାମ୍ପିୟନସିପ୍, ଅସ୍ମିତା ରଗ୍‌ବୀ ଲିଗ୍-ନ୍ୟାସନାଲ ଏବଂ ନ୍ୟାସନାଲ ରଗ୍‌ବୀ ୧୫ ଏସ୍‌ ଚାମ୍ପିୟନସିପ୍- ଡିଭିଜନ୍‌ ୧) ଅନୁଷ୍ଠିତ ହୋଇସାରିଛି। ଏହାପରେ ନଭେମ୍ବର ୧୪ ଓ ୧୫ ତାରିଖରେ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରୀୟ ରଗ୍‌ବୀ ଚାମ୍ପିୟନସିପ୍ (ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬) ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପ୍‌ର ଆୟୋଜନ ଦେଶ ଓ ରାଜ୍ୟର ଅନେକ ଯୁବ କ୍ରୀଡ଼ାବିତ୍‌ଙ୍କୁ ରଗ୍‌ବୀରେ ନିଜ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଆଜିର ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ପୋଲିସ କମିଶନର ଡ଼. ସୁରେଶ ଦେବଦତ୍ତ ସିଂହ, ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

powered by social2s