ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ପାଣିଓରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସାମାଜିକ ଅନୁଷ୍ଠାନ «ସହଯୋଗ» (SAHAYOG) ଏବଂ ବିଦ୍ୟାଳୟ ପକ୍ଷରୁ ଏକ ବିଶେଷ ସାଂସ୍କୃତିକ ଓ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇ ପୂଜ୍ୟପୂଜା କରାଯିବା ପରେ ସତ୍ୟ, ଅହିଂସା ଓ ସରଳତାର ଆଦର୍ଶ ଉପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ «ସହଯୋଗ»ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମହାପୁରୁଷଙ୍କ ଦେଖାଇଥିବା ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ ସତ୍ୟ ଓ ଅହିଂସାର ଆଦର୍ଶ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ଆମ ଦୈନନ୍ଦିନ ଜୀବନରେ ପ୍ରତିଫଳିତ ହେବା ଆବଶ୍ୟକ। ଏହି ସମାରୋହ ଅବସରରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ବିକାଶ ପାଇଁ ସବ୍-ଜୁନିୟର, ଜୁନିୟର, ଏବଂ ସିନିୟର ଭଳି ତିନୋଟି ବିଭାଗରେ ଚିତ୍ରାଙ୍କନ, ତର୍କ-ବିତର୍କ/ବକ୍ତୃତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ «ସହଯୋଗ» ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଏବଂ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୂର୍ଯ୍ୟକାନ୍ତି ରାଉତଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଏବଂ «ସହଯୋଗ» ଅନୁଷ୍ଠାନର ସଦସ୍ୟାମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମର ସାଙ୍ଗ କରାଯାଇଥିଲା।
ପାନିଓରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

