ଯାଜପୁର ଜିଲ୍ଲାର ବାରି ଓ ରସୁଲପୁର ବ୍ଲକରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରି/ରସୁଲପୁର: ଶିଶୁ ଓ ମହିଳା ବିକାଶ ପ୍ରକଳ୍ପ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଏଲଆଣ୍ଡଟି ବାଲ ରକ୍ଷା ଭାରତର ମିଳିତ ସହଯୋଗରେ ଯାଜପୁର ଜିଲ୍ଲାର ବାରି ଓ ରସୁଲପୁର ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥିଲା। ଏହି ଅବସରରେ ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା, ଜନ୍ମରୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ପ୍ରଦାନ କରିବା, କୋଲଷ୍ଟ୍ରମ୍ ବା ଶିଶୁ ଜନ୍ମ ପରେ ମିଳୁଥିବା ପ୍ରଥମ କ୍ଷୀରର ଗୁରୁତ୍ୱ, ୬ ମାସ ପରେ ଉପଯୁକ୍ତ ପରିପୂରକ ଖାଦ୍ୟ ସହ ସ୍ତନ୍ୟପାନ ଜାରି ରଖିବା ଏବଂ ମା’ ଓ ଶିଶୁର ପୋଷଣ, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ଯତ୍ନ ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା। ଏଥିସହିତ ସ୍ତନ୍ୟପାନ ସମ୍ପର୍କିତ ପ୍ରଚଳିତ ଭ୍ରାନ୍ତ ଧାରଣା ଓ ମିଥ୍ୟା ବିଶ୍ୱାସ ଦୂରୀକରଣ, ଶିଶୁର ବୃଦ୍ଧି ଓ ବିକାଶରେ ମା’ କ୍ଷୀରର ଗୁରୁତ୍ୱ, ପ୍ରସବ ପରବର୍ତ୍ତୀ ମା’ଙ୍କ ଯତ୍ନ ଏବଂ ସ୍ତନ୍ୟପାନ କରୁଥିବା ମା’ଙ୍କୁ ପରିବାର ଓ ସମୁଦାୟ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସମସ୍ତ ବିଷୟ ମା’ ଓ ଶିଶୁର ପ୍ରଥମ ୧,୦୦୦ ଦିନର ସ୍ୱାସ୍ଥ୍ୟ, ପୋଷଣ ଓ ବିକାଶ ସହ ସିଧାସଳଖ ଭାବେ ଜଡିତ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମଗୁଡ଼ିକରେ ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ରାଉତ, ବାଲ ରକ୍ଷା ଭାରତର ରାଜ୍ୟ ପ୍ରଭାରୀ ଡ଼. ଅଭିଜିତ ଭଦ୍ରା, କମ୍ୟୁନିଟି ସପୋର୍ଟ ଷ୍ଟାଫ ସାରଦା ଶତପଥୀ, ଅଲିଅଳ ବଳ, Supervisor, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେମାନେ ମା’ମାନେ ଓ ପରିବାର ସଦସ୍ୟମାନଙ୍କୁ ସ୍ତନ୍ୟପାନ, ମାତୃ ଓ ଶିଶୁ ପୋଷଣ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଓ ସୂଚନା ପ୍ରଦାନ କରିଥିଲେ। ସପ୍ତାହବ୍ୟାପୀ ଏହି ସଚେତନତା ଅଭିଯାନରେ ୪୨୦ରୁ ଅଧିକ ମହିଳା, ପୁରୁଷ ଓ କିଶୋରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ତନ୍ୟପାନ କେବଳ ମା’ ଓ ଶିଶୁର ବିଷୟ ନୁହେଁ, ବରଂ ଏହାର ସଫଳତା ପାଇଁ ପରିବାର, ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସମୁଦାୟର ସମ୍ମିଳିତ ସହଯୋଗ ଆବଶ୍ୟକ ବୋଲି ଗୁରୁତ୍ୱ ଦିଆଯାଇଥିଲା। “ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ପାଇଁ ପ୍ରଥମ ୧,୦୦୦ ଦିନର ଯତ୍ନ ସହ ସଠିକ୍ ସ୍ତନ୍ୟପାନ ପ୍ରଥାକୁ ମଜବୁତ କରିବା ଆବଶ୍ୟକ”—ଏହି ସଚେତନତାମୂଳକ ବାର୍ତ୍ତା ସହ ବିଶ୍ୱ ସ୍ତନ୍ୟପାନ ସପ୍ତାହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

powered by social2s