ଭୁବନେଶ୍ବର: ଏକଦା ବର୍ଷା ଉପରେ ନିର୍ଭରଶୀଳ ଏବଂ ପାରମ୍ପରିକ କୃଷି ପ୍ରଣାଳୀ ପାଇଁ ପରିଚିତ ଥିବା ଓଡ଼ିଶାର କୃଷି କ୍ଷେତ୍ରରେ ଏବେ ଆସିଛି ଉଲ୍ଲେଖନୀୟ ପରିବର୍ତ୍ତନ ।
ଓଡ଼ିଶାର କୃଷିଜାତ ଦ୍ରବ୍ୟର ବଦଳୁଥିବା ପରିଚୟ ଏବଂ ଚାଷୀ ଭାଇଭଉଣୀମାନଙ୍କର ଚାଷ ପ୍ରତି ବଢୁଥିବା ଉତ୍ସାହରୁ ଏହା ସ୍ପଷ୍ଟ ଅନୁମେୟ ।
ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ଦେଓଗଡ଼ ଭଳି ଜିଲ୍ଲାକୁ ନେଇ ଗଠିତ ପଶ୍ଚିମ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ସାଂସ୍କୃତିକ ଓ ଅର୍ଥନୈତିକ ପରିଚୟ ବହନ କରିଛି । ଏହି ଅଞ୍ଚଳରେ ମୁଖ୍ୟତଃ ଧାନ, ଡାଲି, ତୈଳବୀଜ, କପା ଓ ଆଖୁ ଭଳି ଫସଲ ଅଧିକ ଚାଷ କରାଯାଇଥାଏ । ଏଠାକାର ରେ ଚାଷୀମାନେ ଉଭୟ ଖରିଫ ଓ ରବି ଫସଲ ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ଯଦିଓ ଧାନ ଏଠାର ପ୍ରମୁଖ ଫସଲ ତେବେ କପା ଓ ସୂର୍ଯ୍ୟମୁଖୀ ଭଳି ଅର୍ଥକାରୀ ଫସଲ ଚାଷ ପଶ୍ଚିମ ଓଡ଼ିଶାରେ କୃଷି କ୍ଷେତ୍ରରେ ବିବିଧତା ଆଣିବାରେ ସକ୍ଷମ ହୋଇଛି ।
ଏହି ଅଞ୍ଚଳର କୃଷି କ୍ଷେତ୍ରରେ ବହୁତ ସମ୍ଭାବନା ଥିଲେ ମଧ୍ୟ ଏହା ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଅଛି। ଅନିୟମିତ ଜଳସେଚନ, ମରୁଡ଼ି, ଜୀବିକା ପାଇଁ ଶ୍ରମିକଙ୍କ ବାହାରକୁ ସ୍ଥାନାନ୍ତରଣ , ଆଧୁନିକ ଜ୍ଞାନକୌଶଳର ସୀମିତ ବ୍ୟବହାର ସହ ଉପକୂଳ ଓଡ଼ିଶା ତୁଳନାରେ ଭିତ୍ତିଭୂମିର ତାରତମ୍ୟତା ଆଦି ସମସ୍ୟା ଯୋଗୁଁ ଅନେକ କ୍ଷତି ଘଟିଛି । ଏହି ସମସ୍ତ ସମସ୍ୟାର ସମାଧାନ ଦିଗରେ ସରକାରୀ ନୀତି ଓ ହସ୍ତକ୍ଷେପର ଆବଶ୍ୟକତା ରହିଛି।
ପରିବର୍ତ୍ତନର କାହାଣୀ:
କିଛି ବର୍ଷ ପୂର୍ବେ, ପଶ୍ଚିମ ଓଡ଼ିଶାର କୃଷିଜାତ ଦ୍ରବ୍ୟର ବିକ୍ରୟ କେବଳ ସ୍ଥାନୀୟ ମଣ୍ଡି ଓ ଆଞ୍ଚଳିକ ବଜାରରେ ସୀମିତ ଥିଲା। ଚାଷୀମାନେ ପାରମ୍ପରିକ ଚାଷ ପଦ୍ଧତି ଓ ବର୍ଷାଜଳ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଥିଲେ। ସେମାନଙ୍କ ଉତ୍ପାଦ ସମୂହ ଉନ୍ନତ ଗୁଣବତ୍ତାସମ୍ପନ୍ନ ହୋଇଥିଲେ ମଧ୍ୟ, ଅନ୍ତର୍ଜାତୀୟ ରପ୍ତାନି ସେମାନଙ୍କ ପାଇଁ କଳ୍ପନାତୀତ ଥିଲା । ଉନ୍ନତ ଭିତ୍ତିଭୂମିର ଅଭାବ, ସୀମିତ ବଜାର ସୁବିଧା ଏବଂ ବିଶ୍ୱ ମାନଦଣ୍ଡ ସମ୍ପର୍କିତ ସଚେତନତାର ଅଭାବ ଯୋଗୁ ଚାଷୀମାନେ କମ୍ ଲାଭ ଏବଂ ଅନିଶ୍ଚିତ ଆୟ ମଧ୍ୟରେ ବାନ୍ଧି ହୋଇ ରହୁଥିଲେ | କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏସବୁଥିରେ ଆସିଛି ଏକ ଉଲ୍ଲେଖନୀୟ ପରିବର୍ତ୍ତନ ।
