ସାମୁଦ୍ରିକ ବାତ୍ୟା "ମୋନ୍ଥା" ପ୍ରଭାବିତ ଅଞ୍ଚଳରେ ଓଡ଼ିଶା ଅଗ୍ନିଶମ ସେବାର ଉଦ୍ଧାର କାର୍ଯ୍ୟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ 'ମୋନ୍ଥା'ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ସମୁଦାୟ ୬୦ଟି ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ଗ୍ରହଣ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗଜପତି ଜିଲ୍ଲାର ଗୁମ୍ମା ଅନ୍ତର୍ଗତ ରୁଙ୍ଗୁରୁଙ୍ଗୁବା ଠାରେ ଏକ ଗଛ ଉପୁଡ଼ି ପଡ଼ିବା ଫଳରେ କର୍ଣ୍ଣ ଗମାଙ୍ଗଙ୍କର ଏକ ଗୁହାଳ କ୍ଷତିଗ୍ରସ୍ତ ହୋଇଥିଲା । ଶ୍ରୀ ଗମାଙ୍ଗ ନିଜର ଜୀବିକା ନିର୍ବାହ କରିବାପାଇଁ ରଖିଥିବା ତାଙ୍କର ଏକ ମାତ୍ର ସମ୍ବଳ ଦୁଇଟି ଗାଈ ଗୁରୁତର ଆହତ ହୋଇଥିଲେ । ଗୁମ୍ମା ଅଗ୍ନିଶମ କେନ୍ଦ୍ରର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ଗାଈକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ । ଅନ୍ୟ ଏକ ଘଟଣାରେ ଗଜପତି ଜିଲ୍ଲା ମୁନିସିଂ ହାଇସ୍କୁଲ ନିକଟରେ ଏକ ବିରାଟ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିବା ସହିତ ଜନସାଧାରଣଙ୍କର ଯାତାୟତରେ ବାଧା ସୃଷ୍ଟି କରିଥିଲା । ଗୁମ୍ମା ଅଗ୍ନିଶମ କର୍ମଚାରୀମାନେ ଗଛ କାଟି ରାସ୍ତା ସଫା କରିଥିଲେ, ଏହାପରେ ଜନସାଧାରଣଙ୍କ ଯାତାୟାତ ସ୍ୱାଭାବିକ ହୋଇଛି । କୋରାପୁଟ ଜିଲ୍ଲାର ନନ୍ଦପୁର ଅଗ୍ନିଶମ କର୍ମଚାରୀମାନେ ଭଣ୍ଡାରୀ ସାହିରେ ଏକ ଘରର ଛାତ ଉପରେ ପଡ଼ିଥିବା ବିରାଟ ଗଛକୁ ତୁରନ୍ତ ସଫା କରି ଏକ ବଡ଼ ଦୁର୍ଘଟଣାରୁ ପରିବାରକୁ ରକ୍ଷା କରିଛନ୍ତି । ଗଜପତି ଜିଲ୍ଲାରେ ସର୍ବାଧିକ ୧୬ ଟି ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ଅନୁରୋଧ ରିପୋର୍ଟ କରାଯାଇଛି । ଏଥିରେ ଏସ୍.ଏସ୍.ଭି.ଏମ୍. ସୋରଡ଼ା ନଗର, ଖରସଣ୍ଡା (ପାରଳାଖେମୁଣ୍ଡି), ସୁନ୍ଦରବା, ଟିକାମାଳା (ଜିରାଙ୍ଗ), ମହେନ୍ଦ୍ରଗଡ଼ (ଆର୍. ଉଦୟଗିରି ବ୍ଲକ୍), ମହେନ୍ଦ୍ରଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ତପଙ୍ଗା (ଲକ୍ଷ୍ମୀପୁର ଜି.ପି), ଉଦୟପୁର, ମୁନିସିଂ ହାଇସ୍କୁଲ୍ (ଗୁମ୍ମା ବ୍ଲକ୍), ରୁଙ୍ଗୁ ରୁଙ୍ଗୁବା (ତୁମୁଲା ଜି.ପି.), ପପାଆପେଟା (କାଶୀନଗର) ଏବଂ ଖାସଣ୍ଡା, (ଗୋସାଣି ବ୍ଲକ୍) ଆଦି ପ୍ରମୁଖ ସ୍ଥାନରେ ରାସ୍ତାରୁ ଗଛ ହଟାଯାଇଛି । ସେହିପରି କୋରାପୁଟ ଜିଲ୍ଲାରେ ମୋଟ ୧୪ ଟି ଘଟଣାରେ ଉଦ୍ଧାର କାର୍ଯ୍ୟ କରାଯାଇଛି। ଯେଉଁଥିରେ ଡି.ଆଇ.