କୁକୁର କାମୁଡ଼ାରେ ୮ ଆହତ
ବଣାଇ: ସୁନ୍ଦରଗଡ଼ ଜିଲ୍ଲାରେ କୁକୁର କାମୁଡ଼ାରେ ୩ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଷୁଣ୍ଢିକୋଣ, ମଧୁପୁର ଅଞ୍ଚଳରେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା କୁକୁର। କୁକୁରକୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ।
ବଣାଇ: ସୁନ୍ଦରଗଡ଼ ଜିଲ୍ଲାରେ କୁକୁର କାମୁଡ଼ାରେ ୩ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଷୁଣ୍ଢିକୋଣ, ମଧୁପୁର ଅଞ୍ଚଳରେ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା କୁକୁର। କୁକୁରକୁ ପିଟି ପିଟି ମାରିଦେଲେ ସ୍ଥାନୀୟ ଲୋକେ।
ଭୁବନେଶ୍ବର: ଆଜିଠୁ ଓଡ଼ିଶାରେ ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ୪ ଜିଲ୍ଲା- ମାଲକାନଗିରି, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଭିଷଣ ବର୍ଷା ପାଇଁ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରିଛି ଭୁବନେଶ୍ବର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେପ୍ଟେମ୍ବର ୨୬ ଓ ୨୭ ରେ ଅଧିକ ରହିପାରେ ବର୍ଷାର ପ୍ରଭାବ।
ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବ୍ରହ୍ମପୁରରେ ହେବାକୁ ଥିବା ବେଳେ ପାଣିପାଗ ବିଭାଗ ତରଫରୁ ବର୍ଷା ହେବା ସଂପର୍କରେ ପୂର୍ବାନୁମାନ ଯୋଗୁଁ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ଝାରସୁଗୁଡାରେ ଅନୁଷ୍ଠିତ ହେବା ନେଇ ପରିବର୍ତ୍ତନ କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ ହେବା ନେଇ ଆଜି ସକାଳେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଝାରସୁଗୁଡା ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ସେଠାରେ ଏକ ବୈଠକରେ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ପରେ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରାପ୍ତ ସଦ୍ୟ ସୂଚନା ଅନୁସାରେ ମାନ୍ୟବର ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୭ ତାରିଖ ସକାଳ ୯ଘ. ୨୦ ମି ସମୟରୁ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେବା ବିମାନ ଯୋଗେ ବାହାରି ଝାରସୁଗୁଡା ବିମାନବନ୍ଦରରେ ପୂର୍ବାହ୍ନ ୧୧ ଘ. ୧୦ ମି.ରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ ଘ.୨୫ମି. ସମୟରେ ଅମଲିପାଲି ସ୍ଥିତ ପଡିଆରେ ପହଁଚି ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ । ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହା ପରେ ମାନ୍ୟବର ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଅପରାହ୍ଣ ୧୨ଘ.