କୋରାପୁଟ: କୋରାପୁଟ ଜିଲ୍ଲାର ଚାଷୀ ଭାଇଭଉଣୀଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ଦେଶର ବୃହତ ବଜାର ସହିତ ଯୋଡ଼ିବା ଦିଗରେ ଆଜି ଏକ ଐତିହାସିକ ଅଧ୍ୟାୟ ସୃଷ୍ଟି ହୋଇଛି। ସ୍ଥାନୀୟ ଆର.ଟି.ଓ. ପଡ଼ିଆଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରାଣୀସମ୍ପଦ ଓ ମତ୍ସ୍ୟ ମେଳା ଅବସରରେ କୋରାପୁଟର ଉଦ୍ୟାନ କୃଷିଜାତ ସାମଗ୍ରୀର ଆନ୍ତଃ-ରାଜ୍ୟ ବଜାର ସଂଯୋଗୀକରଣକୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ (ଭା.ପ୍ର.ସେ) ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ସୁଦାମ ଚନ୍ଦ୍ର ବିଶ୍ୱାଳ, ପାଲାଡିୟମ ସଂସ୍ଥାର ପ୍ରତିନିଧି ଏବଂ 'ଜୈବିକ ଶ୍ରୀ' କୃଷକ ଉତ୍ପାଦକ କମ୍ପାନୀ (FPO) ର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ବିଶେଷ ପଦକ୍ଷେପ ମାଧ୍ୟମରେ କୋରାପୁଟର ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଦ୍ୱାରା ସଂଗୃହୀତ ୧୦୦ କ୍ୱିଣ୍ଟାଲ ଶୁଖିଲା ଅଦା ବେଙ୍ଗାଲୁରୁକୁ, ୨୪୦ କ୍ୱିଣ୍ଟାଲ କଞ୍ଚା ଅଦା ପଞ୍ଜାବକୁ ଏବଂ ୬୦ କ୍ୱିଣ୍ଟାଲ ଉନ୍ନତମାନର 'କଳାଜିରା' ଚାଉଳ ହରିୟାଣା ବଜାରକୁ ପଠାଯାଇଛି। ସିଧାସଳଖ ବଜାର ସଂଯୋଗୀକରଣ କାରଣରୁ ଚାଷୀମାନେ ବର୍ତ୍ତମାନର ବଜାର ଦର ଅପେକ୍ଷା ପ୍ରାୟ ୩୦ ରୁ ୪୦ ପ୍ରତିଶତ ଅଧିକ ଲାଭ ପାଇବେ, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସାମୂହିକ ବିପଣନ ପ୍ରତି ବିଶ୍ୱାସ ଜନ୍ମାଇବ। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଗେଟ୍ସ ଫାଉଣ୍ଡେସନର ସହାୟତାରେ 'ପାଲାଡିୟମ ଇଣ୍ଡିଆ' ଦ୍ୱାରା କାର୍ଯ୍ୟକାରୀ ହେଉଥିବା PSFPO ପ୍ରକଳ୍ପ ମାଧ୍ୟମରେ ଏହି ବଜାର ସଂଯୋଗୀକରଣ ସମ୍ଭବପର ହୋଇଛି | ଚାଷୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ ପ୍ରଦାନ, ଉତ୍ପାଦ ସଂଗ୍ରହ ଏବଂ ପରିବହନ ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରିବାରେ ପାଲାଡିୟମ ତରଫରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଇଛି। ଏହି ବଜାର ସଂଯୋଗୀକରଣ ପଦକ୍ଷେପକୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଜନଜାତି ଚାଷୀଙ୍କ ସ୍ଥାୟୀ ଆୟ ବୃଦ୍ଧିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ସ୍ଥାନୀୟ କୃଷି ଅର୍ଥନୀତିକୁ ଏହା ତ୍ୱରାନ୍ୱିତ କରିବ। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ସୁଦାମ ଚନ୍ଦ୍ର ବିଶ୍ୱାଳ ମଧ୍ୟ ନିଜ ମତ ରଖି କହିଛନ୍ତି ଯେ, "ପାଲାଡିୟମର ବୈଷୟିକ ମାର୍ଗଦର୍ଶନ ସହ ପ୍ରଗତି ଏନଜିଓ ଦ୍ୱାରା ପରିଚାଳିତ ଜୈବିକ ଶ୍ରୀ' କୃଷକ ଉତ୍ପାଦକ କମ୍ପାନୀର ମିଳିତ ସମନ୍ଵୟ ଯୋଗୁଁ ଆଜି ଏହି ବଡ଼ ସଫଳତା ସମ୍ଭବ ହୋଇଛି। ଚାଷୀଙ୍କୁ ଉତ୍ପାଦର ଉଚିତ୍ ମୂଲ୍ୟ ପ୍ରଦାନ ପାଇଁ ବଜାର ସଂଯୋଗୀକରଣ ହେଉଛି ମୁଖ୍ୟ ମାଧ୍ୟମ ଏବଂ ଆଗାମୀ ଦିନରେ କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକୁ ଅଧିକ ଶକ୍ତିଶାଳୀ କରିବା ସହ କୋରାପୁଟର ଜନଜାତି ଚାଷୀଙ୍କୁ ଦେଶର ବୃହତ ବଜାର ସହିତ ଯୋଡ଼ିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।" ଆଗାମୀ ଦିନରେ କୋରାପୁଟ ଭଳି ଏକ ଜନଜାତି ବହୁଳ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି ଦିଗରେ ଏହି ବଜାର ସଂଯୋଗୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ |
କୋରାପୁଟର ଜନଜାତି ଚାଷୀଙ୍କୁ ମିଳିଲା ବଡ଼ ବଜାର: ଗ୍ରାମୀଣ ଆୟରେ ଆସୁଛି ରୂପାନ୍ତର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

