ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ । ଯାହାର ନାଁ ରଖାଯାଇଛି ଓମିକ୍ରୋନ୍ । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କାଟାଗୋରୀରେ ରଖିଥିବା ବେଳେ ସାରା ବିଶ୍ୱର ଚିନ୍ତା ବଢ଼ିଛି । କରୋନାର ନୂଆ ପ୍ରଜାତି ଏମିକ୍ରୋମ ଏବେ ପୁରା ଦୁନିଆଁରେ ବଢୁଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଏକ ପ୍ରକାର ଭୟ ଦେଖାଦେଇଛି । ଏପରି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ସୂଚନା ରହିଛି । ଏଥିରେ କରୋନାର ବର୍ତ୍ତମାନ ସ୍ଥିତି ଓ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀ ଓ ସଚିବଙ୍କ ସହ ଆଲୋଚନା ହେଉଛି ।
ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ନେଇ ବୈଠକରେ ଆଲୋଚନା ହେବ । ଏବେ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ପରେ କରୋନା ସଂକ୍ରମଣ ଦ୍ରୁତ ବ୍ୟାପୁଛି । କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ ସମେତ ଆଉ କିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଆଜିର ବୈଠକରେ ଶିକ୍ଷାନୁଷ୍ଠାରେ କରୋନା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ।
କରୋନାର ନୂଆ ଭାରିଆଣ୍ଟ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଛି । ଆମେରିକା, ବ୍ରିଟେନ୍ ସମେତ ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକାକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରି ଦେଲେଣି । ଏଭଳି ସ୍ଥିତିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଡିସେମ୍ବର ୧୫ରୁ ବନ୍ଦ ଥିବା ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରିବାକୁ ଘୋଷଣା କରିଛି । ନୂଆ ଷ୍ଟ୍ରେନ୍ ସତର୍କତା ପରେ ଏଦିଗରେ ଆଜିର ବୈଠକରେ ବିଚାରବିମର୍ଶ କରି କୌଣସି ନିଷ୍ପତ୍ତି ନେଇ ପାରନ୍ତି ପ୍ରଧାନମନ୍ତ୍ରୀ ।
ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ପ୍ରଜାତି ଡେଲଟା ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ମଧ୍ୟ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏନେଇ ଅନୁଧ୍ୟାନ ଚାଲିଛି, ଏହା କେତେ ମାତ୍ରାରେ ପ୍ରଭାବ ପକାଇବ, ଆଉ କିଛି ସପ୍ତାହ ପରେ ଜଣାପଡିବ ।
ସେପଟେ ଫ୍ରାନ୍ସ, ବ୍ରିଟେନ୍, ଇସ୍ରାଏଲ ଭଳି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିଛି । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ଜେନମ୍ ସିକ୍ୱୁଏନ୍ସିଂ ପାଇଁ ତୁରନ୍ତ ପଠାଇବାକୁ କୁହାଯାଇଛି । ଏପଟେ କରୋନାର ନୂଆ ପ୍ରଜାତିକୁ ନେଇ ଓଡ଼ିଶାବାସୀଙ୍କୁ ସତର୍କ କରାଇଛନ୍ତି ଡିଏମଇଟି ଡକ୍ଟର ରମାରମଣ ମହାନ୍ତି ।
ଏହା ବ୍ୟତୀତ ଟିକାକରଣ ବାବାଦରେ ବି ବୈଠକରେ ଆଲୋଚନା ହେବ । ଘରେ ଘରେ ଲୋକଙ୍କୁ ଟିକା ଦିଆଯାଉଛି । କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ବି ଲୋକ ସଂକ୍ରମିତ ହେଉଛନ୍ତି । ଯାହାକି ସରକାରଙ୍କ ଚିନ୍ତା ବଢ଼ାଇଛି ।
କରୋନାର ବର୍ତ୍ତମାନ ସ୍ଥିତି ଓ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀ ଓ ସଚିବଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

