ତିନି ଦିନିଆ “ଯୁବ ସଂସ୍କାର ନିର୍ମାଣ ଶିବିର” ସଫଳତାର ସହ ସମ୍ପନ୍ନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତର ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଇନ୍ଦ୍ରଧନୁ ପାର୍କରେ ଆୟୋଜିତ ତିନି ଦିନିଆ “ଯୁବ ସଂସ୍କାର ନିର୍ମାଣ ଶିବିର” ସଫଳତାର ସହ ସମାପ୍ତ ହୋଇଯାଇଛି। ଶିବିରର ଦୁଇ ଦିନ ଇନ୍ଦ୍ରଧନୁ ପାର୍କରେ ଅନୁଷ୍ଠିତ ହୋଇଥିବାବେଳେ ଗୋଟିଏ ଦିନ ଏନ୍–୧ ସ୍ଥିତ ଆବାସିକ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଶିବିରରେ ୮ରୁ ୧୫ ବର୍ଷ ବୟସ ବର୍ଗର ୬୦ରୁ ଅଧିକ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ। ଶିବିରର ଉଦ୍‌ଘାଟନ ଦିବସରେ ଓଡ଼ିଶା ପ୍ରାନ୍ତର ସଂଗଠନ ମନ୍ତ୍ରୀ ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ, ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର, ଜିଲ୍ଲା ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ରଥ, ଶ୍ରୀ ରାମ କିଶୋର ଶର୍ମା, ଶ୍ରୀମତୀ ମମତା ଦାଶ ଏବଂ ସ୍ଥାନୀୟ କର୍ପୋରେଟର ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ। ଦ୍ୱିତୀୟ ଦିନରେ ଓଡ଼ିଶା ପ୍ରାନ୍ତର ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଶିବିରରେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବର୍ତ୍ତମାନର ଯୁବପିଢ଼ି ମଧ୍ୟରେ ଶୃଙ୍ଖଳା, ସୁବ୍ୟବସ୍ଥିତ ଜୀବନଶୈଳୀ, ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ବିକାଶ କରିବା ସହ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଆଧୁନିକ ଜୀବନଶୈଳୀର ପ୍ରଭାବରେ ଏହି ମୂଲ୍ୟବୋଧରେ ଆସୁଥିବା ଅବକ୍ଷୟକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କୁ ସୁସ୍ଥ ଓ ସଂସ୍କାରବାନ ସମାଜର ଦୃଢ଼ ସ୍ତମ୍ଭ ଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଖାଦ୍ୟ ବିଶେଷଜ୍ଞା ଶ୍ରୀମତୀ ନୀଳିମା ମିଶ୍ର ସନ୍ତୁଳିତ ଓ ପୌଷ୍ଟିକ ଆହାରର ମହତ୍ତ୍ୱ ଉପରେ ବିଶେଷ ଆଲୋକପାତ କରିଥିଲେ। ତିନି ଦିନ ଧରି ଅଂଶଗ୍ରହଣକାରୀମାନଙ୍କୁ ଯୋଗାଭ୍ୟାସ, ସଂସ୍କାର ପରମ୍ପରା ଓ ନୈତିକ ଶିକ୍ଷା ପ୍ରଦାନ କରାଯାଇଥିଲା। ପରିବେଶ ସୁରକ୍ଷା ଓ ଶୃଙ୍ଖଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରେରଣାଦାୟକ କାହାଣୀ ମାଧ୍ୟମରେ ଶିଶୁମାନଙ୍କୁ ଉତ୍ତମ ଗୁଣ ଓ ନୈତିକ ମୂଲ୍ୟବୋଧର ମହତ୍ତ୍ୱ ବୁଝାଯାଇଥିଲା। ସେହିପରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ସହ ଶିଶୁମାନଙ୍କର ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଇନ୍ଦ୍ରଧନୁ ପାର୍କସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଶ୍ରୀ କିଶୋର ଚରଣ ପରିଡ଼ାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ନୟାପଲ୍ଲୀ ଯୋଗ ଜିଲ୍ଲା ର କ୍ଷେତ୍ର ଓ କେନ୍ଦ୍ର ଅଧିକାରୀ ମାନେ ଶୁଭଶ୍ରୀ ପଣ୍ଡା, ପୁଷ୍ପିତା ପଣ୍ଡା, ଭଗବାନ ବେହେରା,ଅନିତା ନାୟକ, ସଂଘମିତ୍ରା ପଟ୍ଟନାୟକ, ନୀଳିମା ମିଶ୍ର, ଲିଟିଲ ସାହୁ, ସୁଜାତା ରଥ, ପୁଷ୍ପିତା ଦାସ, ବିଭୂତି ପଟ୍ଟନାୟକ, ସ୍ନେହଲତା ସାହୁ ଓ ଝୁନା ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ। ଶିଶୁମାନଙ୍କର ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିବିରରେ ଅଂଶଗ୍ରହଣ କରିଥିବା ଶିଶୁମାନେ ଏହି ଆୟୋଜନରୁ ଅନେକ ପ୍ରେରଣାଦାୟକ ଓ ଶିକ୍ଷଣୀୟ ଅନୁଭୂତି ଲାଭ କରିଥିଲେ। ଆୟୋଜକମାନେ ଭବିଷ୍ୟତରେ ମଧ୍ୟ ଏଭଳି ଅଧିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାର ଆଶା ବ୍ୟକ୍ତ କରିଛନ୍ତି, ଯାହା ଯୁବପିଢ଼ି ମଧ୍ୟରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା ଏବଂ ଭାରତୀୟ ସଂସ୍କୃତି ପ୍ରତି ସଚେତନତାକୁ ଆହୁରି ସୁଦୃଢ଼ କରିବ।

powered by social2s