ପୁଣ୍ୟାଶ୍ରମର ବ୍ୟାଙ୍କ ଆକାଉଣ୍ଟ ଜବତକୁ ନେଇ ଓଡିଶା ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ଜଣାଶୁଣା ସମାଜସେବିକା ସୁଶ୍ରୀ ରେଣୁବାଳା ସାହୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷୟିତ୍ରୀ  ଭାବରେ ତାଲିମ ଗ୍ରହଣ କରିବା ପରେ ଗତ ୨୦୦୨ ମସିହାରେ ନିଜ ପିତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ତାଙ୍କ ନାମରେ  ନକୁଳ ଚନ୍ଦ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ଓ  ନକୁଳ ଚନ୍ଦ୍ର ସ୍ୱତନ୍ତ୍ର ମୁକ ବଧିର ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟ  ୧୫ ବର୍ଷ ଚଳାଇବା ପରେ, ସେ ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆର୍ଥିକ ସହାୟତା ଲାଭ କରିଥିଲେ । କିନ୍ତୁ କିଛି ଅସାଧୁ ବ୍ୟକ୍ତି ଚଞ୍ଚକତା କରି ନିଜର ଫାଇଦା ପାଇଁ ରେଣୁବାଳା ସାହୁଙ୍କଠାରୁ ଛଡ଼ାଇ ନେବା ପାଇଁ ଷଡଯନ୍ତ୍ର କରି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମତାଇ ଭୟଙ୍କର କରୁଣ (କୋଭିଡ-୧୯)ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେଆଇନ ଧାରଣା ଦେଇଥିଲେ । ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଅତି ତରବରିଆ ଭାବେ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଜିଲ୍ଲା ରେଡ୍ କ୍ରସକୁ ଟେକି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟ କାର୍ଯ୍ୟକାରୀ ନ କରିବା ପାଇଁ ରହିତାଦେଶ ଜାରି କରିଛନ୍ତି । ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ନ୍ୟାୟମୂର୍ତ୍ତୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ରେଣୁବାଳାଙ୍କ ଦ୍ୱାରା ଆଗତ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିଷେଧାଜ୍ଞା ଜାରି କରିଛନ୍ତି । ଷଡଯନ୍ତ୍ରକାରୀମାନେ ଅଭିଯୋଗ କରିଥିଲେ ଯେ, ପୁଣ୍ୟାଶ୍ରମର ସମ୍ପାଦିକା ସରକାରଙ୍କଠାରୁ ଦୁଇ ଗୋଟି ଦରମା ଗ୍ରହଣ କରୁଛନ୍ତି ଯାହା କି ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ରେଣୁବାଳା ସାହୁ ପୁଣ୍ୟାଶ୍ରମର ଅବୈତନିକ ସମ୍ପାଦିକା ଭାବେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ଏଥିପାଇଁ ସେ ବେତନ ଆକାରରେ କୌଣସି ସରକାରୀ ବା ବେସରକାରୀ ସୂତ୍ରରୁ ଟଙ୍କାଟିଏ ବି ଦରମା ନେଇ ନାହାନ୍ତି । ପୁଣି ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଦେବା ଏବଂ ବିଦ୍ୟାଳୟର ଅର୍ଥ ବାଟମାରଣା ସମ୍ପର୍କରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ୨୦୨୦ - ୨୧ ମସିହାରେ ସରକାର ଯେଉଁ ଖାଦ୍ୟ ଭତ୍ତା ୩ ମାସ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ, ତାହା ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାକୁ ପଠାଇ ଦିଆଯାଇଛି । ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ଦରମା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପଠାଉଛନ୍ତି । ଅନ୍ୟ ପକ୍ଷରେ ଗତ ୨ ବର୍ଷ ହେଲା ଘରଭଡା ଏବଂ ବିଦ୍ୟୁତ ଶୁଳ୍କ ବାବଦକୁ ଯେଉଁ ଅର୍ଥ ବିଦ୍ୟାଳୟକୁ ମିଳିବା କଥା, ତାହା ନ ମିଳିବାରୁ ରେଣୁବାଳା ସାହୁ ବହୁ କଷ୍ଟରେ ବନ୍ଧୁବାନ୍ଧବଙ୍କ ଠାରୁ ଟଙ୍କା ଧାର କରି ବିଦ୍ୟୁତ ଶୁଳ୍କ ପୈଠ କରିଛନ୍ତି । ଏ କଥା ମଧ୍ୟ ଜିଲ୍ଲା ପ୍ରଶାସନକୁ ଭଲଭାବେ ଜଣା ଅଛି । କିନ୍ତୁ ସ୍ୱତନ୍ତ୍ର ବିଦ୍ୟାଳୟ ନିୟମାବଳୀ ୨୦୧୩ ର ଖୋଲାଖୋଲି ଭାବରେ ଉଲ୍ଲଂଘନ କରି ଅନୁଗୋଳ ଜିଲ୍ଲାପାଳ ପୁଣ୍ୟାଶ୍ରମ ସଂସ୍ଥା ଦ୍ୱାରା ପରିଚାଳିତ ୨ ଟି ଯାକ ଜମାଖାତା ସିଜ୍ କରିଛନ୍ତି ଏବଂ ପୁଣ୍ୟାଶ୍ରମର ସମ୍ପାଦିକାଙ୍କୁ ସମ୍ୟକ ସୂଚନା ମଧ୍ୟ ଦେଇ ନାହାନ୍ତି । ଏହି ଅଭିସନ୍ଧି ଓ ଷଡଯନ୍ତ୍ରର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାପାଳ ଏହି କାର୍ଯ୍ୟ କରିଛନ୍ତି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ରେଣୁବାଳା ପୁନର୍ବାର ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେବା ସହ ରାଜ୍ୟର ଅପରାଧ ନିୟନ୍ତ୍ରଣ ସଂସ୍ଥା ଦ୍ୱାରା ନକୁଳ ଚନ୍ଦ୍ର ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବେଆଇନ ଗଣଧାରଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିବେ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି । 

 

powered by social2s