ଭୁବନେଶ୍ୱର : ସୁଫି ପରମ୍ପରାରେ “ପୀର୍” ଓ “ମୁରିଦ୍” ବ୍ୟବସ୍ଥା ବିଷୟରେ ଅନେକ ଲୋକ ଜାଣନ୍ତି। ପୀର୍ ମାନେ ଧାର୍ମିକ ଗୁରୁ, ଯିଏ ତାଙ୍କ ଶିଷ୍ୟମାନଙ୍କୁ ଦୀକ୍ଷା ଦେଇ ମୁରିଦ୍ କରନ୍ତି ଏବଂ ସେମାନଙ୍କୁ ଏକ ନୀତିମୟ ଓ ଆଧ୍ୟାତ୍ମିକ ଜୀବନ ବଞ୍ଚିବା ପାଇଁ ପରାମର୍ଶ ଦିଅନ୍ତି। ଅନେକ ପୀର୍ ତାଙ୍କର ପାରମ୍ପରିକ ଖାନକଃ ( ଆଶ୍ରମ)ରେ ରୁହନ୍ତି ଏବଂ ମୁରିଦ୍ ମାନେ ସେଠାକୁ ଯାଇ ଆଶୀର୍ବାଦ ଗ୍ରହଣ କରନ୍ତି, ଜୀବନ ଓ ଧର୍ମ ସମ୍ବନ୍ଧୀୟ ଦିଗଦର୍ଶନ ନିଅନ୍ତି।
ହିନ୍ଦୁ ପରମ୍ପରାରେ ଗୁରୁ - ଶିଷ୍ୟ ପରମ୍ପରା ସାଦୃଶ୍ୟ ଏହି ପୀର୍ - ମୁରିଦ୍ ପରମ୍ପରା। ଏହି ପୀର୍–ମୁରିଦ୍ ପରମ୍ପରାକୁ ଯଦି ଆମେ ଓଡ଼ିଶାର ଜୈବିକ/ ପ୍ରାକୃତିକ କୃଷି ଆନ୍ଦୋଳନ ସହିତ ତୁଳନା କରିବା, ତେବେ ଏକ ରୋଚକ ସାଦୃଶ୍ୟ ଦେଖିବାକୁ ମିଳେ। ଓଡ଼ିଶାରେ ଜୈବିକ କୃଷିର ଉତ୍ଥାନ ପାଇଁ ରାଧାମୋହନ ସାର୍ ଏକ ପ୍ରକାର ଖାନକଃ ସୃଷ୍ଟି କରିଥିଲେ। ଏହି ଖାନକଃକୁ ଲୋକେ “ସମ୍ଭବ ଆଶ୍ରମ” ନାମରେ ଜାଣନ୍ତି।
ଏଠାରେ ଜୈବିକ କୃଷି କେବଳ ଏକ କୃଷି ପଦ୍ଧତି ନୁହେଁ, ବରଂ ଏକ ଜୀବନ ଦର୍ଶନ ଭାବେ ପ୍ରଚାର ଓ ପ୍ରସାର ହେଉଛି। ଆଜି ସେହି ଆଶ୍ରମରେ ସାବରମତୀ ଅପା ଏବଂ ତାଙ୍କ ସହକର୍ମୀ ନିୟମିତ ଭାବରେ ପ୍ରାକୃତିକ କୃଷୀ ତଥା ଜୈବ ବିବିଧତା ର ପ୍ରଶିକ୍ଷଣ ଦବା ସହିତ ରାଧାମୋହନ ସାର ଙ୍କ ର କୀର୍ତ୍ତିକୁ ଆଗକୁ ବଢାଉଛନ୍ତି।
ରାଧାମୋହନ ସାରଙ୍କ ସଂସ୍ପର୍ଶରେ ଅନେକ ବର୍ଷ ଆସିଛି। ଅନେକ ସଭାସମିତି ରେ ତାଙ୍କୁ ଆମେ ଅତିଥି ହିସାବରେ ପାଇଥିଲୁ। ତାଙ୍କର ଅନେକ କଥା ମଧ୍ୟରୁ ଏହି କଥାଟି ଏବେ ମଧ୍ୟ କାନକେ ଗୁଞ୍ଜିତ ହେଊଛି ତାହା ହେଉଛି "ମୂର୍ତ୍ତି ନୁହେଁ କିର୍ତ୍ତୀ" ହିଁ ସେ ଲୋକ ବିଷୟର କଥା କହେ। ପ୍ରାକୃତିକ କୃଷୀ ପାଇଁ କାମ କରିବା ଦିନଠୁ ରାଜ୍ୟର ଅନେକ ଗାଁ, ସ୍ୱେଚ୍ଛାସେବୀ ସଂଗଠନ ଯିବାର ଅନୁଭୁତି ହେଉଛି।