ଏବେ ଏହି ଅଞ୍ଚଳର ଭାଗ୍ୟ ବଦଳୁଛି । ଏକଦା ଯେଉଁଠାରେ ଏକ ଜୀବିକା-ନିର୍ଭର ଅର୍ଥନୀତି ଥିଲା ସମୟକ୍ରମେ ତାହା ଏକ ସମୃଦ୍ଧ, ବିବିଧତା ସମ୍ପନ୍ନ ଏବଂ ବିଶ୍ୱସ୍ତରୀୟ କୃଷି-ଭିତ୍ତିକ ଅର୍ଥନୀତିରେ ପରିଣତ ହେଉଛି। ଏହି ପରିବର୍ତ୍ତନର ମୂଳରେ ରହିଛି ଜଳସେଚନ ଓ ଗ୍ରାମୀଣ ଭିତ୍ତିଭୂମିରେ ପୁଞ୍ଜି ନିବେଶ, ଯାହା ଚାଷୀମାନଙ୍କୁ ପାରମ୍ପରିକ ଫସଲ ବ୍ୟତିରକେ ଉଚ୍ଚ-ମୂଲ୍ୟସମ୍ପନ୍ନ ଉଦ୍ୟାନ କୃଷି ଯେପରିକି ଫଳ, ପନିପରିବା, ଫୁଲ ଚାଷ ଏବଂ ବୃକ୍ଷରୋପଣ ଫସଲ ଇତ୍ୟାଦିକୁ ଆପଣେଇବାକୁ ପ୍ରୋତ୍ସାହିତ କରିଛି । ବଜାର-ସଂଯୁକ୍ତ କ୍ରୟ, ରପ୍ତାନି ସୁବିଧା ଏବଂ କ୍ଲଷ୍ଟର-ଭିତ୍ତିକ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକୁ ସୁଦୃଢ଼ କରିବା ଭଳି ପଦକ୍ଷେପ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି। ଫଳସ୍ୱରୂପ, ଆଜି ପଶ୍ଚିମ ଓଡ଼ିଶାର ଉତ୍ପାଦମାନ ବିଶ୍ୱସ୍ତରୀୟ ମାନଦଣ୍ଡ ରଖୁଥିବା ଆମ୍ବ ଓ ଡ୍ରାଗନ ଫ୍ରୁଟ ବିଦେଶୀ ଫଳ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ କଟା ଫୁଲ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ଜାହିର କରିଛି | ଏହି ସବୁ ପଦକ୍ଷେପ ସହନଶୀଳତା, ଗୁଣବତ୍ତା ଏବଂ ବ୍ୟାପକତାର ଏକ ନୂତନ ପରିଚୟ ବହନ କରୁଛି | ଏହି ଅଞ୍ଚଳର କୃଷିଜାତ ଦ୍ରବ୍ୟର ଏହି ନବକଳେବର, ଓଡ଼ିଶାକୁ ଭାରତର ପରବର୍ତ୍ତୀ ଉଦ୍ୟାନ କୃଷିର ପ୍ରମୁଖ ଶକ୍ତିକେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାର ସ୍ପଷ୍ଟ ସଙ୍କେତ ଦେଉଛି | ପଶ୍ଚିମ ଓଡ଼ିଶାର କୃଷି ଅର୍ଥନୀତିରେ ଆସିଥିବା ଏହି ବଡ଼ ପରିବର୍ତ୍ତନ ପଛରେ ରହିଛି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ସୁଚିନ୍ତିତ କୃଷକ କଲ୍ୟାଣକାରୀ ଯୋଜନା | ଏହି ବିଭାଗ ତୃଣମୂଳ ସ୍ତରରେ କୃଷକ ସଂଗଠନଗୁଡ଼ିକୁ ମୂଳଦୁଆ କରି, ଛୋଟ ଛୋଟ ସ୍ଥାନୀୟ ବଜାର ଶୃଙ୍ଖଳକୁ ଏକ ବ୍ୟବସ୍ଥିତ ଢଙ୍ଗରେ ବିଶ୍ୱସ୍ତରୀୟ ନେଟୱାର୍କରେ ପରିଣତ କରିଛି, ଯାହାଦ୍ୱାରା କ୍ଷୁଦ୍ର ଚାଷୀମାନେ ସଶକ୍ତ ହୋଇପାରିଛନ୍ତି | ଏହି ରୂପାନ୍ତରଣକୁ ଆହୁରି ତ୍ୱରାନ୍ୱିତ କରିଛି "PSFPO" ପ୍ରକଳ୍ପ।
