ସପ୍ତଶଯ୍ୟାରୁ ସମୁଦ୍ର ପାରି: ପ୍ରଥମଥର ପାଇଁ ଓଡ଼ିଶାର ଢେଙ୍କାନାଳରୁ ଲଣ୍ଡନକୁ ରପ୍ତାନି ହେଲା ସତେଜ ଷ୍ଟ୍ରବେରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାରେ ଉତ୍ପାଦିତ ସତେଜ ଷ୍ଟ୍ରବେରୀ ଏବେ ବିଶ୍ୱ ବଜାରରେ ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛି। ପ୍ରଥମଥର ପାଇଁ ଢେଙ୍କାନାଳ ଜିଲ୍ଲାରୁ ୫୧ କିଲୋଗ୍ରାମ ସତେଜ ଷ୍ଟ୍ରବେରୀ ଲଣ୍ଡନକୁ ରପ୍ତାନି କରାଯାଇଛି। ଏହି ସଫଳତାର ମଙ୍ଗ ଧରିଛି 'ସପ୍ତଶଯ୍ୟା ଏଗ୍ରୋ ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍' କୃଷକ ଉତ୍ପାଦକ ସଙ୍ଗଠନ | ଢେଙ୍କାନାଳ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପତାକା ଦେଖାଇ ଏହି ରପ୍ତାନିର ଶୁଭାରମ୍ଭ କରି ଏହାକୁ ଜିଲ୍ଲା ପାଇଁ ଏକ ଅସାଧାରଣ ସଫଳତା ଭାବେ ବର୍ଣ୍ଣନା କରିଥିଲେ। ସେ ପାଲାଡିୟମ୍‌ର PSFPO ପ୍ରକଳ୍ପର ଭୂମିକାକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଭଳି କୃଷି ରପ୍ତାନି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଢେଙ୍କାନାଳର ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ (DDH) ଶ୍ରୀ ଦେବପ୍ରସାଦ ରାଉତରାୟ; କୃଷି ସହକାରୀ ଯନ୍ତ୍ରୀ ଶ୍ରୀ ଆଶୁତୋଷ ବେହେରା; ସପ୍ତଶଯ୍ୟା ଏଗ୍ରୋ ପ୍ରଡ୍ୟୁସର କମ୍ପାନୀ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତି ରଞ୍ଜନ ବିଶ୍ୱାଳ ଏବଂ ପାଲାଡିୟମ୍‌ର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ଆମ ରାଜ୍ୟର ଷ୍ଟ୍ରବେରୀ ସୁଦୂର ଲଣ୍ଡନକୁ ରପ୍ତାନି ହେବା ଓଡ଼ିଶାର କୃଷି ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି | ଏହି ରପ୍ତାନି କେବଳ ବିଦେଶୀ ବଜାରର ଦ୍ୱାର ଉନ୍ମୁକ୍ତ କରିବ ନାହିଁ, ବରଂ ଏହାଦ୍ୱାରା ଚାଷୀମାନେ ସ୍ଥାନୀୟ ବଜାର ତୁଳନାରେ ପ୍ରାୟ ୫୦ ପ୍ରତିଶତ ଅଧିକ ମୂଲ୍ୟ ପାଇବାରେ ସକ୍ଷମ ହେବେ। ରପ୍ତାନି ଯୋଗ୍ୟ ଉଚ୍ଚମାନର ଉଦ୍ୟାନ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରିବାରେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକର ଏକତା ଓ ଦକ୍ଷତାକୁ ଏହା ପ୍ରମାଣିତ କରିଛି। ଏହି ସଫଳ ରପ୍ତାନି ପଛରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପ୍ରମୁଖ ଭୂମିକା ରହିଛି। ଗେଟ୍ସ ଫାଉଣ୍ଡେସନ ସହାୟତାରେ ପାଲାଡିୟମ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO ପ୍ରକଳ୍ପ ସହିତ APEDA, ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର (WTC) ଏବଂ ଓଡ଼ିଶା ଜୀବିକା ମିଶନ (OLM) ର ସହଯୋଗରେ ଚାଷୀମାନେ ଏହି ବିଶ୍ୱସ୍ତରୀୟ ସୁଯୋଗ ପାଇପାରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ସତେଜ ଷ୍ଟ୍ରବେରୀ ସମୁଦ୍ର ପାରି ହୋଇ ବିଦେଶ ବଜାରରେ ପହଞ୍ଚିବା ଏକ ଐତିହାସିକ ଉପଲବ୍ଧି। ଏହି ସଫଳତା ଦର୍ଶାଉଛି ଯେ ଓଡ଼ିଶାର ଚାଷୀମାନେ ଏବେ ପାରମ୍ପରିକ ଚାଷ ବଦଳରେ ଅଧିକ ଲାଭଜନକ ଉଚ୍ଚମାନର ଫସଲ ଚାଷ କରିବା ସହ ଆନ୍ତର୍ଜାତୀୟ ଗୁଣବତ୍ତା ଓ ମାନଦଣ୍ଡ ପୂରଣ କରିବାକୁ ସକ୍ଷମ ହେଲେଣି। ଏହି ପଦକ୍ଷେପ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ସହ ବିଶ୍ୱ ବଜାରରେ ଓଡ଼ିଶାକୁ ଏକ ସଫଳ ରପ୍ତାନିକାରୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବାରେ ସହାୟକ ହେବ।

powered by social2s