ଭୁବନେଶ୍ୱର: ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ପରିଚୟ ବୋଲି ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି l ରବିବାର ଦିନ ଲୋକଭଵନ ପରିସରସ୍ଥିତ ନ୍ୟୁ ଅଭିଷେକ ହଲ୍ ଠାରେ ଝାଡଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ଓ ଜନଜାତୀୟ ଗୌରଵ ଦିଵସ ପାଳନ ସମାରୋହରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି l ପ୍ରତ୍ୟେକ ଭାଷାକୁ ସମ୍ମାନ, ପ୍ରତ୍ୟେକ ସଂସ୍କୃତିକୁ ଗୁରୁତ୍ୱ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ପ୍ରଗତିର ସୁଯୋଗ ମିଳୁଥିବା ଏକ ଭାରତ ଗଠନ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ମଧ୍ୟ ରାଜ୍ଯପାଳ କହିଛନ୍ତି l ଏହି ଅବସରରେ ରାଜ୍ୟପାଳ ଝାଡ଼ଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାରେ ରହୁଥିବା ଝାଡ଼ଖଣ୍ଡ ରାଜ୍ୟର ଲୋକଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବ ଦୁଇ ରାଜ୍ୟ ମଧରେ ରହିଥିବା ସାଂସ୍କୃତିକ ସମ୍ପର୍କ, ଗୌରବ ଓ ଐତିହ୍ୟର ଉତ୍ସବ ବୋଲି ଅଭିହିତ କରିଥିଲେ। ମହାନ ଜନଜାତି ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟପାଳ କହିଥିଲେ ଯେ, ତାଙ୍କର ସାହସ, ତ୍ୟାଗ ଓ ଆତ୍ମସମ୍ମାନ ପ୍ରତି ନିଷ୍ଠା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି। ଆଦିବାସୀଙ୍କ ଅଧିକାର, ସଂସ୍କୃତି ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିର୍ସା ମୁଣ୍ଡା ଇଂରେଜ ଶାସନ ବିରୋଧରେ ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହା କେବଳ ସ୍ୱାଧୀନତା ସଂଗ୍ରାମ ନଥିଲା, ବରଂ ଜଳ, ଜଙ୍ଗଲ ଓ ଜମି ସହ ଜନଜାତିଙ୍କ ପରିଚୟ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ଏକ ଆନ୍ଦୋଳନ ଥିଲା ବୋଲି ସେ କହିଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ଭରପୂର ଝାଡ଼ଖଣ୍ଡର ପ୍ରଶଂସା କରି ରାଜ୍ୟପାଳ ନେତରହାଟ, ହୁଣ୍ଡ୍ରୁ, ଦଶମ, ଜହ୍ନା ଓ ଲୋଧ ଜଳପ୍ରପାତ ସମେତ ରାଜ୍ୟର ଜଙ୍ଗଲ, ପାହାଡ଼ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବେତଲା ଜାତୀୟ ଉଦ୍ୟାନର ଜୈବ ବିବିଧତା ଏବଂ ଦେଓଘରସ୍ଥିତ ବାବା ବୈଦ୍ୟନାଥ ଧାମର ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ମଧ୍ୟ ରାଜ୍ଯପାଳ ଅବତାରଣା କହିଥିଲେ। ଝାଡ଼ଖଣ୍ଡର ମାଟିର ପୁଅ ଭାବେ ଏହି ରାଜ୍ୟ ସହ ତାଙ୍କର ଗଭୀର ଭାବନାତ୍ମକ ସମ୍ପର୍କ ରହିଛି ବୋଲି ରାଜ୍ୟପାଳ କହିଥିଲେ। ଏହାର ପରମ୍ପରା, ଲୋକସଂସ୍କୃତି ଓ ପରିଶ୍ରମୀ ଜନସାଧାରଣଙ୍କ ପାଇଁ ସେ ଗର୍ବ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଉପରେ ଆଲୋକପାତ କରି ରାଜ୍ଯପାଳ କହିଥିଲେ ଯେ, ଉଭୟ ରାଜ୍ୟର ଐତିହାସିକ, ଭୌଗୋଳିକ ଓ ସାଂସ୍କୃତିକ ମୂଳଦୁଆ ସମାନ। ବିଶେଷକରି ଜନଜାତି ଐତିହ୍ୟ ଉଭୟ ରାଜ୍ୟକୁ ଯୋଡ଼ି ରଖିଛି। ସୀମାନ୍ତ ଅଞ୍ଚଳର ଲୋକମାନେ ଦୀର୍ଘଦିନ ଧରି ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ବଜାୟ ରଖିଛନ୍ତି। ପ୍ରକୃତି ପ୍ରତି ସମ୍ମାନ ଓ ସାମୂହିକ ଭାବନା ଉଭୟ ରାଜ୍ୟର ସାଧାରଣ ମୂଲ୍ୟବୋଧ ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ସାଂସ୍କୃତିକ ପରିଚୟ ସମ୍ପର୍କରେ କହି ସେ ଉଲ୍ଲେଖ କରିଥିଲେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ପରମ୍ପରା ସମାନତା, କରୁଣା, ସେବା ଓ ମାନବିକତାର ଚିରନ୍ତନ ବାର୍ତ୍ତା ପ୍ରଦାନ କରେ। ରଥଯାତ୍ରାରେ ସମାଜର ସମସ୍ତ ବର୍ଗର ଲୋକଙ୍କ ଅଂଶଗ୍ରହଣ ଏକତା, ଭାଇଚାରା ଓ ସାମୂହିକ ଭକ୍ତିଭାବର ପ୍ରତୀକ ବୋଲି ସେ କହିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଏକ ଭାରତ, ଶ୍ରେଷ୍ଠ ଭାରତ' ପରିକଳ୍ପନା ଦେଶର ବିବିଧ ଭାଷା, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ପାଇଁ ଲୋକଙ୍କୁ ପ୍ରେରିତ କରୁଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ବିକାଶରେ ଝାଡ଼ଖଣ୍ଡର ଲୋକମାନଙ୍କ ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସେମାନେ ନିଜର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ସହ ଉଭୟ ରାଜ୍ୟ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ନିଜସ୍ୱ ସାଂସ୍କୃତିକ ପରିଚୟକୁ ଅକ୍ଷୁଣ୍ଣ ରଖି ସାମୂହିକ ଆକାଂକ୍ଷା ନେଇ ଆଗକୁ ବଢ଼ିବା ହିଁ ଜାତୀୟ ଏକତାର ପ୍ରକୃତ ଭାବନା ବୋଲି ରାଜ୍ୟପାଳ କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାରେ ରହୁଥିବା ଝାଡ଼ଖଣ୍ଡର ମୂଳ ବାସିନ୍ଦାମାନେ ନିଜର ଅନୁଭୂତି ବାଣ୍ଟିଥିଲେ। ଏଥିରେ ସିଆରପିଏଫ୍ ଡିଆଇଜି ରବୀନ୍ଦ୍ର କୁମାର ମଧ୍ୟ ନିଜ ଅନୁଭବ ପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଲୋକଭବନରେ ଝାଡଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ଓ ଜନଜାତୀୟ ଗୌରଵ ଦିଵସ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