ଓଡ଼ିଶାର କୃଷି ବିଭାଗ ନେତୃତ୍ୱରେ, ଗେଟ୍ସ ଫାଉଣ୍ଡେସନର ସହାୟତା ଏବଂ ପାଲାଡିୟମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା, କ୍ଷୁଦ୍ର ଚାଷୀମାନଙ୍କୁ ବିଶ୍ୱ ବଜାରରେ ସଫଳ ହେବା ପାଇଁ ଏକ ସୁଦୃଢ଼ ପରିବେଶ ସୃଷ୍ଟି କରିଛି | କ୍ଷେତ୍ରସ୍ତରୀୟ ସହାୟତା, ପ୍ରଶିକ୍ଷଣ, ଏକ୍ସପୋଜର ଭିଜିଟ ଠାରୁ ଆରମ୍ଭ କରି ଅମଳ ପରବର୍ତ୍ତୀ ପରିଚାଳନା ଓ ପରିବହନ ଭଳି ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ରାଜ୍ୟର କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବା ପାଇଁ ସକ୍ଷମ କରାଯାଇଛି। ଏହାର ଫଳ ସ୍ୱରୂପ, ଆଜି ଚାଷୀମାନେ ୪୦% ରୁ ୬୨% ପର୍ଯ୍ୟନ୍ତ ଲାଭ ପାଉଛନ୍ତି। ଏହି ନାଟକୀୟ ପରିବର୍ତ୍ତନ କେବଳ ଉନ୍ନତ ଉତ୍ପାଦନ ବ୍ୟବସ୍ଥା ଦ୍ୱାରା ସେମାନଙ୍କ ଆୟ ବୃଦ୍ଧି କରୁ ନାହିଁ ବରଂ ସେମାନଙ୍କୁ ଉଚ୍ଚାଭିଳାଷୀ କରାଇଛି । ଯେଉଁଠି ଦିନେ ଚାଷ କେବଳ ବଞ୍ଚିବାର ମାଧ୍ୟମ ଥିଲା , ଆଜି ତାହା ଗୁଣବତ୍ତା, ପ୍ରତିଯୋଗିତା ଏବଂ ବଜାରରେ ନେତୃତ୍ୱ ନେବାର ମାଧ୍ୟମ ପାଲଟିଛି।
ପଶ୍ଚିମ ଓଡ଼ିଶା: କୃଷି କାର୍ଯ୍ୟ ପାଇଁ ବର୍ଷାର ଅପେକ୍ଷାରୁ ଆରମ୍ଭ କରି ବିଶ୍ୱ ବଜାରରେ ନିଜର ସ୍ଥିତି ଜାହିର କରିବା ପର୍ଯ୍ୟନ୍ତର ଯାତ୍ରା ଏହି ଅଭୂତପୂର୍ବ ପରିବର୍ତ୍ତନର ଚିତ୍ର ପଶ୍ଚିମ ଓଡ଼ିଶାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ବଲାଙ୍ଗିର, ସମ୍ବଲପୁର, କଳାହାଣ୍ଡି ଏବଂ ନୂଆପଡ଼ା ଭଳି ଦୁର୍ଗମ ଜିଲ୍ଲା ଆଜି କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ନୂତନତା ଆଣିବାର ଦୃଷ୍ଟାନ୍ତ ପାଲଟିଛି । ଉନ୍ନତ ଭିତ୍ତିଭୂମି, ବଜାର-ଭିତ୍ତିକ ଯୋଗାଣ ଶୃଙ୍ଖଳ, ସ୍ଥାନୀୟ ବଜାର ଓ ରପ୍ତାନି ବଜାର ସଂଯୋଗ ସହିତ eNAM ଓ ONDC ଭଳି ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର ଦ୍ୱାରା ଏହି ଜିଲ୍ଲାଗୁଡ଼ିକ କୃଷି ବିକାଶ ଧାରାରେ ନିଜକୁ ସାମିଲ କରିଛନ୍ତି । ନିଜର ପାରମ୍ପରିକ କୃଷିକୁ ପଛରେ ପକାଇ, ପଶ୍ଚିମ ଓଡ଼ିଶାର ଏହି ଜିଲ୍ଲା ସମୂହ ଆଜି ଉଚ୍ଚ ମୂଲ୍ୟର ଉଦ୍ୟାନ କୃଷିଜାତ ଦ୍ରବ୍ୟର ରପ୍ତାନି ପାଇଁ ଚର୍ଚ୍ଚାରେ ରହିଛନ୍ତି। ଜଳଛାୟା ବିକାଶ ଏବଂ କୃଷକ ଉତ୍ପାଦକ ସଂଗଠନ (FPO) ଗୁଡ଼ିକର ଅଭ୍ୟୁଦୟ ବଳରେ ବଲାଙ୍ଗିର ଆଜି କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରୁଛି। ଏଠାକାର FPO ଗୁଡ଼ିକ ସକ୍ରିୟ ଭାବରେ ବିଶ୍ୱ ବଜାର ସହିତ ଯୋଡ଼ି ହେଉଛନ୍ତି। ଗତ ବର୍ଷକ ମଧ୍ୟରେ, ବଲାଙ୍ଗିର ଡ୍ରାଗନ ଫଳ ଏବଂ ଆମ୍ବ ଭଳି ଦାମୀ ଫସଲ ରପ୍ତାନି କରି କୃଷି-ରପ୍ତାନି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।
ତୃଣମୂଳ ସ୍ତରର କୃଷକ ସଂଗଠନ, ସରକାରୀ ସହାୟତା ଏବଂ ସରକାରୀ-ବେସରକାରୀ ଭାଗିଦାରୀ ପ୍ରକଳ୍ପଗୁଡ଼ିକର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇଛି, ଯାହାଦ୍ୱାରା ଚାଷୀମାନେ ନିଜ ଉନ୍ନତ ମାନର ଉତ୍ପାଦ ପାଇଁ ଭଲ ଦାମ୍ ପାଇପାରୁଛନ୍ତି। ଗତ ବର୍ଷକ ମଧ୍ୟରେ ବଲାଙ୍ଗିରର ଚାଷୀ ଏବଂ FPO ମାନଙ୍କ ଦ୍ୱାରା ୨୭ ମେଟ୍ରିକ୍ ଟନରୁ ଅଧିକ ଉନ୍ନତ ମାନର ଆମ୍ରପାଲି ଆମ୍ବ, ଡ୍ରାଗନ ଫଳ ଏବଂ ତାଜା ପନିପରିବା ଦୁବାଇ, ଲଣ୍ଡନ, ଆବୁଧାବି, ଫ୍ରାନ୍ସ, ସ୍ୱିଡେନ, ବେଲଜିୟମ ଏବଂ ଜର୍ମାନୀ ଭଳି ଦେଶକୁ ରପ୍ତାନି କରାଯାଇଛି। ବିଶେଷ କରି, ପାଟଣାଗଡ଼ରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଡ୍ରାଗନ ଫଳ ଏବେ ଉତ୍କୃଷ୍ଟ ଉଦ୍ୟାନ କୃଷିର ପ୍ରତୀକ ପାଲଟିଛି। ଅନ୍ୟପଟେ, ସମ୍ବଲପୁର ଶୀତଳ ଭଣ୍ଡାର ଭିତ୍ତିଭୂମି ଓ କୃଷି-ପ୍ରଯୁକ୍ତି ପ୍ଲାଟଫର୍ମର ସୁଯୋଗ ନେଇ ନିଜର ଉଦ୍ୟାନ କୃଷିର ପରିସରକୁ ବଢ଼ାଇବା ସହ ଚାଷୀମାନଙ୍କୁ ଆନ୍ତର୍ଜାତୀୟ କ୍ରେତାଙ୍କ ସହ ଯୋଡ଼ୁଛି।
ସମ୍ବଲପୁରର ଆଗାମୀ ଟର୍ମିନାଲ୍ ମାର୍କେଟ୍ କମ୍ପ୍ଲେକ୍ସ ଭଳି ପଦକ୍ଷେପ, ଚାଷୀମାନଙ୍କୁ ସିଧାସଳଖ ଜାତୀୟ ଓ ମହାନଗର ବଜାର ସହ ଯୋଡ଼ି ଯୋଗାଣ ଶୃଙ୍ଖଳରେ ଏକ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ଫସଲ ନଷ୍ଟ ହେବାର ଆଶଙ୍କା ହ୍ରାସ ପାଇବ। ଏହି ଅଞ୍ଚଳର ଚାଷୀମାନେ ଡ୍ରାଗନ ଫଳ, ଷ୍ଟ୍ରବେରୀ ଏବଂ ବିଭିନ୍ନ ପ୍ରକାର ଫୁଲ ଭଳି ଅର୍ଥକାରୀ ଫସଲ ଚାଷ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ଏହାର ଏକ ସ୍ପଷ୍ଟ ଉଦାହରଣ ହେଉଛି "ସବୁଜ ସନାତନପାଲି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍"। ଏହି FPO, ICAR-NBRI ଭଳି ସଂସ୍ଥା ସହ ମିଶି ଜଳବାୟୁ-ସହନଶୀଳ ଫୁଲଚାଷ ପଦ୍ଧତି ଆପଣେଇ ଇଉଷ୍ଟୋମା ଭଳି ଦାମୀ ଫୁଲ ଉତ୍ପାଦନରେ ସଫଳ ହୋଇଛି | ଯାହାର ପେନ୍ଥା ପ୍ରତି ବଜାର ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ରହିଛି ।
ଏତତ୍ ବ୍ୟତୀତ ଚଳିତ ବର୍ଷ ସମ୍ବଲପୁରରୁ ୫.୭ ମେଟ୍ରିକ୍ ଟନ୍ ଆମ୍ରପାଲି ଆମ୍ବ ଏବଂ ବିଭିନ୍ନ ପନିପରିବା ଲଣ୍ଡନ ଓ ଦୁବାଇକୁ ରପ୍ତାନି କରାଯାଇଛି। ଏହି ସଫଳତା ସ୍ଥାନୀୟ ଅଞ୍ଚଳର ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ବାହ କରୁଥିବା ଫସଲ ରପ୍ତାନିର ପରିସଂଖ୍ୟାନକୁ ସୂଚିତ କରୁଛି ।
"ସମ୍ବଲପୁର ଜିଲ୍ଲାର ସବୁଜ ସନାତନପାଲି ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ (SSFPCL)ର ଅଗ୍ରଗତି, ଚାଷୀ ଭାଇଭଉଣୀଙ୍କୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ଜୀବିକାକୁ ଉନ୍ନତ କରିବା ଦିଗରେ ହୋଇଥିବା ସମନ୍ୱିତ ପ୍ରୟାସର ସଫଳ ପ୍ରତିଫଳନ। ନାବାର୍ଡର ସହାୟତା ଏବଂ ପାଲାଡିୟମର ମାର୍ଗଦର୍ଶନରେ ଏହି FPO ଉଚ୍ଚ ମୂଲ୍ୟର ଫସଲ ଚାଷ କରିବା ସହ ଆଧୁନିକ କୃଷି ପଦ୍ଧତି ଗ୍ରହଣ କରିବାରେ ସଫଳ ହୋଇଛି। ବିଶେଷକରି, ପାଲାଡିୟମ ବଜାର ସଂଯୋଗ ସହାୟତା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଉନ୍ନତ ମାନର ଉତ୍ପାଦର ରପ୍ତାନି ସମେତ ଘରୋଇ ଓ ଆନ୍ତର୍ଜାତୀୟ ବଜାର ସୁବିଧା ସୁଗମ କରି, ଏହା FPO ସହିତ ଜଡ଼ିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଆୟର ସୁଯୋଗକୁ ବହୁଗୁଣିତ କରିଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସମର୍ଥିତ ଏହି ସହଯୋଗୀ ମଡେଲ, ସ୍ଥାୟୀ କୃଷି ବ୍ୟବସାୟ ଏବଂ ସାମଗ୍ରିକ ବିକାଶ ମାଧ୍ୟମରେ ଚାଷୀମାନଙ୍କୁ କ୍ରମାଗତ ଭାବେ ସଶକ୍ତ କରିଚାଲିଛି।" ଏହା କହିଛନ୍ତି ଶ୍ରୀ ଧୀରେନ୍ଦ୍ର କୁମାର ଦାଶ ଡିଡିଏମ୍ ସମ୍ବଲପୁର, ନାବାର୍ଡ ।