୪୫ମି. ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରଛାତ୍ରୀ, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ ହଜାର ଜନ ସମାବେଶ ହେବାର ଆଶା କରାଯାଉଛି । କାର୍ଯ୍ୟକ୍ରମ ଆୟୋଜନ ନେଇ ଏଥିପାଇଁ ଝାରସୁଗୁଡା ବିମାନବନ୍ଦରରେ ଠାରୁ ଆରମ୍ଭ କରି ଆବଶ୍ୟକ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା, ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଅତିଥିଭବନରେ ସାମୟିକ ରହଣି, ଅନୁମୋଦିତ ଅନୁସାରେ ସଭାସ୍ଥଳରେ ମଞ୍ଚ ପ୍ରସ୍ତୁତି, ଭିଭିଆଇପି, ଭିଆଇପି ମାନଙ୍କ ବସିବା ସ୍ଥାନ, ଯାତାୟତ, ଦର୍ଶକମାନଙ୍କ ବସିବା ସ୍ଥାନ, କାରକେଡ ପ୍ଲାନ୍, ଡାକ୍ତରୀ ଚିକିତ୍ସା, ସଡ଼କ ମରାମତି, ପରିବହନ ବ୍ୟବସ୍ଥା କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ , ପାନୀୟ ଜଳଯୋଗାଣ, ପରିମଳ ବ୍ୟବସ୍ଥା, ମୋବାଇଲ ଶୌଚାଳୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପାସ ବ୍ୟବସ୍ଥା ସହିତ ଗଣମାଧ୍ୟମରେ ପ୍ରଚାରପ୍ରସାର ସଂପର୍କିତ ବିସ୍ତୃତ ଆଲୋଚନା କରାଯାଇଥିଲା ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି. ଖୁରାନିଆଙ୍କ ସମେତ ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ, ପୁଲିସ ପ୍ରଶାସନ ତଥା ସଂପୃକ୍ତ ବିଭିନ୍ନ ସଂସ୍ଥାର ବରିଷ୍ଠ ପଦାଧିକାରୀ ଓ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଝାରସୁଗୁଡାରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ କୁମାର ଲାଲ, ଝାରସୁଗୁଡା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଉତ୍ତରାଞ୍ଚଳ ଆଇଜି ସୁରକ୍ଷା ବ୍ୟବସ୍ଥା, ଜନଗହଳି ଓ ଟ୍ରାଫିକ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ସଦ୍ୟତମ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଝାରସୁଗୁଡା, ଜିଲ୍ଲାପାଳଙ୍କୁ ପ୍ରସ୍ତୁତି ନେଇ ସମନ୍ୱୟ ନିମନ୍ତେ ସାମଗ୍ରିକ ଭାବେ ଦାୟିତ୍ୱ ଦିଆଯାଇଛି । ଏଥି ପାଇଁ ପୂର୍ବଭଳି ରାଜ୍ୟ ମୁଖ୍ୟାଳୟ ଗୃହ ବିଭାଗରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ । ମୁଖ୍ୟ ଶାସନ ସଚିବ ଉପଯୁକ୍ତ ଯୋଜନା କରି ଜନଗହଳି ପରିଚାଳନା, ପାର୍କିଂ ବ୍ୟବସ୍ଥା ଓ ସମସ୍ତ କାର୍ଯ୍ୟ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଯେଉଁ ଯେଉଁ ବିଭାଗ ଓ ସଂପୃକ୍ତ ସଂସ୍ଥାର କାର୍ଯ୍ୟ ରହିଛି, ସେମାନେ ତାହାକୁ ଉପଯୁକ୍ତ ଦୃଷ୍ଟି ଦେଇ ସୁଚାରୁରୂପେ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବର: ପୂଜା ପାଇଁ ଓଡ଼ିଶାର ସମସ୍ତ ସରକାରୀ କର୍ମଚାରୀ ପାଇବେ ଆଗୁଆ ଦରମା। ସେପ୍ଟେମ୍ବର ମାସ ଦରମା ଆଗୁଆ ପାଇବେ କର୍ମଚାରୀ। ସେପ୍ଟେମ୍ବର ୨୬ ତାରିଖରେ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କଟକ: ଆଜି ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ଏକ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ୪୦ରୁ ଉର୍ଦ୍ଧ୍ୱ ଜଣ ରକ୍ତଦାତାଙ୍କ ଠାରୁ ପ୍ରାୟ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସମ୍ପାଦକ ଡ଼ଃ ବିଶ୍ୱମୋହନ ଜେନା ଏବଂ ପରିବେଶବିତ ତଥା କୁଇଯମାଷ୍ଟର ପ୍ରଶମିତ କାନୁନଗୋ। ବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସବିତା ମିଶ୍ର ରକ୍ତଦାତା ମାନଙ୍କ ସହିତ କେନ୍ଦ୍ରୀୟ ରେଡ କ୍ରସ ରକ୍ତ ଭଣ୍ଡାରରୁ ଆସିଥିବା ଡାକ୍ତର ରଘୁନାଥ ବେଉରା ଏବଂ ତାଙ୍କ ସହକର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ତଥା ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର, ରୋଭର ରେଞ୍ଜର ୟୁନିଟର ମୁଖ୍ୟ ତଥା ଅର୍ଥନୀତି ଅଧ୍ୟାପକ କାର୍ତ୍ତିକେଶ୍ୱର ବେହେରା, ବାଣିଜ୍ୟ ଅଧ୍ୟାପିକା ବନ୍ଦିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନେ ମଧ୍ୟ ସାମିଲ ହୋଇ ଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କ ସହିତ ରୋଭର ରେଞ୍ଜର ସ୍ବେଚ୍ଛାସେବୀ ମାନେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱର, ଆୟୁଷ ବିଭାଗ ପକ୍ଷରୁ ଗତକାଲି ୧୦ମ ଆୟୁର୍ବେଦ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଯୋଗ ଦେଇଥିଲେ। ଡ. ବିଶ୍ବାସ ଦୈନନ୍ଦିନ ସ୍ୱାସ୍ଥ୍ୟସେବାରେ ଆୟୁର୍ବେଦର ବର୍ଦ୍ଧିତ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଆଧୁନିକ ଚିକିତ୍ସା ପଦ୍ଧତି ସହିତ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିକୁ ସମନ୍ୱିତ କରିବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଅନୁଷ୍ଠାନର ପତ୍ରିକା “ଆୟୁଷ୍ବାଣୀ”କୁ ଉନ୍ମୋଚିତ କରିଥିଲେ। ଆୟୁଷ ବିଭାଗ ପକ୍ଷରୁ ପ୍ରକାଶିତ ଏହି ପତ୍ରିକା ଆୟୁର୍ବେଦ ସମ୍ପର୍କରେ ବିଭିନ୍ନ ସୂଚନା ଦେବା ସହିତ ଗବେଷଣାତ୍ମକ ତଥ୍ୟ ପ୍ରଦାନ କରିବାରେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏମ୍ସ ଭୁବନେଶ୍ୱରରେ ଆୟୁଷ ବିଭାଗ ଉଭୟ ଓପିଡି ଏବଂ ଆଇପିଡି ସେବା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ପଞ୍ଚକର୍ମ, ଶିରୋଧାର, ଜାନୁବସ୍ତି, କଟି ବସ୍ତି, ଶିରୋବସ୍ତି, ନେତ୍ର କ୍ରିୟାକଳ୍ପ, ଯୋଗିକ କ୍ରିୟା ସମେତ ଶାସ୍ତ୍ରୀୟ ଆୟୁର୍ବେଦିକ ଚିକିତ୍ସାର ଏକ ବିସ୍ତୃତ ସେବା ପ୍ରଦାନ କରୁଛି। ଏହି ବିଭାଗ ରୋଗୀମାନଙ୍କୁ ମାଗଣାରେ ଆୟୁର୍ବେଦିକ, ହୋମିଓପାଥିକ୍ ଏବଂ ୟୁନାନି ଔଷଧ ପ୍ରଦାନ କରୁଥିବା ଏକ ସ୍ବତନ୍ତ୍ର ଫାର୍ମାସି ମଧ୍ୟ ପରିଚାଳନା କରୁଥିବା ଡ. ବିଶ୍ୱାସ ସୂଚନା ଦେଇଛନ୍ତି। ଏହି ବିଭାଗ ପକ୍ଷରୁ ଜଟିଳ ଅଲ୍ସର, ଭାରିକୋଜ୍ ଭେନ୍ ଏବଂ ଏକଜିମା ଭଳି ଅବସ୍ଥା ପାଇଁ ଲିଚ୍ ଥେରାପି ପ୍ରଚଳନ କରିଛି। ଫିଷ୍ଟୁଲା ଏବଂ ପାଇଲୋନିଡାଲ୍ ସାଇନସ୍ ସମେତ ଆନୋରେକ୍ଟଲ୍ ରୋଗ ପରିଚାଳନା ପାଇଁ ଏକ ଉତ୍ସର୍ଗୀକୃତ କ୍ଷରସୂତ୍ର ଅପରେସନ୍ ଥିଏଟର୍ ମଧ୍ୟ କାର୍ଯ୍ୟକ୍ଷମ। ଏହା ବ୍ୟତୀତ, ଗ୍ଲୁକୋମା ଏବଂ ଡାଏବେଟିକ୍ ରେଟିନୋପାଥି ଭଳି ଚକ୍ଷୁ ରୋଗଗୁଡ଼ିକୁ କ୍ରିୟାକଳ୍ପ ଏବଂ ପଞ୍ଚକର୍ମ ପ୍ରକ୍ରିୟା ମାଧ୍ୟମରେ ପରିଚାଳନା କରାଯାଉଛି। ଆୟୁଷ ବିଭାଗ ରୋଗୀଙ୍କ ଚିକିତ୍ସା ଏବଂ ନିଦାନ ପାଇଁ ଅନ୍ୟ କ୍ଲିନିକାଲ୍ ୟୁନିଟ୍ ସହିତ ସମନ୍ୱିତ ଭାବରେ କାର୍ଯ୍ୟ କରୁଛି। ଏଥିସହିତ ମଧୁମେହ, ଡିସଲିପିଡେମିଆ, ଅଷ୍ଟିଓଆର୍ଥରାଇଟିସ୍, ରିଉମାଟେଡ୍ ଆର୍ଥ୍ରାଇଟିସ୍, ପିସିଓଏସ୍, ବନ୍ଧ୍ୟାତ୍ୱ ଏବଂ ଚର୍ମ ରୋଗ ସମେତ ବିଭିନ୍ନ ଅବସ୍ଥା ସମ୍ପର୍କରେ ଗବେଷଣା କାର୍ଯ୍ୟ ମଧ୍ୟ ଜାରି ରହିଛି। ଡିଜିଟାଲ୍ ନାଡ଼ି ପରୀକ୍ଷା (ନାଡ଼ି ତରଙ୍ଗିଣୀ) ବ୍ୟବହାର କରି ବ୍ୟକ୍ତିଗତ ଚିକିତ୍ସା ପ୍ରଚଳନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସାମୁଦାୟିକ ଯୋଗାଯୋଗର ଅଂଶ ଭାବରେ ନିୟମିତ ଆୟୁଷ ସ୍ୱାସ୍ଥ୍ୟ ଶିବିର ଏବଂ ପିଲାମାନଙ୍କ ପାଇଁ ମାସିକ ସ୍ୱର୍ଣ୍ଣ ବିନ୍ଦୁ ପ୍ରଶାନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ବରିଷ୍ଠ ଚିକିତ୍ସା ଅଧିକାରୀ ତଥା ଆୟୁଷ ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ କୁମାର ସାହୁ, ଡ. ଅଜିତ କୁମାର ପ୍ରଧାନ (ଆୟୁର୍ବେଦ), ଅଧ୍ୟାପକ, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ଭୁବନେଶ୍ବର: ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ପକ୍ଷରୁ ମାନବ କଲ୍ଯାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଫାଉଣ୍ଡେସନ ଡ ନାରାୟଣ ମହାପାତ୍ର ଙ୍କୁ "ପଦ୍ମ ପ୍ରତିଭା ନେସନାଲ ଆୱାର୍ଡ ୨୦୨୫" ଉପାଧି ପ୍ରଦାନ କରିଛନ୍ତି। ଟ୍ରଷ୍ଟ ପକ୍ଷରୁ ସମାଜ ରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ କିଛି ସମୟ ସେମାନଙ୍କ ସଙ୍ଗେ ରହି ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇ ଥାଏ, ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ସମ୍ମାନସୂଚକ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି। ଏହା ଆମର ସେବା କାର୍ଯ୍ୟ କୁ ପ୍ରେରଣା ଦେବା ସହ ଅନୁଷ୍ଠାନକୁ ଆହୁରି ଆଗେଇ ନେବାକୁ ସାହାଯ୍ୟ କରିବ,ଏହି ଅନୁଷ୍ଠାନର ପ୍ରତିଷ୍ଠାତା କେ ଚକ୍ରବର୍ତ୍ତୀ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ ବୋଲି ପ୍ରକାଶ କରିଛନ୍ତି ଡ ମହାପାତ୍ର।