ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟର ଅନ୍ୟତମ ପ୍ରବାଦପୁରୁଷ ତଥା ତ୍ରିଧାରାର ପ୍ରତିଷ୍ଠାତା ଗୁରୁ ଦେବପ୍ରସାଦ ଦାସଙ୍କ ମହାନ କଳାସାଧନା ଓ ନୃତ୍ୟ ପରମ୍ପରାକୁ ଆଗେଇ ନେବାର ମହତ୍ ଉଦ୍ଦେଶ୍ୟରେ ଆୟୋଜିତ ୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ମହୋତ୍ସବ ଆଜି ଭବ୍ୟ ପରିବେଶରେ ଉଦ୍ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା । ଗୁରୁ ଦେବପ୍ରସାଦ ଦାସଙ୍କ ଇଚ୍ଛା ଓ କଳାଦର୍ଶନକୁ ସମ୍ମାନ ଜଣାଇ ତ୍ରିଧାରା ଦୀର୍ଘ ତିନି ଦଶନ୍ଧି ଧରି ନୃତ୍ୟ ଶିକ୍ଷାଦାନ, ନୃତ୍ୟ ସଂରଚନା, ମହୋତ୍ସବ, ସେମିନାର ଓ କର୍ମଶାଳା ମାଧ୍ୟମରେ ଦେଶବିଦେଶରେ ଗୁରୁଶିଷ୍ୟ ପରମ୍ପରାର ପ୍ରଚାର ଓ ପ୍ରସାର କରିଆସୁଛି । ଏଥିସହ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ପାରମ୍ପରିକ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଉଛି । ମହୋତ୍ସବର ଉଦ୍ଯାପନୀ ସମାରୋହରେ ଆସିକାର ମାନ୍ୟବର ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ଏକାମ୍ର-ଭୁବନେଶ୍ୱରର ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଶା ସରକାରଙ୍କ ପୂର୍ବତନ ରାଜସ୍ୱ ପରିଷଦର ସଦସ୍ୟ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ତ୍ରିଧାରାର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ଛତିଶଗଡ଼ର ବିଲାସପୁରର ବିଶିଷ୍ଟ କଥକ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ରାମଲାଲ ବରେଠଙ୍କୁ କଥକ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଏବଂ ଓଡ଼ିଶାର ଗଞ୍ଜାମର ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ପଦ୍ମଶ୍ରୀ ଗୁରୁ ସିମାଞ୍ଚଳ ପାତ୍ରଙ୍କୁ ପ୍ରହଲ୍ଲାଦ ନାଟକ ପରମ୍ପରାର ସୁରକ୍ଷା ଓ ସମୃଦ୍ଧି ପାଇଁ ‘ଗୁରୁ ଦେବପ୍ରସାଦ ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ସେହିପରି ଭୁବନେଶ୍ୱରର ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହପ୍ରଭା ସାମନ୍ତରାୟଙ୍କୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ‘ଗୁରୁ ଦେବପ୍ରସାଦ ପୁରସ୍କାର-୨୦୨୬’ ପ୍ରଦାନ କରାଯାଇଥିଲା । ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବେଙ୍ଗାଲୁରୁର ଶ୍ରୀ ଗୁରୁ ରାଜୁଙ୍କୁ କୁଚିପୁଡ଼ି ନୃତ୍ୟ ପାଇଁ ଏବଂ କଟକର ସୁଶ୍ରୀ ମୋକ୍ଷଦା ତ୍ରିପାଠୀଙ୍କୁ ଓଡ଼ିଶୀ ନୃତ୍ୟ ପାଇଁ ‘ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶୀ ନୃତ୍ୟରେ ନିଜର ପ୍ରତିଭା ଓ ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା ପାଇଁ ଭୁବନେଶ୍ୱରର ସୁଶ୍ରୀ ଦିବ୍ୟଶ୍ରୀ କର ଏବଂ ପାରଳାଖେମୁଣ୍ଡିର ସୁଶ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀଙ୍କୁ ‘ଗୁରୁ ଦେବପ୍ରସାଦ ଶିଶୁ ପ୍ରତିଭା ସମ୍ମାନ-୨୦୨୬’ରେ ସମ୍ମାନିତ କରାଯାଇଥିଲା । ପୁରସ୍କାର ପ୍ରଦାନ ସମାରୋହ ପରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ଭୂପେନ୍ଦ୍ର ବରେଠଙ୍କ ଦ୍ୱାରା ଏକକ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । ତାଙ୍କର ଚମତ୍କାର ନୃତ୍ୟାଭିନୟ ଓ ଶୈଳୀ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ ଗ୍ରାମି ପୁରସ୍କାରପ୍ରାପ୍ତ ବିଶ୍ୱବିଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ଏଲ୍. ଶଙ୍କରଙ୍କ ବେହେଲା ବାଦନ ଶ୍ରୋତାମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା । ତାଙ୍କୁ ତବଲାରେ ସହଯୋଗ କରିଥିଲେ ପଣ୍ଡିତ ପ୍ରସନ୍ନଜିତ ପୋଦ୍ଦାର । ଉଚ୍ଚକୋଟୀର ସଙ୍ଗୀତ ପରିବେଷଣ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାକୁ ଆହୁରି ମନୋମୁଗ୍ଧକର କରିଥିଲା । ସମଗ୍ର କାର୍ଯ୍ୟକ୍ରମର ସଂଯୋଜନାରେ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡା, ଶ୍ରୀମତୀ ରୀନା ପଣ୍ଡା, ଶ୍ରୀ ଆଶୁତୋଷ ପଣ୍ଡା ଏବଂ ଶ୍ରୀ ପ୍ରଭୁତୋଷ ପଣ୍ଡା ସହଯୋଗ କରିଥିବା ବେଳେ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ । ଗୁରୁ ଦେବପ୍ରସାଦ ଦାସଙ୍କ ନୃତ୍ୟ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ସହ ଦେଶର ବିଭିନ୍ନ ଶାସ୍ତ୍ରୀୟ ଓ ପାରମ୍ପରିକ କଳାଧାରାକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବାର ମହତ୍ ଉଦ୍ଦେଶ୍ୟକୁ ନେଇ ୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ମହୋତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା ।
କଥକ ନୃତ୍ୟ ଓ ବେହେଲା ବାଦନ ସହ ଉଦ୍ଯାପିତ ହେଲା ୨୦ତମ ଗୁରୁ ଦେବପ୍ରସାଦ ପୁରସ୍କାର ମହୋତ୍ସବ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