ସେହିଭଳି ସମ୍ବଲପୁର ସ୍ଥିତ ଯୁଜମରା ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ(JFPCL) ଏବେ ସଫଳତା ସହିତ ଅନ୍ତର୍ଜାତୀୟ ବଜାରରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛି। ଏହି କମ୍ପାନୀ କୋଲକାତାକୁ ୨.୧୩ ମେଟ୍ରିକ୍ ଟନ୍ ଓଜନର ଲାଲ୍ ଡ୍ରାଗନ୍ ଫଳ ପଠାଇଛି। ସମ୍ବଲପୁରରେ ଚାଷ କରାଯାଉଥିବା ଏହି ଡ୍ରାଗନ୍ ଫଳ ଏହାର ଆକର୍ଷଣୀୟ ରଙ୍ଗ, ପୁଷ୍ଟିକର ମୂଲ୍ୟ ଏବଂ ଉନ୍ନତ ଗୁଣବତ୍ତା ପାଇଁ ଅନ୍ତର୍ଜାତୀୟ ବଜାର ସହିତ ସ୍ଥାନୀୟ ବଜାରରେ ମଧ୍ୟ ବେଶ୍ ଆଦୃତ ହେଉଛି। FPO ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ମୂଲ୍ୟ ସମ୍ପନ୍ନ ଫସଲ ଚାଷ ଏବଂ ଏହାର ସଫଳ ବିକ୍ରିର ଏହା ଏକ ଦୃଷ୍ଟାନ୍ତ ଭାବେ ନିଆଯାଇ ପାରେ, ଯାହା ଓଡ଼ିଶାର କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ସମ୍ବଲପୁରର ଭୂମିକାକୁ ସୁଦୃଢ଼ କରୁଛି। ସେହିପରି, କଳାହାଣ୍ଡି ଜିଲ୍ଲା ମଧ୍ୟ ଉଦ୍ୟାନ କୃଷି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି |
ଏଠାକାର FPO ଗୁଡ଼ିକ ସତେଜ ପନିପରିବା ବିକ୍ରି କରିବାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଏହାର ଏକ ଉତ୍କୃଷ୍ଟ ଉଦାହରଣ ହେଉଛି ଗୋଲାମୁଣ୍ଡା ବ୍ଲକର ଆଗ୍ରହୀ ଚାଷୀ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଥିଲା। ଏହି ସଂସ୍ଥା ଜିଲ୍ଲାକୁ ଏକ ପନିପରିବା କେନ୍ଦ୍ରରେ ପରିଣତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହା ସହିତ, କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକରେ ଥିବା ତ୍ରିଲୋକେଶ୍ୱର ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ ମାଧ୍ୟମରେ ଉନ୍ନତମାନର କଦଳୀ ଚାଷ କରାଯାଇ ବିକ୍ରି କରାଯାଉଛି।
ଏହି କଦଳୀ ଘରୋଇ ଏବଂ ରପ୍ତାନୀ ବଜାରରେ ସଫଳତାର ସହିତ ପହଞ୍ଚିପାରିଛି, ଯାହା ଚାଷୀମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରୁଛି। ଏହି ପ୍ରକ୍ରିୟା, ଏକ ସାଧାରଣ ଖାଦ୍ୟ ଫସଲକୁ ଲାଭଜନକ ବ୍ୟବସାୟରେ ପରିଣତ କରିବାରେ FPOର ଭୂମିକାର ଏକ ସଫଳ ନିଦର୍ଶନ।