ପ୍ରାୟ ସବୁ ଜାଗାରୁ ଗୋଟିଏ କଥା ଶୁଣୁଛି ତାହା ହେଉଛି ଆଜ୍ଞା ମୁଁ ସମ୍ଭବ ଠାରୁ ପ୍ରଶିକ୍ଷଣ ନେଇଛି। ରାଧାମୋହନ ସାର ଆମକୁ ପ୍ରଶିକ୍ଷଣ ଦେଇଛନ୍ତି। ଓଡ଼ିଶାରେ ଶ୍ରୀ ପଦ୍ଧତି ରେ ଧାନ ଚାଷ ହେଉ କିମ୍ବା ଜଙ୍ଗଲ ସୃଷ୍ଟି କରିବା ପାଇଁ ଅଣ୍ଡା ମଞ୍ଜି ବା ସିଡ୍ ବଲ୍ ହେଉ ସବୁ କ୍ଷେତ୍ରରେ ଓଡ଼ିଶାରେ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରାଧାମୋହନ ସାର ସମ୍ଭବ କୁ ଚଳଚଞ୍ଚଳ କରିଥଲେ। ଏବେ ତାଙ୍କର ଅବର୍ତ୍ତମାନରେ ସେହି କୀର୍ତ୍ତି ଆଜି ମଧ୍ୟ ଉଦ୍ଜିବିତ। ବର୍ଷ ତମାମ ଚାଷୀ ଭଉଣୀ ଓ ଭାଇମାନେ ସମ୍ଭବ କୁ ଯାଆନ୍ତି ପ୍ରାକୃତିକ କୃଷିର ମୂଲ୍ୟବୋଧ ଶିଖିବା ପାଇଁ। ସେମାନେ ଏକ ପ୍ରକାର ଦୀକ୍ଷା ନେଇ ଫେରନ୍ତି—ଏମିତି ଦୀକ୍ଷା ଯାହା ସେମାନଙ୍କୁ ପ୍ରକୃତି ସହିତ ସମନ୍ୱୟରେ ଚାଷ କରିବାକୁ ପ୍ରେରିତ କରେ। ସମ୍ଭବ ଠାରେ ମୁଣ୍ଡଟେକି ଠିଆ ହୋଇଥିବା ପ୍ରତି ଗଛଟି ଆଜିବି ସାରଙ୍କୁ ଝୁରୁ ଥିବେ କାରଣ ବର୍ଷ ତମାମ ଶହ ଶହ ଲୋକଙ୍କୁ ଭେଟୁ ଥିଲେ ମଧ୍ୟ ସାର୍ ଆଉ ଆସୁ ନାହାଁନ୍ତି।
ଯେଉଁ ମାଟି ଦିନେ ପଥୁରିଆ ଥିଲା, ଦୁବ ମଧ୍ୟ ନଥିଲା ଆଜି ସେହି ମାଟି ଜଙ୍ଗଲ୍, ଜୈବ ବିବିଧତାରେ ଭରପୂର ଏବଂ ସାରା ଦେଶକୁ ଆହ୍ୱାନ ଦେଉଛି "ଆମେ ଭଲ ଖାଇବା, ଭଲ ଖୁଆଇବା" ସମ୍ଭବ ଠାରେ ଅନେକ ଚାଷୀ ଏକ ସରଳ କିନ୍ତୁ ଗଭୀର ପ୍ରତିଜ୍ଞା କରନ୍ତି—ଆମେ ବିଷ ଖାଇବୁ ନାହିଁ, ବିଷ ଖୁଆଇବୁ ନାହିଁ। ଏହି ପ୍ରତିଜ୍ଞା ମାତ୍ର କୃଷି ପଦ୍ଧତିର ପରିବର୍ତ୍ତନ ନୁହେଁ, ଏକ ନୂତନ ସାମାଜିକ ଓ ନୀତିମୟ ଚେତନାର ପ୍ରତୀକ। ରାଧାମୋହନ ସାର ଦେଇଥିବା ଏହି ବାଣୀ ଦେଶର ଚାଷ ପଦ୍ଧତି ପରିବର୍ତ୍ତନର ଏକ ସ୍ୱର ପାଲଟିଛି।
ପ୍ରାକୃତିକ କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋର ଅନୁଭୂତି ହେଉଛି ଯେ ଚାଷୀ ମାଆ ଓ ଭଉଣୀମାନେ ସାର ଏବଂ ସାବରମତି ଅପାଙ୍କୁ ଅତ୍ୟନ୍ତ ଆଦର ଓ ସମ୍ମାନ ସହିତ ଦେଖନ୍ତି। ସେମାନେ ସମ୍ଭବକୁ ଏକ ଖାନକଃ ବୋଲି ବିବେଚନା କରନ୍ତି ଏବଂ ସେଠାରେ ସେମାନେ ନିଜ ଜମିର ରୋଗ-ପୋକ ଓ ଚାଷର ବିଭିନ୍ନ ସମସ୍ୟା ବିଷୟରେ ପରାମର୍ଶ ଲୋଡ଼ନ୍ତି। ସମ୍ଭବରେ ଥିବା ସାବରମତି ଅପା ଏବଂ ତାଙ୍କ ସହଯୋଗୀ ସେମାନଙ୍କୁ ସଧୈର୍ଯ୍ୟର ସହିତ ଶୁଣି ଉପଦେଶ ଦିଅନ୍ତି ଓ ପ୍ରାକୃତିକ ପଦ୍ଧତିରେ ସମାଧାନ ଦେଖାନ୍ତି।
ଏହିପରି ଭାବରେ ଓଡ଼ିଶାରେ ଜୈବିକ ବା ପ୍ରାକୃତିକ କୃଷି ଆନ୍ଦୋଳନ କେବଳ ଏକ କୃଷି ପ୍ରଚାର ନୁହେଁ; ଏହା ଏକ ଆତ୍ମୀୟ ସମ୍ପର୍କର ଜାଲ ବୁଣେ—ଯେଉଁଠାରେ ଗୁରୁ ଓ ଶିଷ୍ୟ ଅବା ପୀର୍ ଓ ମୁରିଦ୍ ପରମ୍ପରାର ଭଳି ଜ୍ଞାନ, ଅନୁଭବ ଓ ମୂଲ୍ୟବୋଧ ଏକ ପିଢ଼ୀରୁ ଅନ୍ୟ ପିଢ଼ୀକୁ ପ୍ରବାହିତ ହେଉଛି। ସମ୍ଭବ ଆଶ୍ରମ ଏହି ଅର୍ଥରେ କେବଳ ଏକ ପ୍ରଶିକ୍ଷଣ କେନ୍ଦ୍ର ନୁହେଁ; ଏହା ଏକ ଚିନ୍ତାଧାରାର ତୀର୍ଥସ୍ଥଳ, ଯେଉଁଠାରୁ ପ୍ରକୃତି ସହିତ କୃଷିର ମନ୍ତ୍ର ସାରା ଓଡ଼ିଶା ଓ ଦେଶରେ ପ୍ରସାରିତ ହେଉଛି।
ଡ଼. ମହମ୍ମଦ ଇମ୍ରାନ ଅଲି ୯୪୩୮୭୪୭୩୨୦
ପ୍ରାକୃତିକ କୃଷିରେ ଓଡ଼ିଶାର ଖାନକଃ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

