ଭୃତ୍ରର ଅମାନୁଷିକ ନିହିତ ଦେବରାଜ ଇନ୍ଦ୍ରଙ୍କୁ ସ୍ୱର୍ଗରୁ ମର୍ତ୍ୟମଣ୍ଡଳକୁ ଟାଣି ଆଣିଥିଲା। ଦେବୀ ଅହଲ୍ୟାଙ୍କ ଉପରେ ଥିବା ଇନ୍ଦ୍ରଙ୍କ ଲୋଲୁପ ଦୃଷ୍ଟି, ତାଙ୍କୁ ଆହୁରି ତଳିତଳାନ୍ତ କରିଥିଲା। ବାସ୍ତବରେ ମହାପ୍ରଭୁ ବିଷ୍ଣୁ ମହାଶକ୍ତିଶାଳୀ ଭୃତ୍ରକୁ ନିଧନ କରିଥିଲେ। ମାତ୍ର ପାପର ବୋଝ ଇନ୍ଦ୍ରଙ୍କ ଉପରେ ଲଦି ଦିଆଯାଇଥିଲା। ଅତଃ ଅଭିଶପ୍ତ ଇନ୍ଦ୍ର ପଳାତକ ହିସାବରେ ମର୍ତ୍ୟମଣ୍ଡଳରେ ଆପଣାକୁ ଏକ କ୍ଷୁଦ୍ର କୀଟରୂପେ ପରିଣତ କରି, ମାନସରୋବରରେ ପ୍ରସ୍ଫୁଟିତ ହୋଇଥିବା ଏକ ପଦ୍ମଫୁଲର ପାଖୁଡ଼ାରେ ଆଶ୍ରୟ ନେଇଥିଲେ। ଏହିଭଳି ଏକ ସ୍ପର୍ଶକାତର ନହୂସ ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସ୍ଥାନ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ସେ ଅତ୍ୟନ୍ତ ଭଲ ନିଷ୍ପତ୍ତି ନେଇ ଦେବ-ଦେବୀମାନଙ୍କୁ ବେଶ୍ ସନ୍ତୁଷ୍ଟ କରି ପ୍ରଶାସନ ଚଳାଇଥିଲେ; ମାତ୍ର କିଛିଦିନ ଅନ୍ତେ ସେ ସ୍ୱର୍ଗପୁରୀର ବିଳାସ- ବ୍ୟସନରେ ମଜ୍ଜି ରହିଲେ। ଅବାନ୍ତର ଓ ଅପ୍ରତ୍ୟାଶିତ ନିର୍ଣ୍ଣୟ ନେବାରେ ଦ୍ୱିଧା କଲେ ନାହିଁ; ନିମ୍ନଗାମୀ ହୋଇ ଦେବଗଣଙ୍କୁ ନିର୍ଦ୍ଦେଶ ଦେଲେ, “ତୁମ୍ଭେ ମାନେ ବର୍ତ୍ତମାନ ଇନ୍ଦ୍ରପତ୍ନୀ ସଚୀଦେବୀଙ୍କୁ ମୋ ନିକଟକୁ ନେଇଆସ; ମୁଁ ତାଙ୍କୁ ବିବାହ କରିବି।” ଦେବଗଣ ଭୟଭୀତ ଓ କାତର ହୋଇ ତାଙ୍କୁ ଏହି ନିଷ୍ପତ୍ତିରୁ ଓହରିଯିବା ପାଇଁ ପ୍ରବର୍ତ୍ତାଇଥିଲେ। ତାହା ହେଲା ନାହିଁ। ଏକଥା ଶୁଣି ସଚୀଦେବୀ ପ୍ରକମ୍ପିତ ଅବସ୍ଥାରେ ଦେବର୍ଷି ବୃହସ୍ପତିଙ୍କ ଶରଣାପନ୍ନ ହୋଇଥିଲେ। ବୃହସ୍ପତି ତାଙ୍କୁ ଆଶ୍ୱାସନା ଦେଇ ନୀରବ ରହିବା ପାଇଁ ଉପଦେଶ ଦେଇଥିଲେ। ତତ୍ପଶ୍ଚାତ ବୃହସ୍ପତି ଇନ୍ଦ୍ରାଣୀଙ୍କୁ “ତୁମେ ବର୍ତ୍ତମାନ ନହୂସର ସଭାରେ ଯୋଗଦେଇ କିଛି ସମୟ ପ୍ରତୀକ୍ଷା କରିବା ପାଇଁ ପ୍ରାର୍ଥନା କରିବ; ତୁମେ କହିବ, ପ୍ରଥମେ ମୁଁ ଇନ୍ଦ୍ରଙ୍କୁ ମର୍ତ୍ୟମଣ୍ଡଳରେ ଖୋଜିବି; ଯଦି ତାଙ୍କର ଦର୍ଶନ ନ ପାଏ, କେବେ ଆପଣଙ୍କ ନିକଟକୁ ଆସି ଆପଣଙ୍କୁ ବିବାହ କରିବି।” ମର୍ତ୍ୟମଣ୍ଡଳସ୍ଥ ମାନସରୋବରରେ, ଏକ ପଦ୍ମପୁଷ୍ପର ପାଖୁଡ଼ାରେ ଇନ୍ଦ୍ରଙ୍କ ଦର୍ଶନ ପାଇଥିଲେ। ଶୋକଜର୍ଜରିତ ଅବସ୍ଥାରେ ଅଶ୍ରୁପୂର୍ଣ୍ଣ ନୟନରେ ସମସ୍ତ ଘଟଣାବଳୀ ଇନ୍ଦ୍ରଙ୍କୁ ଜଣାଇଥିଲେ। ପ୍ରତ୍ୟୁତ୍ତରରେ ଇନ୍ଦ୍ର ତଥା ରୂପାନ୍ତରିତ କୀଟ ସାହସ ଦେଇ କହିଲେ, “ତୁମେ ନହୂସଙ୍କ ନିକଟକୁ ଯାଅ; ତାଙ୍କୁ କହିବ, ଆପଣ ପାଲିଙ୍କିରେ ସପ୍ତର୍ଷିଙ୍କ ଦ୍ୱାରା ବୁହାଯାଇ ମୋ ନିକଟକୁ ଆସିବେ।” ଏହି ଉପାୟରେ ହିଁ ନହୂସ ଧ୍ୱଂସ ହେବ। ଏତଦ୍ବ୍ୟତୀତ ଦେବଗଣ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇ ନହୂସଙ୍କ ଅମାନବିକତା ସମ୍ବନ୍ଧରେ ସବିଶେଷ ବର୍ଣ୍ଣନା କରିଥିଲେ। ପ୍ରଭୁ ସମସ୍ତଙ୍କୁ ଚିନ୍ତାଶୂନ୍ୟ ହୋଇ ରହିବା ପାଇଁ ଶାନ୍ତ୍ୱନା ଦେବା ସହିତ ନହୂଷଙ୍କ ଧ୍ୱଂସ ଅନିବାର୍ଯ୍ୟ ବୋଲି କହିଥିଲେ। ଏହି ସମସ୍ତ କାର୍ଯ୍ୟସୂଚୀ ପରେ ଇନ୍ଦ୍ରାଣୀ ନହୂସଙ୍କ ରାଜସଭାରେ ଯୋଗଦେଇଥିଲେ। ସଚୀଦେବୀଙ୍କ ଦେଖି ନହୂସ ଅତ୍ୟନ୍ତ ବିମୁଗ୍ଧ ହୋଇ ଯାଇଥିଲେ। ସଚୀଦେବୀ ତା’ପରେ କହିଲେ, “ଆପଣ ସପ୍ତର୍ଷିଙ୍କ ଦ୍ୱାରା ବୁହାଯାଇ ପାଲିଙ୍କିରେ ଆସିବେ; ବିଧିବଦ୍ଧ ଭାବରେ ଆମର ଶୁଭ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ।” ସଚୀଦେବୀଙ୍କ କଥାରେ ନହୂସଙ୍କ ଆନନ୍ଦର ସୀମା ରହିଲା ନାହିଁ। ଲୋଭାଶକ୍ତ ନହୂସ ସପ୍ତର୍ଷିଙ୍କୁ ଆମନ୍ତ୍ରଣ ଦେଇ ଏହି କାର୍ଯ୍ୟ କରିବା ପାଇଁ ଆଦେଶ ଦେଲେ; ନହୂସଙ୍କ କଥାରେ ତ୍ରିଭୁବନ ପ୍ରକମ୍ପିତ ହୋଇଗଲା। ପାଲିଙ୍କିରେ ଯିବା ସମୟରେ, ଅତ୍ୟଧିକ ଲୋଭାତୁର ହୋଇ ଶୀଘ୍ର ସଚୀଙ୍କ ନିକଟକୁ ପହଞ୍ଚିବା ପାଇଁ କଠୋର କଥା କହିବା ସହ ଅଗସ୍ତ୍ୟ ମୁନିଙ୍କୁ ଗୋଟିଏ ପ୍ରହାର କରିଥିଲେ। ପରିଣାମସ୍ୱରୂପ ନହୂସଙ୍କ ପାପପାତ୍ର ପୂର୍ଣ୍ଣ ହୋଇଯାଇଥିଲା। କ୍ରୋଧଜର୍ଜିତ ଚିତ୍ତରେ ଅଗସ୍ତ୍ୟ ନହୂସଙ୍କୁ ଅଭିଶାପ ଦେଇ କହିଲେ, “ସର୍ପୋଭବ।” ନିମିଷମାତ୍ରେ ନହୂସ ସର୍ପଯୋନିରେ ପରିଣତ ହୋଇ ଘନ ଜଙ୍ଗଲରେ ଅବସ୍ଥାନ କଲେ। ସର୍ପଯୋନିରୁ ମୁକ୍ତି ପାଇବା ପାଇଁ ତାଙ୍କୁ ହଜାର ହଜାର ବର୍ଷ ପ୍ରତୀକ୍ଷା କରିବାକୁ ପଡ଼ିଥିଲା। ଇନ୍ଦ୍ର ତତ୍ପଶ୍ଚାତ ସ୍ୱର୍ଗପୁରୀକୁ ଆସି ଦେବଗଣଙ୍କ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠାର ସହ ବହନ କରିଥିଲେ; ସଚୀଦେବୀଙ୍କ ଦୁଃଖ ସମାପ୍ତ ହେଲା।
ନହୂସ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