ଏହି ପରିବର୍ତ୍ତନରୁ ଜଣାପଡୁଛି ଯେ FPO-ନେତୃତ୍ୱରେ ପଶ୍ଚିମ ଓଡ଼ିଶା ଉଦ୍ୟାନ କୃଷି କ୍ଷେତ୍ରରେ ଛୋଟ ଚାଷୀମାନଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରୁଛି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରୁ ୟୁରୋପକୁ ଉନ୍ନତମାନର 'ଆମ୍ରପାଲି' ଆମ୍ବ ରପ୍ତାନୀ କରାଯାଇଛି। ଏହା ଏହି ଅଞ୍ଚଳକୁ ଏକ ଉଚ୍ଚ-ମୂଲ୍ୟସମ୍ପନ୍ନ ବିଶ୍ୱ ବଜାର ସହିତ ସଂଯୋଗ କରାଇଛି।
ଏହି ରପ୍ତାନୀ ସ୍ଥାନୀୟ ଅଞ୍ଚଳରେ FPO ମାନଙ୍କ କ୍ରିୟାଶୀଳତାକୁ ଦର୍ଶାଉଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକୁ ଏହି ପନ୍ଥା ଆପଣେଇବା ପାଇଁ ଅନୁପ୍ରେରିତ କରୁଛି। ପଶ୍ଚିମ ଓଡ଼ିଶା ରପ୍ତାନୀ କ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି କରି ରାଜ୍ୟର କୃଷି ଅର୍ଥନୀତିର ଅଭିବୃଦ୍ଧିରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ।
ଆଗାମୀ ଲକ୍ଷ୍ୟ:
ପଶ୍ଚିମ ଓଡ଼ିଶା ଆଜି ଏକ କୃଷି-ବ୍ୟବସାୟ କେନ୍ଦ୍ର ଭାବରେ ଉଭା ହେଉଛି, ଯାହା ଅଭିନବ ଚାଷ ପଦ୍ଧତି, ଉଦ୍ୟାନ କୃଷି, ଏବଂ FPO-ନେତୃତ୍ୱାଧୀନ କାର୍ଯ୍ୟପନ୍ଥା ସମୂହର ସାମୂହିକ ଯୋଗଦାନ ହେତୁ ସମ୍ଭବ ହୋଇଛି। ଏହି ପ୍ରୟାସ ଫଳରେ, ୨୦୨୪ ବର୍ଷରେ, ଓଡ଼ିଶା ୧୫୩୦୫.୫୧ ହଜାର ମେଟ୍ରିକ୍ ଟନ୍ ଉଦ୍ୟାନ କୃଷି ଉତ୍ପାଦ ଉତ୍ପାଦନ କରି ଏକ ରେକର୍ଡ ସ୍ଥାପନ କରିଛି। ଯେଉଁ ଚାଷୀମାନେ ଏକଦା ଚାଷ କାର୍ଯ୍ୟକୁ ବଞ୍ଚିବାର ମାଧ୍ୟମ ବୋଲି ଭାବୁଥିଲେ, ସେମାନେ ଆଜି ନିଜକୁ କୃଷି-ଉଦ୍ୟୋଗୀ ଭାବରେ ଦେଖୁଛନ୍ତି।
ଏହି ପ୍ରଗତିକୁ ବଜାୟ ରଖିବା ପାଇଁ, ଉତ୍ପାଦନ ପରେ ଉନ୍ନତ ଭିତ୍ତିଭୂମି, ଆଧୁନିକ ପ୍ୟାକେଜିଂ ଏବଂ ବଜାର ସଂଯୋଗର ଆବଶ୍ୟକତା ରହିଛି। ସରକାରୀ ଓ ବେସରକାରୀ ଭାଗିଦାରୀରେ ପଶ୍ଚିମ ଓଡ଼ିଶା ଭାରତ ପାଇଁ ଏକ ଅଗ୍ରଣୀ କୃଷି ମଡେଲ ଭାବରେ ଉଭା ହୋଇପାରିବ।
ପଶ୍ଚିମ ଓଡ଼ିଶାର କୃଷି ଅର୍ଥନୀତି ଅଭିବୃଦ୍ଧିରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କର ଭୂମିକା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

