ବୁଲା କୁକୁରଙ୍କ ଆତଙ୍କକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ଆଭିମୁଖ୍ୟ ଗ୍ରହଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : (ଲୋପାମୁଦ୍ରା ପ୍ରଧାନ): ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ଆତଙ୍କକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ଏବଂ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦେଶରେ ଦିନକୁ ଦିନ ବୁଲା ଓ ହିଂସ୍ର କୁକୁରଙ୍କ କାମୁଡ଼ା ଯୋଗୁଁ ଅନେକ ଧନଜୀବନ ହାନି ହେଉଥିବା ବେଳେ, କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସାଧାରଣ ଜନତାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ୟାର ସମାଧାନ ପାଇଁ ସର୍ବୋଚ୍ଚ ଅଦାଲତ ପ୍ରଶାସନକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସ୍କୁଲ, ମେଡିକାଲ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ତୁରନ୍ତ ହଟାଯିବ। ସାଧାରଣ ବୁଲା କୁକୁରଙ୍କ କ୍ଷେତ୍ରରେ ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଅନୁଯାୟୀ ବନ୍ଧ୍ୟାକରଣ ଏବଂ ଟୀକାକରଣ କରାଯାଇ ପୁଣି ସେହି ସ୍ଥାନରେ ଛଡ଼ାଯିବ। ମାତ୍ର ଯେଉଁ କୁକୁରଗୁଡ଼ିକ ଅତ୍ୟନ୍ତ ବିପଦଜନକ, ପାଗଳ କିମ୍ବା ସମାଜ ପାଇଁ ମାରାତ୍ମକ ସାଜିଛନ୍ତି, ସେମାନଙ୍କୁ ମୃତ୍ୟୁ ଇଞ୍ଜେକସନ (Lethal Injection) ଦେଇ ଜୀବନ ଶେଷ କରାଯାଇପାରିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଯଦି କୌଣସି ସରକାରୀ ଅଧିକାରୀ ବା ପ୍ରଶାସନ ଏହି ନିର୍ଦ୍ଦେଶ ପାଳନ ନକରନ୍ତି, ତେବେ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହିତ ପଶୁପ୍ରେମୀ ଓ ସଂଗଠନଗୁଡ଼ିକ ପାଇଁ ମଧ୍ୟ କୋର୍ଟ ଦାୟିତ୍ୱ ନିର୍ଦ୍ଧାରଣ କରିଛନ୍ତି। ପଶୁପ୍ରେମୀମାନେ ବୁଲା କୁକୁରଙ୍କୁ ଖାଇବାକୁ ଦେଇପାରିବେ, କିନ୍ତୁ ଯଦି ସେହି କୁକୁର କାହାକୁ କାମୁଡ଼େ ବା କ୍ଷତି ପହଞ୍ଚାଏ, ତେବେ ସମ୍ପୃକ୍ତ ପଶୁପ୍ରେମୀ ସେଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ। ବିଶେଷ କରି ଶିଶୁ ଏବଂ ବୃଦ୍ଧମାନେ କୁକୁର କାମୁଡ଼ାର ଶିକାର ହେଉଥିବାରୁ କୋର୍ଟ ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ନିୟମ ସଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହା ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟ ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉଚିତ ଟ୍ରେନିଂ ଦେବାକୁ କହିଛନ୍ତି।

powered by social2s