ଦେବଗଡ଼ରେ ଶିଶୁ ସାମ୍ବାଦିକଙ୍କ ତିନି ଦିନିଆ କର୍ମଶାଳା ଉଦଯାପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦେବଗଡ଼: ଦେବଗଡ଼ରେ ଶିଶୁ ସାମ୍ବାଦିକଙ୍କ ତିନି ଦିନିଆ କର୍ମଶାଳା ର ଆଜି ଥିଲା ତୃତୀୟ ତଥା ଅନ୍ତିମ ଦିନ । ଏହି କର୍ମଶାଳାରେ ଦେବଗଡ଼ ଓ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଗତ ଦୁଇ ଦିନରେ ନିଜ ଚାରିଆଡ଼େ ଥିବା ସମସ୍ୟା ଓ ସମ୍ପଦ କୁ ଚିହ୍ନିବା ପ୍ରକ୍ରିୟା ର ଜ୍ଞାନ ଅର୍ଜନ କରିବାସହ ସେଗୁଡିକ ସମ୍ପର୍କରେ ଲେଖା ଲେଖିବା ର କୌଶଳ ଅକ୍ତିଆର କରିଥିଲେ । ଆଜି ସେହିସବୁ ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ସଂପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ଙ୍କୁ କିପରି ସାକ୍ଷାତ କରି ସାକ୍ଷାତକାର ପ୍ରସ୍ତୁତ କରିବାର ତାଲିମ ନେବାସହ ସମସ୍ତଙ୍କ ସମ୍ମୁଖରେ ସଫଳତାର ସହ ଉପସ୍ଥାପନ କରିଥିଲେ ବୋଲି ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଲ ସେଣ୍ଟର୍ (ପିକକ୍) ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଜଣାଇଛନ୍ତି । ୟୁନିସେଫ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତଥା ଧରିତ୍ରୀ ର ସହଯୋଗରେ ପିକକ୍ ସଂଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଏହି କର୍ମଶାଳାରେ ଛାତ୍ର ଛାତ୍ରୀ ଶିଶୁ ଅଧିକାର ସମ୍ପର୍କରେ ଜାଣିବା ସହ ଏକ ସାମ୍ବାଦିକ ଟିଏ ଭଳି ନିଜ ଚତୁର୍ପାର୍ଷ୍ୱ କୁ ପ୍ରଭାବିତ କରୁଥିବା ବିଷୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ଓ ଜଣାଇବାର ତାଲିମ ପାଉଥିବା ବେଳେ ଆଜି ଦେବଗଡ଼ରେ ମାଙ୍କଡ ମାନଙ୍କ ଦୌରତ୍ମ୍ୟ, ଜଳପ୍ରପାତ ଗୁଡ଼ିକର ସୂପରିଚାଳନା ର ଆବଶ୍ୟକତା, ଦେବଗଡ଼ ର ସ୍ୱାସ୍ଥ୍ୟ ଓ ପରିବେଶ ରେ ଆସିଥିବା ସମସ୍ୟା ସମ୍ପର୍କରେ ଏହି ଛାତ୍ରଛାତ୍ରୀ ବିଶଦ ଭାବେ ଆଲୋଚନା କରି ସେ ସମ୍ପର୍କରେ ସଂପୃକ୍ତ ଅଧିକାରୀ ଙ୍କୁ ପଚାରିବାକୁ ଥିବା ପ୍ରଶ୍ନ ର ତାଲିକା ପ୍ରସ୍ତୁତ କରିଥିଲେ । ବିଭିନ୍ନ ସମସ୍ୟା କଥାକୁ ଆଲୋଚନା କରୁଥିବା ବେଳେ ଛାତ୍ରଛାତ୍ରୀ ନିଜ ମଧ୍ୟରେ ପ୍ରଶ୍ନ ପଚାରିବାର କଳା କୁ ଅକ୍ତିଆର କରିବା ଫଳରେ ଏହା ସେମାନଙ୍କ ଜୀବନ ରେ ବହୁ ପରିମାଣ ରେ ସହାୟକ ହେବ ବୋଲି ୟୁନିସେଫ ର କମ୍ୟୁନିକେସନ କଂସଲ୍ଟାଣ୍ଟ ଶାରଦା ଲାହାଙ୍ଗିର ସୂଚନା ପ୍ରଦାନ କରିଛନ୍ତି । ଏଥି ସହିତ ନିଜ ଭିତରର ସମ୍ଭାବନାକୁ ନେତୃତ୍ୱ ଦେଇ କିପରି ବିନା ଭୟ ଓ ସଙ୍କୋଚ ରେ ନିଜକୁ ବ୍ୟକ୍ତ କରିପାରିବେ ସେ ସମ୍ପର୍କରେ ମଧ୍ୟ ଏହି ଛାତ୍ରଛାତ୍ରୀ ଦକ୍ଷତାର ତାଲିମ ପାଇଛନ୍ତି । ଛାତ୍ରଛାତ୍ରୀ ଲେଖନୀ ସହିତ କ୍ୟାମେରା କୁ ବ୍ୟବହାର କରି ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି କିପରି ଏକ ଖବର ପ୍ରସ୍ତୁତ କରିବାକୁ ହୁଏ ସେ ସପର୍କରେ ଜ୍ଞାନ ଅର୍ଜନ କରିଛନ୍ତି । ଆଜି ଶିବିର ସମାପନ ହେବା ପୂର୍ବରୁ ଛାତ୍ରଛାତ୍ରୀ ଲେଖିବାର ଶୈଳୀ, ସାମ୍ବାଦିକତାର ଧାରା, ପ୍ରଶ୍ନ ପଚାରିବା ର ପ୍ରକ୍ରିୟା ସମ୍ପର୍କରେ ତାଲିମ ପାଇ ଏକ ସାମ୍ବାଦିକ ଭଳି ମତାମତ କୁ ପ୍ରକାଶ କରିପାରିବାର ଦକ୍ଷତା ହାସଲ କରିଛନ୍ତି ବୋଲି ଉଜ୍ଜାପନି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଦେବଗଡ଼ ଡିସିପିଓ ରୋମିଓ ମହାପାତ୍ର ଜଣାଇଛନ୍ତି । ଏହି ଶିବିରରେ ତାଲିମ ପାଉଥିବା ଛାତ୍ରଛାତ୍ରୀଙ୍କ ଲେଖାକୁ ନେଇ ଆସନ୍ତା ଦିନ ରେ ଏକ ମାସିକ ପତ୍ରିକା ପ୍ରକାଶନ କରିବାର ଯୋଜନା ଥିବା ସହ ଆସନ୍ତା ଦିନରେ ଦେବଗଡ଼ ରେ ଆୟୋଜିତ ହେବାକୁ ଥିବା ଚାଇଲ୍ଡ ପାର୍ଲିଆମେଣ୍ଟ ସମୟରେ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ନେବା ପାଇଁ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଠ ଜଣଙ୍କୁ ସୁଯୋଗ ଦିଆଯିବ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଙ୍କ ସହ ପିକକ୍ ର କୋଷାଧ୍ୟକ୍ଷ ରତ୍ନା ଦାସ ଏବଂ କର୍ମକର୍ତ୍ତା ସମର ଦାସ ଓ ପ୍ରେମାନନ୍ଦ ମାଝୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।

powered by social2s