ଜି. ବାସଭବନ, ମଞ୍ଜୁଳଗୁଡା, ବୋରିପୁଟ, ସୁନାବେଡା ଘାଟି, ଭଣ୍ଡାରିସାହି (ନନ୍ଦପୁର), ଇସାବାଲସା, ବୋଇପାରିଗୁଡା, ରାଣୀ ଡୁଡୁମା ରୋଡ, ବଡ଼ବନ୍ଧ (କୁନ୍ଦ୍ରା), ଗେଣ୍ଡାରଗୁଡ଼ା (ବୋଇପାରିଗୁଡା), ସମ୍ବାଇ,ସ୍ୱେତ୍ରୀୟ , କେଲାର ଏବଂ ମୁଙ୍ଗାରଗୁମି (ସୁଙ୍କି ଥାନା) ଭଳି ଅଞ୍ଚଳ ଅନ୍ତର୍ଭୁକ୍ତ । ଗଞ୍ଜାମ ଜିଲ୍ଲାରେ ୯ ଟି ସ୍ଥାନ ଯଥା: ସ୍ପେଶାଲ ସର୍କିଟ ହାଉସ, ବାଙ୍କା ସାହି, ସାମନ୍ତରାପୁର , ଗୋଳାବନ୍ଧା (ବୁଗୁଡା), ତମନାଡା (ଜଗନ୍ନାଥପ୍ରସାଦ), ଜାରଡ଼ା, କେଶରୀପାଟଣା,ଦେଙ୍ଗାଉସ୍ତା ଏବଂ ଗୋବିନ୍ଦ୍ରାପୁର ଅଞ୍ଚଳରେ ଗଛ ହଟାଯାଇ ରାସ୍ତା ସଫା କାର୍ଯ୍ୟ କରାଯାଇଛି । ସେହିପରି, ରାୟଗଡା ଜିଲ୍ଲାରେ ୭ ଟି ସ୍ଥାନ ଯଥା: ବୀରାଫୁଲ୍ଲା, ଲମ୍ବର, ପୋଡାପଦର (କାଶୀପୁର ଜି.ପି) ରାଣୀଗୁଡ଼ା ପାର୍କ, ଶେଫାଳି ପାହାଡ଼ ରୋଡ଼ (ଗୁଣୁପୁର), ଗୁଣୁପୁର ଫାୟାର ଷ୍ଟେସନ କ୍ୟାମ୍ପସ, କାଇଁପୁର ପ୍ରାଇମେରୀ ସ୍କୁଲ ଏବଂ କନ୍ଧମାଳରେ ୩ ଟି ସ୍ଥାନ ଯଥା: ଗୁଳିମରା ସାହି,ବଂଜାରସାହି ଓ ବାଡିକିଆ (ଟିିକାବାଲି ବ୍ଲକ୍), ମାଲକାନଗିରିରେ ୨ଟି ସ୍ଥାନ ଯଥା: ଏସ୍.ବି.ଆଇ ଲାଇନ ଓ କାର୍ଲାମାଲ, ବଲାଙ୍ଗୀରରେ ୨ଟି ସ୍ଥାନ ଯଥା: ସମରା ଓ ବ୍ଲକ୍ ପଡା (ଟିଟିଲାଗଡ଼) ଏବଂ ମୟୂରଭଞ୍ଜର କପ୍ତିପଦା ପେଡ଼ାଗଡ଼ି, କଟକ ଏବଂ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନୋଡାଲ୍ ଗାର୍ଲ୍ସ ହାଇସ୍କୁଲ୍ ଅଞ୍ଚଳରେ ପଡ଼ିଥିବା ଗଛ ହଟାଯାଇ ରାସ୍ତା ସଫା କରାଯାଇଛି । ଅନ୍ୟପକ୍ଷରେ, କଟକର ଶିବ ବଜାର, ଜଗତସିଂହପୁରର କଳାବରା (ବାଲିକୁଦା), ଖୋର୍ଦ୍ଧାର ତୁମୁରାପୁଟା (ବାଣପୁର), ଏବଂ ଯାଜପୁରର କନ୍ଦ୍ରାଗୋଡ଼ିରେ ଗୋଟିଏ ଲେଖାଏଁ ସୂଚନା ରିପୋର୍ଟ କରାଯାଇଛି । ଜଳ ନିଷ୍କାସନ କାର୍ଯ୍ୟ ମୋଟ ୮ ଟି ସ୍ଥାନରେ କରାଯାଇଛି । ସେଥିମଧ୍ୟରୁ ୪ଟି ଗଞ୍ଜାମ ଜିଲ୍ଲାର ଚିକିଟି ଟାଉନ୍, ଏମ୍.କେ.ସି.ଜି. ମେଡିକାଲ କ୍ୟାମ୍ପସ, ଦିଗପହଣ୍ଡି ରୋଡ଼ ଓ ଖଲ୍ଲିକୋଟରୁ ଏବଂ ଅନ୍ୟ ୪ ଟି ପୁରୀ ଜିଲ୍ଲାର ଜଗନ୍ନାଥ ବଲ୍ଲଭ,ସୁଜାତା ନଗର , ବିଧବା ଆଶ୍ରମ ଓ ମାଟି ତୋଟାରୁ ରିପୋର୍ଟ କରାଯାଇଛି। ଗଜପତି ଜିଲ୍ଲାର ରାମଗିରି (ବଡଗାଁ ଅନଘା ମୁଖ୍ୟ ରାସ୍ତା) ଏବଂ ଗର୍ଭା (କାଶୀନଗର) ଠାରେ ୨ଟି ଭୂସ୍ଖଳନ ଘଟଣା, ଓ କୋରାପୁଟ ଜିଲ୍ଲାର ବରିପୁର ଘାଟିଠାରେ ଗୋଟିଏ ଭୂସ୍ଖଳନ ଘଟଣା ରିପୋର୍ଟ କରାଯାଇଛି । "ବର୍ତମାନ ବାତ୍ୟାର ସ୍ଥିତିରେ ସୁଧାର ଆସିଛି, ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ସୂଚନାକୁ ଆଧାରକରି ଉଦ୍ଧାର କାର୍ଯ୍ୟ ଜାରିରହିଛି । ଭୁବନେଶ୍ୱରରେ ୨୪ ଘଣ୍ଟିଆ ରାଜ୍ୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି ଏବଂ ଆମେ ବିପର୍ଯ୍ୟୟ ପରର ସ୍ଥିତିକୁ ପୂର୍ବବସ୍ଥାକୁ ଫେରିଆଣିବାକୁ ଚେଷ୍ଟାରତ ଅଛୁ" ବୋଲି ଅଗ୍ନିଶମ ମହାନିର୍ଦେଶକ ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

powered by social2s