ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, ପ୍ରଦର୍ଶନୀ ପଡିଆରେ ଆୟୋଜିତ 'ନ୍ୟାୟ ସଂହିତା ପ୍ରଦର୍ଶନୀ'ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ 'ପିଜନ ପୋଷ୍ଟ'ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ ହୋମର ପାରାମାନଙ୍କର ଶାରୀରିକ ଗଠନ ସ୍ୱତନ୍ତ୍ର। ସେମାନଙ୍କ ଥଣ୍ଟରେ ଥିବା ଏକ ପ୍ରାକୃତିକ ଲୌହ ସଂରଚନା ଥାଏ। ଯାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ ଏବଂ ପ୍ରାକୃତିକ ଦିଗବାରେଣୀ ଯନ୍ତ୍ର ଭଳି କାମ କରେ। ଏହିଭଳି ସ୍ଵତନ୍ତ୍ର ଶାରୀରିକ ଗଠନ କାରଣରୁ ପାରାମାନେ ମାଇଲ ମାଇଲ ଦୂରରୁ ମଧ୍ୟ ସେମାନଙ୍କ ଲକ୍ଷ୍ୟସ୍ଥଳ ସଠିକ ଭାବେ ଖୋଜି ପାଇଥାନ୍ତି। ଓଡ଼ିଶା ପୋଲିସ ଏହି ପରମ୍ପରାକୁ ୧୯୪୬ ମସିହାରେ ଆରମ୍ଭ କରାଯାଇଥିଲା । ଆମେରିକୀୟ ସେନାଙ୍କ ଠାରୁ ୨୦୦ଟି ପାରା ଗ୍ରହଣ କରି ଆରମ୍ଭ କରିଥିଲେ। ପ୍ରଥମେ କୋରାପୁଟ ଜିଲ୍ଲାର ପାର୍ବତ୍ୟାଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ଯୋଗାଯୋଗ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ୭୦୦ରୁ ଅଧିକ ପାରାଙ୍କୁ ନେଇ ଏକ ବଡ଼ ନେଟୱାର୍କରେ ପରିଣତ ହୋଇଥିଲା। ୧୯୮୨ର ବାଙ୍କୀ ବନ୍ୟା ଏବଂ ୧୯୯୯ର ମହାବାତ୍ୟା ସମୟରେ ଯେତେବେଳେ ଆଧୁନିକ ରେଡିଓ ଓ ଟେଲିଫୋନ୍ ସେବା ବିଚ୍ଛିନ୍ନ ହୋଇଯାଇଥିଲା, ସେତେବେଳେ ଏହି 'ପାରା ଡାକ' ହିଁ ବାହ୍ୟ ଜଗତ ସହ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଥିଲା। ପ୍ରଦର୍ଶନୀରୁ ଜଣାଯାଇଛି ଯେ, ୧୯୪୮ ମସିହା ଏପ୍ରିଲରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବଲପୁରରୁ କଟକକୁ ଏକ ଚିଠି ପଠାଇଥିଲେ। ନେହେରୁଙ୍କ କାର୍ କଟକ ପହଞ୍ଚିବାକୁ ୭ ଘଣ୍ଟା ଲାଗିଥିବା ବେଳେ ଏହି ଡେଣାଧାରୀ ଦୂତ ମାତ୍ର ୫ ଘଣ୍ଟାରେ ବାର୍ତ୍ତା ପହଞ୍ଚାଇ ଦେଇଥିଲେ। ଏହି ପାରାମାନେ ଘଣ୍ଟାପ୍ରତି ପ୍ରାୟ ୫୫ କିଲୋମିଟର ବେଗରେ ଉଡ଼ିପାରନ୍ତି। ଆଜିର ଇ-ମେଲ୍ ଯୁଗରେ ମଧ୍ୟ ଓଡ଼ିଶା ସରକାର ଏହି ୭୦ ବର୍ଷର ପରମ୍ପରାକୁ ଏକ ମଧୁର ପୁରାତନ ସ୍ମୃତି ଭାବେ ବଞ୍ଚାଇ ରଖିଛନ୍ତି। ବର୍ତ୍ତମାନ କଟକ ଏବଂ ଅନୁଗୁଳ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଏହି ପାରାମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ଷ୍ଟାଟିକ (ଏକମୁଖୀ), ବୁମେରାଙ୍ଗ (ଦୁଇମୁଖୀ) ଏବଂ ମୋବାଇଲ୍ ସେବା ଭଳି ତିନୋଟି ଶ୍ରେଣୀରେ ଏହି ସେବା କାର୍ଯ୍ୟ କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସିକତା ପାଇଁ ପଦକ ପାଇଥିବା ୩୨ଟି ପାରା ଏବଂ ଓଡ଼ିଶାର ବିପତ୍ତି ସମୟରେ ସହାୟକ ହୋଇଥିବା ହଜାର ହଜାର ପାରାଙ୍କ ପ୍ରତି ଏହା ଓଡ଼ିଶା ପୋଲିସ ତରଫରୁ ଏକ ଶ୍ରଦ୍ଧାଞ୍ଜଳି।
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ: ଭୁବନେଶ୍ୱରରୁ କଟକକୁ ଉଡ଼ିଲେ ବାର୍ତ୍ତାବାହୀ ପାରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

