କଟକ : ପାଲା ହେଉଛି ଉତ୍କଳୀୟ କଳା, ସାହିତ୍ୟ, ସଂସ୍କୃତି ଓ ପରଂପରାର ଏକ ବଳିଷ୍ଠ ବାହକ । ଏହା ସାରସ୍ୱତ, ସାଂସ୍କୃତିକ, ଧାର୍ମିକ ଓ ବିବିଧ କଳା ମିଶ୍ରିତ ଏକ ଚିତ୍ତାକର୍ଷକ ଦୃଶ୍ୟକାବ୍ୟ । ବହୁ ପ୍ରାଚୀନ କାଳରୁ ଏହା ମନୋରଞ୍ଜନ ସହିତ ଲୋକଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ବୋଲି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ପାଲା ମହୋତ୍ସବର ଉଦଘାଟନୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବକୁ ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ଅସୀମ ଅମିତାଭ ଦାସ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ କଟକ ମହାନଗର ନାଗରିକ ମହାସଭାର ସଭାପତି ଡାକ୍ତର ରବିରଞ୍ଜନ ସାହୁ । ଉକ୍ତ କାର୍ଯ୍ୟକ୍ରମରେ ସହାୟତା କରୁଥିବା ବିଶିଷ୍ଟ ଗାୟକ ସୁରେନ୍ଦ୍ର ନାଥ ଛୋଟରାୟ ପାଲାର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଗାୟକ ଶିବଶଙ୍କର ମହାରଣାଙ୍କୁ ‘ସାବିତ୍ରୀ ପଟ୍ଟନାୟକ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଏଥିସହିତ ତାଙ୍କ ସାଥୀମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ-ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ମହାରଣା ଓ ସାଥୀମାନେ ‘ଶ୍ରୀରାମଙ୍କ ମିଥିଳା ଗମନ’ ବିଷୟରେ ପାଲା ପରିବେଷଣ କରିଥିଲେ । ମୃଦଙ୍ଗ ବାଦକ ଶିବ ଲାଭ ବେହେରାଙ୍କ ସମେତ ସଂଗୀତ ଶିଳ୍ପୀ ବଳଭଦ୍ର ବେହେରା, ଶରତ ଚନ୍ଦ୍ର ଦାଶ, କାଶୀନାଥ ବେହେରା ଓ ରବି ନାରାୟଣ ଜେନା ପାଲା ପରିବେଷଣକୁ ବେଶ୍ ମାଧୁର୍ଯ୍ୟପୂର୍ଣ୍ଣ କରିଥିଲେ । ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଅବତାରଣା କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ଡକ୍ଟର ବୈଜୟନ୍ତୀମାଳା ଶତପଥୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲାବେଳେ ଗୀତାଞ୍ଜଳି ପୃଷ୍ଟି ମାନପତ୍ର ପାଠ କରିଥିଲେ । ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି ଓ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସଙ୍କ ସମେତ କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ମୀରା ବେଉରା ମହୋତ୍ସବ କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିରେ ଶତାଧିକ ପାଲାପ୍ରେମୀ ଯୋଗଦେଇଥିଲେ ।
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପାଲା ମହୋତ୍ସବ ଉଦଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

