ଆଉ ୪ ପାନ୍ଥନିବାସକୁ ଘରୋଇକରଣ ନିଷ୍ପତ୍ତିକୁ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀଙ୍କ ବିରୋଧ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ଆଉ ୪ ଟି ପାନ୍ଥନିବାସକୁ ଘରୋଇକରଣ ନିଷ୍ପତ୍ତିକୁ ଉତ୍କଳ ପର୍ଯ୍ୟଟନ ନିଗମ ସଙ୍ଘର କର୍ମଚାରୀ ବିରୋଧ କରିଛନ୍ତି। ସଙ୍ଘର କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର କହିଛନ୍ତି ଯେ ଚାଲୁଥିବା ସତ୍ତ୍ବେ ୪ଟି ପାନ୍ଥନିବାସକୁ ଘରୋଇକରଣ କଲେ। ଏବେ ପୁଣି ଆଉ ୪ଟି ପାନ୍ଥନିବାସକୁ ଘରୋଇକରଣ କରିବାକୁ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି। ପୂର୍ବରୁ ବାଲେଶ୍ବର, ଭଦ୍ରକ, ଗୋପାଳପୁର ଓ ତପ୍ତପାଣିକୁ ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଥିବା ବେଳେ ଏବେ କୋଣାର୍କ, ପଞ୍ଚଲିଙ୍ଗେଶ୍ବର, ଧଉଳି ଓ ସାତପଡ଼ା ପାନ୍ଥନିବାସକୁ ଘରୋଇକରଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗର କେତେକ ପ୍ରକଳ୍ପ ବହୁଦିନ ଧରି ପଡ଼ି ରହିଥିବା ବେଳଳେ ସେଗୁଡ଼ିକୁ ଘରୋଇକରଣ କରାନଯାଇ ଲାଭରେ କୋଟି କୋଟି ଟଙ୍କାର ଲାଭ ଦେଉଥିବା ପାନ୍ଥନିବାସକୁ ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ହୀନ ପ୍ରୟାସ କରାଯାଉଛି ବୋଲି ପାତ୍ର ସୂଚନା ଦେଇଛନ୍ତି। ସେ କହିବା ଅନୁଯାୟୀ, ୨୦୧୯-୨୦ ସୁଦ୍ଧା ପାନ୍ଥନିବାସ ୩୪ କୋଟି ଲାଭାଂଶ ଦେଇଥିବା ବେଳେ ୨୦୧୭-୧୮ରେ ୧ କୋଟି ଏବଂ ୨୦୧୮-୧୯ରେ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଡେଭିଡେନ୍ସ ପାଣ୍ଠିକୁ ଦାନ କରାଯାଇଛି। ଏହା ସହିତ ନିଗମକୁ ରୌପ୍ୟବର୍ଗର ଉଦ୍ୟୋଗ ମାନ୍ୟତା ଦିଆଯାଇଛି। ଏକ ହଜାର ନିୟମିତ, ଏନ୍ଏମ୍ଆର୍, ଠିକା ଓ ଆଉଟ୍ସୋର୍ସିଂ କର୍ମଚାରୀ ଏଇଥିରୁ ନିଜ ପରିବାରର ଗୁଜରାଣ ମେଣ୍ଟାଉଛନ୍ତି। ଏହା ସତ୍ତ୍ବେ ପର୍ଯ୍ୟଟନ ବିଭାଗ ଘରୋଇକରଣର ମୋହ ଛାଡ଼ି ପାରୁନାହିଁ। ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ଏନେଇ ବାରମ୍ବାର ବିରୋଧ କରିଆସିଛି। ଏଥିସହ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦେଶକଙ୍କ ନିକଟରେ ଏହାର ଘରୋଇକରଣ ନକରିବାକୁ ଦାବି କରାଯାଇଛି। ଏନେଇ ମାମଲା ନ୍ୟାୟାଳୟରେ ବି ପହଞ୍ଚିଛି। ତାରିଖ ପରେ ତାରିଖ ଗଡ଼ିଚାଲିଛି। ଏହାର ସୁଯୋଗ ନେଇ ପର୍ଯ୍ୟଟନ ବିଭାଗ ସମସ୍ତ ପାନ୍ଥ ନିବାସକୁ ଘରୋଇକରଣ କରିବାର ହୀନ ପ୍ରୟାସ ଜାରି ରଖିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟ ସରକାରଙ୍କ କୋଭିଡ୍ କାଳୀନ ନିର୍ଦେଶ ମୁତାବକ କୌଣସି ସରକାରୀ ବିଭାଗରେ ପିଏମ୍ୟୁ (ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟ୍) ଏଜେନ୍ସି ରହିବେ ନାହିଁ। ମାତ୍ର ପର୍ଯ୍ୟଟନ ବିଭାଗ କ୍ଷେତ୍ରରେ ଏହି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଖାଲି ସେତିକି ନୁହେଁ, ଗତ ଅଗଷ୍ଟ ୩୧ ତାରିଖରେ ପର୍ଯ୍ୟଟନ ବିଭାଗ ସହ ସମ୍ପୃକ୍ତ ପିଏମ୍ୟୁ ଏଜେନ୍ସିର ଚୁକ୍ତିନାମା ଶେଷ ହୋଇସାରିଥିଲେ ବି ସେହି ଏଜେନ୍ସି ଏବେ ମଧ୍ୟ କାମ କରୁଛି। ଏପରିକି ଉକ୍ତ ଏଜେନ୍ସିର ମୁଖ୍ୟ ମିତ୍ରଭାନୁ ଚଉଧୁରୀ ଏବେ ବି ତାଙ୍କ ଟିମ୍ ସହ କାମ କରୁଛନ୍ତି। ମନ୍ତ୍ରୀ, ସଚିବ ଓ ଅଧିକାରୀମାନଙ୍କ ସହ ତାଙ୍କର ମଧୁଚନ୍ଦ୍ରିକା କାହାକୁ ଅଛପା ନାହିଁ। ସମ୍ପୃକ୍ତ ପିଏମ୍ୟୁ ଏଜେନ୍ସିର ମିତ୍ରଭାନୁ ଚଉଧୁରୀ ଏବଂ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା କାରଣରୁ ପାନ୍ଥନିବାସର ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଉଛି। ତେଣୁ ଯଦି ଘରୋଇକରଣ ବନ୍ଦ ନହୁଏ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ବାସଭବନ, ପର୍ଯ୍ୟଟନ ବିଭାଗ ଘେରାଉ କରାଯିବା ସହିତ ସମସ୍ତ କର୍ମଚାରୀ ଧାରଣାକୁ ଓହ୍ଲାଇବେ ବୋଲି ପାତ୍ର କହିଛନ୍ତି । 

powered by social2s