ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି । ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନିର ୨ଜି ନେଟ୍ୱର୍କରେ ଅଛନ୍ତି ଏବଂ ଇଣ୍ଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି । ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍ୱର୍କରେ ସେବା ପ୍ରଦାନ କରୁଛି । ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି । ଏହି ଫୋନ ଏବେଯାଏଁ ୨ଜି ସେବାରେ ସୀମିତ ରହିଥିବା ୨୫ କୋଟିରୁ ଅଧିକ ଲୋକଙ୍କ ପାଇଁ ବାସ୍ତବରେ ଡିଜିଟାଲ ସ୍ୱାଧୀନତାର ଶୁଭାରମ୍ଭ କରିବା ସହିତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ । ଇଣ୍ଟରନେଟରେ କାର୍ଯ୍ୟ କରୁଥିବା ବଜାରରେ ଯେତେ ସବୁ ଫୋନ ରହିଛି ସେଥି ମଧ୍ୟରେ ଜିଓ ଭାରତ ଭି୨ ଫୋନ୍ର ଦାମ୍ ହେଉଛି ସବୁଠୁ କମ୍ । ୯୯୯ ଟଙ୍କା ଭଳି କମ୍ ଦାମ୍ରେ ଉପଲବ୍ଧ ହୋଇଥିବା ଜିଓ ଭାରତ ଭି୨ ଫୋନ୍ର ମାସିକ ପ୍ଲାନ୍ ମଧ୍ୟ ସବୁଠୁ ଶସ୍ତା ରହିଛି । ଗ୍ରାହକମାନଙ୍କୁ ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି (ବୈଧତା) ମିଳିବ । ଏହା ବ୍ୟତୀତ ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ମାସିକ ୧୪ ଜିବି ଡାଟା ମଧ୍ୟ ମିଳିବ । ଅର୍ଥାତ ପ୍ରତିଦିନ ଅଧା ଜିବି ଡାଟା ମିଳିବ ଯାହା ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନେ ପ୍ରଦାନ କରୁଥିବା ଡାଟା ତୁଳନାରେ ୭ ଗୁଣା ଅଧିକ । ଅନ୍ୟ ଅପରେଟରମାନଙ୍କ ଭଏସ୍ କଲ୍ ଓ ମାତ୍ର ୨ ଜିବି ଡାଟା ଥିବା ମାସିକ ପ୍ଲାନ୍ର ମୂଲ୍ୟ ୧୭୯ ଟଙ୍କା ଭଳି ଦାମ୍ରୁ ଆରମ୍ଭ ହେଉଛି । ସେହି ତୁଳନାରେ ଜିଓ ଭାରତ ଭି୨ ର ମାସିକ ପ୍ଲାନ୍ ଦାମ୍ ବହୁତ କମ୍ ରହିଛି । ଜିଓ ଭାରତ ଭି୨ର ବାର୍ଷିକ ପ୍ଲାନ୍ ମଧ୍ୟ ରହିଛି ଯାହାର ମୂଲ୍ୟ ୧୨୩୪ ଟଙ୍କା ରଖାଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି ବହୁ ସାର୍ବଜନୀନ ମଂଚରେ ୨ଜି ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଛନ୍ତି । ଦେଶରେ ଥିବା ୨୫ କୋଟି ୨ଜି ଗ୍ରାହକମାନଙ୍କୁ ୪ଜିରେ ସାମିଲ କରିବା ଲାଗି କଂପାନି ପକ୍ଷରୁ “ଜିଓ ଭାରତ’ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରାଯାଇଛି । ୪ଜି ଫୋନ୍ ତିଆରି କରିବା ଲାଗି ଅନ୍ୟ କଂପାନିଗୁଡ଼ିକ ଏହି ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ । କାର୍ବନ୍ କଂପାନି ପକ୍ଷରୁ ଏହି ପ୍ଲାଟଫର୍ମର ବ୍ୟବହାର ଆରମ୍ଭ କରାଯାଇଛି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଖୁବ୍ଶୀଘ୍ର ୨ଜି ଫୋନ୍ଗୁଡ଼ିକର ସ୍ଥାନ ନେବ ୪ଜି ଭାରତ ସିରିଜ୍ ମୋବାଇଲ୍ ଫୋନ୍ । ଜିଓ ଭାରତ ଭି୨ ମୋବାଇଲ୍ ଗ୍ରାହକମାନଙ୍କୁ ଜିଓ ସିନେମାର ସବ୍ସ୍କ୍ରିପ୍ସନ୍ ସହିତ ଜିଓ-ସାବନରେ ଥିବା ୮ କୋଟି ଗୀତ ଶୁଣିବାର ସୁଯୋଗ ମିଳିବ । ଗ୍ରାହକମାନେ ଜିଓ ପେ’ ଜରିଆରେ ୟୁପିଆଇ କାରବାର କରିପାରିବେ । ଭାରତର ପ୍ରମୁଖ ଭାଷାଭାଷୀ ଗ୍ରାହକମାନେ ଜିଓ ଭାରତ ଭି୨କୁ ବ୍ୟବହାର କରିପାରିବେ । ଏହି ମୋବାଇଲ୍ ୨୨ ଭାରତୀୟ ଭାଷାରେ କାମ କରିପାରିବ । ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଏବଂ ମାତ୍ର ୭୧ ଗ୍ରାମ ଓଜନର ଜିଓ ଭାରତ ଭି୨ ଫୋନ୍ ୪ଜି ନେଟ୍ୱର୍କରେ କାମ କରୁଛି । ଏଥିରେ ଏଚ୍ଡି ଭଏସ୍ କଲିଂ, ଏଫ୍ଏମ୍ ରେଡିଓ, ୧୨୮ ଜିବିର ଏସ୍ଡି ମେମୋରି କାର୍ଡ ସପୋର୍ଟ ଭଳି ସୁବିଧା ରହିଛି । ମୋବାଇଲ୍ରେ ୪.୫ ସେମିର ଟିଏଫ୍ଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲ୍ କ୍ୟାମେରା, ୧୦୦୦ ଏମ୍ଏଏଚ୍ ବ୍ୟାଟେରି, ୩.୫ ଏମ୍ଏମ୍ର ହେଡ୍ଫୋନ୍ ଜ୍ୟାକ୍, ଶକ୍ତିଶାଳୀ ଲାଉଡ୍ସ୍ପିକର ଓ ଟର୍ଚ ଭଳି ସୁବିଧା ରହିଛି । ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ୨୦୧୮ରେ କଂପାନି ପକ୍ଷରୁ ଜିଓଫୋନ୍ ର ଶୁଭାରମ୍ଭ କରାଯାଇଥିଲା । ବର୍ତମାନ ୧୩ କୋଟିରୁ ଅଧିକ ଗ୍ରାହକଙ୍କ ପସନ୍ଦରେ ପରିଣତ ହୋଇଛି ଜିଓଫୋନ୍ । ଜିଓ ଭାରତ ଭି୨ ଫୋନ୍ରୁ ମଧ୍ୟ କଂପାନି ସେଭଳି ସଫଳତା ଆଶା କରୁଛି । କଂପାନି ପକ୍ଷରୁ ଜୁଲାଇ ୭ରେ ଜିଓ ଭାରତ ଭି୨ର ବିଟା ପରୀକ୍ଷଣ ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି । ଜିଓ ଭାରତ ଭି୨ ଫୋନ୍କୁ ଦେଶର ୬୫୦୦ ତହସିଲରେ ପହଂଚାଇବାକୁ କଂପାନି ଲକ୍ଷ୍ୟ ରଖିଛି ।
ରିଲାଏନ୍ସ ଜିଓ ପକ୍ଷରୁ ୯୯୯ ଟଙ୍କିଆ ୪ଜି ଫୋନ୍ “ଜିଓ ଭାରତ ଭି୨’ ଉନ୍ମୋଚିତ; ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ ନଜର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s