ବାଷ୍ପୀତ୍ର ସୁରକ୍ଷା ଓ ସ୍ଥାପନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସମ୍ପନ୍ନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ଏବଂ ଦୁର୍ଘଟଣାମୁକ୍ତ କାର୍ଯ୍ୟସ୍ଥଳୀ ଗଠନକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ "ବାଷ୍ପୀତ୍ର ଯନ୍ତ୍ରର ସ୍ଥାପନ ଏବଂ ରକ୍ଷାଣାବେକ୍ଷଣରେ ଆବଶ୍ୟକୀୟ ସୁରକ୍ଷା” ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆଜି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ବାଷ୍ପୀତ୍ର ଯନ୍ତ୍ରର ସଠିକ୍ ସ୍ଥାପନ ଓ ନିୟମିତ ରକ୍ଷାଣାବେକ୍ଷଣ ସମୟରେ ସୁରକ୍ଷା ନିୟମାବଳୀର କଠୋର ଅନୁସରଣ ଏକାନ୍ତ ଆବଶ୍ୟକ। ନିୟମିତ ପ୍ରଶିକ୍ଷଣ ଓ ସଚେତନତା ମାଧ୍ୟମରେ ହିଁ ଅନାବଶ୍ୟକ ଧନଜୀବନ ହାନିକୁ ରୋକାଯାଇପାରିବ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଡଃ ମଳୟ କୁମାର ପ୍ରଧାନ ଉଚ୍ଚ ସ୍ଥାନରେ ୱେଲ୍ଡିଂ କାର୍ଯ୍ୟ ସମୟରେ ଅବଲମ୍ବନ କରାଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାର ବିଶେଷଜ୍ଞମାନେ ପ୍ରଶିକ୍ଷକ ଭାବେ ଯୋଗଦେଇ ବୈଷୟିକ ଜ୍ଞାନକୌଶଳ ବାଣ୍ଟିଥିଲେ। ଏଥିରେ କଟକ ଡିଭିଜନର କାରଖାନା ଏବଂ ବାଷ୍ପୀତ୍ର ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା, ଏଏମ୍ଏନ୍‌ଏସ୍ ଇଣ୍ଡିଆ ଲିମିଟେଡର ପୂର୍ବତନ ସାଧାରଣ ପ୍ରବନ୍ଧକ ଶ୍ରୀ ସରୋଜ ପଟ୍ଟନାୟକ, ଆଦିତ୍ୟା ଏଲୁମିନିଅମର ଉପ ସାଧାରଣ ପ୍ରବନ୍ଧକ, ମେକାନିକାଲ୍, ଶ୍ରୀ ଲଗ୍ନଜିତ ଜେନା ଏବଂ ଆଇଓସିଏଲ୍ ପାରାଦୀପ ରିଫାଇନେରୀର ନିରୀକ୍ଷକ ପ୍ରବନ୍ଧକ ଶ୍ରୀ ସଞ୍ଜିବ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବାଷ୍ପୀତ୍ର ଯନ୍ତ୍ରର ସ୍ଥାପନ ଓ ରକ୍ଷାଣାବେକ୍ଷଣ ସମୟରେ ଅବଲମ୍ବନ କରାଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଦିଗ ଉପରେ ଗଭୀର ଆଲୋଚନା କରିଥିଲେ। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ କାରଖାନାରୁ ୩୨ ଜଣ ଅଧିକାରୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ସଫଳତା ପୂର୍ବକ ତାଲିମ ସମାପ୍ତ କରିଥିବାରୁ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଏହି ପ୍ରଶିକ୍ଷଣ ଦ୍ୱାରା ଆଗାମୀ ଦିନରେ ଶିଳ୍ପ ସଂସ୍ଥାଗୁଡ଼ିକରେ ବାଷ୍ପୀତ୍ର ଜନିତ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

powered by social2s