ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭାରତୀୟ ଜାତୀୟ ସଂହତି ଆମର ଗର୍ବ ଓ ଗୌରବ I ଆମ ଜାତୀୟ ସଂହତି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି I ତେଣୁ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ଆଦି ସଂକୀର୍ଣ୍ଣ ଭାବନାରୁ ଉର୍ଦ୍ଧକୁ ଯାଇ ଆଗକୁ ବଢ଼ି ପାରିଲେ ଏକ ନୂଆ ଭାରତବର୍ଷ ଗଠନ ସମ୍ଭବ ବୋଲି ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମତବ୍ୟକ୍ତ କରିଛନ୍ତି I ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି, ଭୁବନେଶ୍ୱରର ମିଳିତ ଅନନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ "ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ" ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଯୁବକ ମାନେ ହେଉଛନ୍ତି ଦେଶର ଭବିଷ୍ୟତ I ଦେଶର ଏକତା, ସାର୍ବଭୌମ୍ୟ ଓ ଜାତୀୟ ସଂହତି ବଜାୟ ରଖିବା ଦିଗରେ ଏକାଠି ହୋଇ କାର୍ଯ୍ୟ କଲେ ଦେଶର ପ୍ରଗତିର ଶୀର୍ଷ ସ୍ତରରେ ପହଂଚିବ ବୋଲି ସେ କହିଥିଲେ I ଉତ୍ସବରେ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ବିଧାୟକ ତଥା ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି, ଭୁବନେଶ୍ୱରର ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ତାଙ୍କ ଉଦ୍ୟମ ବିଷୟରେ ଉଦବୋଧନ ଦେଇଥିଲେ I ସେହିପରି ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନ ପ୍ରଫେସର ଶ୍ରୀ ସୂର୍ଯ୍ୟ ନାରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କ ବୈଦେଶିକ ନୀତି ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ତାଙ୍କ ଉଦ୍ୟମ ବିଷୟରେ ବର୍ଣ୍ଣନା କରିଥିଲେ I ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱକୁ ଆଜିବି କେହି ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ I ଏହି ଅବସରରେ ଚିତ୍ତ ରଞ୍ଜନ ବିଶ୍ୱାଳଙ୍କ ଦ୍ୱାରା ଲିଖିତ ପୁସ୍ତକ " ସ୍ବପ୍ନ ନିରନ୍ତର " ଉନ୍ମୋଚିତ ହୋଇଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ଉତ୍ସବରେ ବିଶିଷ୍ଟ ପାଲା ଗାୟକ ଶ୍ରୀ ଖଗେଶ୍ୱର ମାର୍ଥା ଏବଂ ସାଥୀ କଳାକାରଙ୍କ ଦ୍ୱାରା "ଜାତୀୟ ସଂହତି" ଆଧାରିତ ପାଲା ପରିବେଷଣ କରାଯାଇଥିଲା I ବିଭାଗୀୟ ନିର୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି, ଭୁବନେଶ୍ୱରର ସାଧାରଣ ସମ୍ପାଦକ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ସହକାରୀ ନିର୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବକୁ ସୁଶ୍ରୀ ତନୁଜା ମହାନ୍ତି ସଂଚାଳନା କରିଥିଲେ I

powered by social2s